ଶିଳାନ୍ୟାସକୁ ୫ ବର୍ଷ ପୂରିଲା: ସରୁନି ତାଳଚେର ସାର କାରଖାନା କାମ

ଦୁଇଦୁଇ ଥର କଣ୍ଟ ବଢ଼ାଇଲେଣି ସରକାର, ଉତ୍ପାଦନ ପାଇଁ ଆହୁରି ବର୍ଷେ ଅପେକ୍ଷା

ଅନୁଗୁଳ: ଶିଳାନ୍ୟାସ ୫ ବର୍ଷ ପୂରିଗଲାଣି, ତଥାପି ତାଳଚେର ସାର କାରଖାନା କାମ ସରୁ ନାହିଁ। କାମ ସରିବାକୁ ଆହୁରି ବର୍ଷେ ଲାଗିବ ବୋଲି ଅନୁମାନ କରାଯାଉଛି। ସେପଟେ ଦୁଇଦୁଇଥର ସରକାର କଣ୍ଟ ବଢ଼ାଇ ସାରିଲେଣି। ଫଳରେ ୟୁରିଆ ଉତ୍ପାଦନ ପାଇଁ ଯେଉଁ ୩ ବର୍ଷର କଣ୍ଟ ରଖାଯାଇଥିଲା, ସେଥିରେ ଢେର ବିଳମ୍ବ ହୋଇସାରିଲାଣି। ଉତ୍ପାଦନ ପାଇଁ ଆହୁରି ବର୍ଷେ ଲାଗିବ ବୋଲି କୁହାଯାଉଛି। ଅନୁଗୁଳ ଜିଲ୍ଲା ତାଳଚେରରେ ଫର୍ଟିଲାଇଜର କର୍ପୋରେସନ ଅଫ୍ ଇଣ୍ଡିଆ(ଏଫ୍‌ସିଆଇ) ଦ୍ବାରା ପରିଚାଳିତ ସାର କାରଖାନା ଅଚଳ ହୋଇଯିବା ପରେ ଏହାର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ(ଟିଏଫ୍‌ଏଲ)କୁ ଏହି ସାର କାରଖାନା ଦାୟିତ୍ବ ଦିଆଯାଇଥିଲା।

ଗେଲ୍ ଇଣ୍ଡିଆ ଲିମିଟେଡ୍‌, କୋଲ୍ ଇଣ୍ଡିଆ ଲିମିଟେଡ୍‌, ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ୍ ଫର୍ଟିଲାଇଜର୍ସ ଲିମିଟେଡ୍‌ ଓ ଫର୍ଟିଲାଇଜର୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍‌ ପରି ୪ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ମିଶାଇ ଏହି ଯୌଥ ଉଦ୍ୟୋଗ କରାଯାଇଥିଲା। ନୂଆ କରି ନିର୍ମାଣ ହେଉଥିବା ଏହି ତାଳଚେର ସାର କାରଖାନାରେ କୋଇଲା ବାଷ୍ପୀକରଣ (କୋଲ୍ ଗ୍ୟାସିଫିକେସନ) ପ୍ରଯୁକ୍ତିର ଉପଯୋଗ କରାଯିବ। ଅନୁଗୁଳ ଜିଲ୍ଲାରେ ପ୍ରଚୁର ପରିମାଣରେ କୋଇଲା ଉପଲବ୍ଧ ହେଉଥିବାରୁ କୋଇଲାକୁ ଗ୍ୟାସ୍‌ରେ ରୂପାନ୍ତରିତ କରାଯିବ ଏବଂ ସେହି ଗ୍ୟାସ୍‌ରୁ ୟୁରିଆ ସାର ଉତ୍ପାଦନ କରାଯିବ। ଏଥିପାଇଁ ୨୦୧୮ ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭ ଦେଇ ୩୬ ମାସ ଭିତରେ ଏଠାରୁ ଉତ୍ପାଦନ ଆରମ୍ଭ ହେବ ବୋଲି କହିଥିଲେ। କୋଭିଡ୍‌ ଓ ଚାଇନା ସହ ଖରାପ ସଂପର୍କ ପାଇଁ ପ୍ଲାଣ୍ଟର ବିଭିନ୍ନ ଯନ୍ତ୍ରାଂଶ ଆସିବାରେ ସମସ୍ୟା ହେଲା। ତେଣୁ କଣ୍ଟ ବଢ଼ାଯାଇଥିଲା। ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏହି ନୂଆ ପ୍ଲାଣ୍ଟରୁ ସାର ଉତ୍ପାଦନ ଆରମ୍ଭ କରିବାକୁ କୁହାଯାଇଥିଲା। ଏହା ସମ୍ଭବ ହୋଇନି। ପରବର୍ତ୍ତୀ ସମୟରେ ୨୦୨୪ ସେପ୍ଟେମ୍ବରକୁ ଲକ୍ଷ୍ୟ ରଖାଯାଇଛି। କାମ ଏବେ ଜୋରସୋରରେ ଚାଲିଛି। ବରିଷ୍ଠ ଅଧିକାରୀମାନେ ଆସି ମଝିରେ ମଝିରେ ସ୍ଥିତି ସମୀକ୍ଷା କରୁଛନ୍ତି। ତେବେ କାମ କେବେ ସରିବ ଓ ପ୍ଲାଣ୍ଟରୁ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହେବ ତାକୁ ଲୋକମାନେ ଅପେକ୍ଷା କରି ରହିଛନ୍ତି।

ସୂଚନାଯୋଗ୍ୟ, କାରଖାନାର ବାର୍ଷିକ ୟୁରିଆ ଉତ୍ପାଦନ କ୍ଷମତା ୧୨.୭ ଲକ୍ଷ ଟନ। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧୩,୨୭୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି କାରଖାନା ପ୍ରତିଷ୍ଠା ହେଲେ ଭାରତ ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିବ ବୋଲି କୁହାଯାଉଛି। ପ୍ରାୟ ୧୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ସମ୍ବନ୍ଧିତ ଖବର