ସ୍କୁଲ ଛାଡ଼ିଲେ ୪୫ ଛାତ୍ରଛାତ୍ରୀ

ଗଞ୍ଜାମରେ ଆଦର୍ଶ ବିଦ୍ୟାଳୟ ଯୋଜନା ବାଟବଣା

ଛାତ୍ରାବାସ ତାଲା ପକାଇ ରଖିଛନ୍ତି ଠିକାଦାର

ଦିଗପହଣ୍ଡି : ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ଆଦର୍ଶ ବିଦ୍ୟାଳୟ ଯୋଜନା ବାଟବଣା ହୋଇଛି। କେଉଁଠି ବିଦ୍ୟାଳୟ ଅଛି, ଭିତ୍ତିଭୂମି ନାହିଁ, ଆଉ କେଉଁଠି ପର୍ଯ୍ୟାପ୍ତ ଭିତ୍ତିଭୂମି ଥାଇ ମଧ୍ୟ ତାହା କାମରେ ଆସୁନି। ଫଳରେ ସରକାର ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ସିବିଏସ୍‌ଇ ଢାଞ୍ଚାରେ ଶିକ୍ଷା ଦେବା ପାଇଁ କରିଥିବା ଆଦର୍ଶ ବିଦ୍ୟାଳୟ ଯୋଜନା ଘରେ ନପଶୁଣୁ ଚାଳ ବାଜିବା ଭଳି ବିଫଳ ହୋଇଛି। ଆଜି ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟରେ ପଢୁଥିବା ୪୫ ଛାତ୍ରଛାତ୍ରୀ ସ୍କୁଲ ଛାଡ଼ିବା ଘଟଣା ଏହି କଥାକୁ ପ୍ରମାଣ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଆବଶ୍ୟକ ଭିତ୍ତିଭୂମି ଅଭାବ, ପରିଚାଳନାଗତ ତ୍ରୁଟି ଯୋଗୁଁ ଛାତ୍ରଛାତ୍ରୀ ସ୍କୁଲ ଛାଡିଥିବା ଅଭିଭାବକ ମାନେ କହିଛନ୍ତି। ବିଦ୍ୟାଳୟ ପାଇଁ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଛାତ୍ରାବାସ କୋଠାକୁ ଠିକାଦାର ତାଲା ପକାଇ ରଖିଛନ୍ତି। ତେବେ ଠିକାଦାର ତାଙ୍କ ବକେୟା ବିଲ୍‌ ପାଇ ନଥିବାରୁ ସେ କୋଠାକୁ ହସ୍ତାନ୍ତର କରି ନାହାନ୍ତି। ଏହାକୁ ନେଇ ଅଞ୍ଚଳରେ ଏକ ବିବାଦୀୟ ପରିସ୍ଥିତି ଉପୁଜିଛି।

ଅନ୍ୟପକ୍ଷରେ ବ୍ଲକ୍‌ ଶିକ୍ଷା ଅଧିକାରୀ ତଥା ସ୍କୁଲର ଅଧ୍ୟକ୍ଷ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଏ ସଂପର୍କରେ କିଛି ମତ ରଖିନାହାନ୍ତି। ପ୍ରକାଶ ଯେ, ଏହି ବିଦ୍ୟାଳୟରେ ୬ଷ୍ଠରୁ ୯ମ ପର୍ଯ୍ୟନ୍ତ ପିଲା ପାଠ ପଢ଼ୁଛନ୍ତି। ପ୍ରତି ଶ୍ରେଣୀରେ ୮୦ ଜଣ ଲେଖାଏଁ ମୋଟ ୩୨୦ ପିଲା ପଢ଼ିବା ସୁବିଧା ରହିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସ୍କୁଲରେ ୨୭୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ମାତ୍ର ବିଦ୍ୟାଳୟରେ ରହିବାରେ ସମସ୍ୟା ଓ ଅନ୍ୟ ପରିଚାଳନାଗତ ତ୍ରୁଟି ଯୋଗୁଁ ଷଷ୍ଠ ଶ୍ରେଣୀରେ ୫ ଜଣ, ସପ୍ତମରେ ୮, ଅଷ୍ଟମରେ ୧୧ ଓ ନବମ ଶ୍ରେଣୀରେ ୨୧ ଜଣ ଏଭଳି ୪୫ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟ ଛାଡ଼ି ପଳାଇଥିବା ଜଣାପଡ଼ିଛି। ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ଛାତ୍ରାବାସ କୋଠା ହସ୍ତାନ୍ତର କରାଯାଇନଥିବାରୁ ଏଭଳି ସମସ୍ୟା ଉପୁଜିଛି।

ସମ୍ବନ୍ଧିତ ଖବର