୧୪ ଜଳଭଣ୍ଡାରର ପାରିପାର୍ଶ୍ବିକ ଉନ୍ନତି ପାଇଁ ୪୫କୋଟି

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ଜଳଭଣ୍ଡାର, ପାର୍କ, ସଂଗ୍ରହାଳୟ ନିର୍ମାଣ ହେବ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଡ୍ୟାମ୍‌, ଜଳଭଣ୍ଡାରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହାର ପାରିପାର୍ଶ୍ବିକ ଉନ୍ନତି କରାଯିବ। ଏଥିପାଇଁ ଜଳସମ୍ପଦ ବିଭାଗ ପ୍ରଥମ ପର୍ଯ୍ୟାୟରେ ୧୪ଟି ଜଳଭଣ୍ଡାରକୁ ଚିହ୍ନଟ କରିଛି। ଏଠାରେ ତିନି ବର୍ଷରେ ମୋଟ୍ ୪୫କୋଟି ଖର୍ଚ୍ଚ ହେବ। ଜଳସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଉନ୍ନତୀକରଣ ହେବାକୁ ଥିବା ଡ୍ୟାମ୍‌ରେ ବୋଟିଂ ସୁବିଧା, ଖାଇବା ପାଇଁ କାଫେଟେରିଆ, ବଣଭୋଜି ପାଇଁ ପିଣ୍ଡି, ବିଶୁଦ୍ଧ ପିଇବା ପାଣି, ପର୍ଯ୍ୟଟକ ଚାଲିବା ପାଇଁ ସ୍ବତନ୍ତ୍ର ଟ୍ରାକ୍, ଗାଡ଼ି ପାର୍କିଂ ସୁବିଧା, ରୋପ୍‌ ୱେ ଆଦି ରଖିବାକୁ ଯୋଜନା ହେଉଛି।

ନୂ୍ଆପଡ଼ା ଜିଲ୍ଲାର ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ୪କୋଟି ୩୩ଲକ୍ଷ, କଳହାଣ୍ଡିର ଅପର୍‌ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପର ମଙ୍ଗଳପୁର ବ୍ୟାରେଜ୍‌ରେ ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ୪କୋଟି ୬୩ଲକ୍ଷ ୫ହଜାର, ଗଞ୍ଜାମର ଭଞ୍ଜନଗର ଡ୍ୟାମ୍‌ରେ ପାରିପାର୍ଶ୍ବିକ ବିକାଶ ପାଇଁ ୫କୋଟି, ସୁନ୍ଦରଗଡ଼‌ର ପିତାମହଲ ଡ୍ୟାମ୍‌ ନିକଟରେ ସଂଗ୍ରହାଳୟ ଏବଂ ପାର୍କ ପାଇଁ ୪କୋଟି, ଖୋର୍ଦ୍ଧା ଜିଲ୍ଲା ଡେରାଶ ଡ୍ୟାମ୍‌ ନିକଟରେ ସଂଗ୍ରହାଳୟ ଏବଂ ପାର୍କ ପାଇଁ ୪କୋଟି, ହୀରାକୁଦ ଡ୍ୟାମ୍‌ ନିକଟରେ ସଂଗ୍ରହାଳୟ ଏବଂ ପାର୍କ ପାଇଁ ୪କୋଟି, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ଗୋଡାହାଡ଼ ଡ୍ୟାମ୍‌ର ପାରିପାର୍ଶ୍ବିକ ବିକାଶ ପାଇଁ ୩କୋଟି, ପୋଲସରା ବ୍ଲକ ଅଧୀନସ୍ଥ ଧନେଇ ଡ୍ୟାମ୍‌ର ପାରିପାର୍ଶ୍ବିକ ବିକାଶ ପାଇଁ ୪କୋଟି, କେନ୍ଦୁଝର ଜିଲ୍ଲାର କାନଝରି ଡ୍ୟାମ୍‌ ନିକଟରେ ସଂଗ୍ରହାଳୟ ଏବଂ ପାର୍କ ପାଇଁ ୨କୋଟି, ସାଳନ୍ଦି ଡ୍ୟାମ୍‌ ନିକଟରେ ସଂଗ୍ରହାଳୟ ଏବଂ ପାର୍କ ପାଇଁ ୨କୋଟି, କୋରାପୁଟର ଅପର୍‌ କୋଲାବ ଡ୍ୟାମ୍‌ ନିକଟରେ ସଂଗ୍ରହାଳୟ ଏବଂ ପାର୍କ ପାଇଁ ୨କୋଟି ଖର୍ଚ୍ଚ ହେବ। ଏହାସହ ନୟାଗଡ଼ର କୁଆଁରିଆ, କେନ୍ଦୁଝରର ସାନମାଛ କନ୍ଦନା ଏମ୍‌ଆଇପି, ମୟୂରଭଞ୍ଜର ଖଡ଼ଖାଇ ଡ୍ୟାମ୍‌ ନିକଟରେ ସଂଗ୍ରହାଳୟ ଏବଂ ପାର୍କ ନିର୍ମାଣ ପାଇଁ ୨କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋ‌ଇଛି। ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ କିଛି ଜଳଭଣ୍ଡାରର ଉନ୍ନତୀକରଣ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର