ପୁରୀ ଜିଲ୍ଲାର ବଳଙ୍ଗା ଅଞ୍ଚଳରେ ୪ ଜଣଙ୍କୁ କଚାଡ଼ି ମାରିଲା ଦନ୍ତା, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ୫ ଗୁରୁତର

ଏବେ ବି ଘୂରି ବୁଲୁଛି ନରହନ୍ତା ଦନ୍ତା, ଘରେଘରେ ତାଟିକବାଟ, ଗାଁଦାଣ୍ଡ ଜନଶୂନ୍ୟ

ପୁରୀ/ ପିପିଲି/ବଳଙ୍ଗା : ଯାଜପୁର ଜିଲ୍ଲା ପରେ ଆଜି ଭୋର୍‌ରେ ଗୋଟିଏ ଦନ୍ତା ହାତୀ ପୁରୀ ଜିଲ୍ଲାରେ ରକ୍ତର ହୋଲି ଖେଳିଛି। ବଳଙ୍ଗା ଓ ଆଖପାଖ ଅଞ୍ଚଳରେ ୪ ଜଣଙ୍କୁ କଚାଡ଼ି ମାରିଛି। ଆକ୍ରମଣରେ ୬ରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ଆଖପାଖ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭୟରେ ଗାଁ ଗଣ୍ଡା ଜନଶୂନ୍ୟ ହୋଇଯିବା ସହ ଘରେ ଘରେ ତାଟିକବାଟ ପଡ଼ିଛି।

ମୃତ ୪ ଜଣ ହେଲେ ବଳଙ୍ଗା ଥାନା ଗୋପୀନାଥପୁର ଶଙ୍କରୀସାହିର ଯୁଗଳକିଶୋର ଭଟ୍ଟ(୬୨), ଚନ୍ଦ୍ରାଦେଇପୁର ପଞ୍ଚାୟତ ମାଟିଘର ସାହିର ମକର ପଲେଇ(୭୨), ପିପିଲି ଥାନା ସଁପୁର ପଞ୍ଚାୟତ ରାଜତେଇ ଗାଁର ଚୈତନ୍ୟ ସାହୁ(୪୭) ଓ ମଙ୍ଗଳପୁର ଜମାଲପୁର ଗାଁର ଅଜୟ କୁମାର ନାୟକ(୪୫)। ସେପଟେ ପୁରୀ ବନଖଣ୍ଡ ଅଧିକାରୀ ସୁଶାନ୍ତ ସିଂହ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବା ପାଇଁ ପ୍ରସ୍ତୁତି ଆରମ୍ଭ ‌କରିଛନ୍ତି। ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ୧ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି ମାଇକ୍‌ ‌ଯୋଗେ ବନବିଭାଗ ବିଭିନ୍ନ ଗାଁରେ ପ୍ରଚାର କରି ଘରୁ ନ ବାହାରିବା ପାଇଁ ସତର୍କ କରି ଦେଇଛି।

ମିଳିଥିବା ସୂଚନା ମୁତାବକ, ଆଜି ଭୋର୍‌ରୁ ଯୁଗଳ ଭଟ୍ଟ ଶୌଚ ପାଇଁ ଗାଁ ନିକଟ ଭାର୍ଗବୀ ନଦୀ କୂଳକୁ ଯାଇଥିବାବେଳେ ପୂର୍ବରୁ ସେଠାରେ ଥିବା ନରହନ୍ତା ଦନ୍ତା ତାଙ୍କୁ ଆକ୍ରମଣ କରିଥିଲା। ଶୁଣ୍ଢରେ ଟେକି ମାଟିରେ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଯୁଗଳଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ସେହିଭଳି ଆଜି ବଳଙ୍ଗା ହାଟ ଥିବାରୁ ମାଟିଘରସାହିର ମକର ପଲେଇ ନିଜ ବିଲକୁ ବାଇଗଣ ତୋଳିବାକୁ ଯାଇଥିଲେ। ଏହି ସମୟରେ ଏକ ଦନ୍ତା ହାତୀ ତାଙ୍କୁ ପାଦରେ ଦଳି ଦେଇଥିଲେ। ଏଥିରେ ମକରଙ୍କ ପେଟରୁ ଅନ୍ତବୁଜୁଳା ବାହାରି ଆସିବା ସହ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସଁପୁର ପଞ୍ଚାୟତ ରାଜତେଇର ଚୈତନ୍ୟ ଓ ମଙ୍ଗଳପୁର ଜମାଲପୁର ଗାଁର ଅଜୟ ଶୌଚ ପାଇଁ ଯାଇଥିବାବେଳେ ଦୁଇ ନରହନ୍ତା ଦନ୍ତା ସେମାନଙ୍କୁ ଆକ୍ରମଣ କରିଥିଲେ। ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନା ଓ ପରେ ପିପିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଦନ୍ତା ଆକ୍ରମଣରେ ଚନ୍ଦ୍ରାଦେଇପୁର ବେହେରା ସାହିର କାଳିନ୍ଦୀ ବେହେରା(୪୨), ଗୋପୀନାଥପୁର ଗାଁର ବାବନ ପୃଷ୍ଟି(୬୦), ହାଡ଼ିବନ୍ଧୁ ସାହୁ(୫୦), ତେରହଳର ଛବି ଦେଇ(୪୭) ଓ ରାଜତେଇ ଗାଁର ବଳଭଦ୍ର ବେହେରା ପ୍ରମୁଖ ଗୁରୁତର ହୋଇଛନ୍ତି। ଆକ୍ରମଣରେ କାହାର ହାତ ତ କାହାର ଗୋଡ଼ ଭାଙ୍ଗିଛି। ସେହିଭଳି, ରାତି ୧୦ଟା ସମୟରେ ପିପିଲି ପୌରାଞ୍ଚଳର ଥାନା ନିକଟ ଟିଚର୍‌କଲୋନି ରାସ୍ତାରେ ହସନପୁର ଗାଁର ସେକ୍‌ ଅଜ୍ଜୁ(୨୫) ନାମକ ଜଣେ ଯୁବକକୁ ହାତୀ ଦଳିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଏହାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଛି। ହାତୀ ଘଉଡ଼ାଇବା ସହ କ୍ଷତିପୂରଣ ଦାବିରେ ମୃତକଙ୍କ ସଂପର୍କୀୟ ଓ ଗାଁ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୁରୀ ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ତୁରନ୍ତ ୪୦ହଜାର ଟଙ୍କା ପ୍ରଦାନ ପରେ ଉତ୍ତେଜନା ସାମାନ୍ୟ ପ୍ରଶମିତ ହୋଇଛି। ତଥାପି ଏହି ନରହନ୍ତାଙ୍କୁ ଘଉଡ଼ାଇବା ପାଇଁ ଟାୟାର ଜାଳି ବନ ବିଭାଗର କର୍ମଚାରୀମାନେ ଜଗି ରହିଛନ୍ତି। ରାତି ଗଡ଼ିବା ପରେ ଏମାନେ ହାତୀ ଘଉଡ଼ାଇବା ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଏବେ ବି ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ରହି ଦନ୍ତାଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର