ଓଡ଼ିଶାରେ ୫୬୮ କଲରାପତରିଆ: ୨୦୧୮ ତୁଳନାରେ ୧୯୨ଟି କମିଲେ

ମଧ୍ୟପ୍ରଦେଶରେ ସର୍ବାଧିକ, ୧୦ମରେ ଓଡ଼ିଶା

ଭୁବନେଶ୍ବର: ଓଡ଼ିଶାରେ ୫୬୮ଟି କଲରାପତରିଆ ବାଘ ରହିଛନ୍ତି। କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜି ପ୍ରକାଶ ପାଇଥିବା ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୨୦୧୮ ତୁଳନାରେ ୨୦୨୨ରେ କଲରାପତରିଆଙ୍କ ସଂଖ୍ୟା ଓଡ଼ିଶାରେ କମିଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। ୨୦୧୮ ଗଣନା ସମୟରେ ଓଡ଼ିଶାରେ ୭୬୦ଟି କଲରାପତରିଆ ରହିଥିଲେ। ୪ ବର୍ଷ ଭିତରେ ଏମାନଙ୍କ ସଂଖ୍ୟା ପ୍ରାୟ ୨୦୦ କମିଯିବାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି। କାରଣ ୨୦୦୪ ଗଣନା ଅନୁଯାୟୀ ରାଜ୍ୟରେ ୪୮୭ଟି କଲରାପତରିଆ ଥିଲେ। ୨୦୧୫ରେ ୩୪୫ଟି ରହିଥିବା ବେଳେ ୨୦୧୬ରେ ୩୧୮କୁ ଖସି ଆସିଥିଲା। ୨୦୧୮ ଗଣନା ‌ରିପୋର୍ଟ ଅନୁଯାୟୀ ଏମାନଙ୍କ ସଂଖ୍ୟା ୭୬୦ରେ ପହଞ୍ଚିଥିବା ବେଳେ ୨୦୨୨ରେ କାହିଁକି କମିଲେ ତାହା ଉପରେ ଅଧିକ ସମୀକ୍ଷା କରିବାକୁ ମତପ୍ରକାଶ ପାଇଛି।

ସାରା ଦେଶରେ କଲରାପତରିଆଙ୍କ ସଂଖ୍ୟା ବଢ଼ିଛି। ୨୦୧୮ ଗଣନା ବେଳେ ଦେଶରେ ୧୨ ହଜାର ୮୫୨ ରହିଥିବା ବେଳେ ୨୦୨୨ରେ ସେମାନଙ୍କ ସଂଖ୍ୟା ୧୩ ହଜାର ୮୭୪ରେ ପହଞ୍ଚିଛି। ମଧ୍ୟପ୍ରଦେଶରେ ସର୍ବାଧିକ ୩,୯୦୮ କଲରାପତରିଆ ରହିଥିବା ବେଳେ ମହାରାଷ୍ଟ୍ରରେ ୧୯୮୫, କର୍ଣ୍ଣାଟକରେ ୧୮୭୯, ତାମିଲନାଡ଼ୁରେ ୧୦୭୦ଟି ରହିଛନ୍ତି। ଆନ୍ଧ୍ରପ୍ରଦେଶର ନାଗାର୍ଜ୍ଜୁନ ସାଗର ବ୍ୟାଘ୍ର ଅଭୟାରଣ୍ୟରେ ସର୍ବାଧିକ କଲରାପତରିଆ ରହିଥିବା ବେଳେ ଏହା ତଳକୁ ମଧ୍ୟପ୍ରଦେଶର ପାନା ଓ ସାତପୁରା ବ୍ୟାଘ୍ର ଅଭୟାରଣ୍ୟ ରହିଛି। କେନ୍ଦ୍ରୀୟ ଭାରତରେ କଲରାପତରିଆଙ୍କ ସ୍ଥିତି ପ୍ରାୟତଃ ସମାନ ରହିଛି। ୨୦୧୮ରେ ଏହି ଅଞ୍ଚଳରେ ୮,୦୭୧ଟି ରହିଥିବା ବେଳେ ୨୦୨୨ରେ ୮,୮୨୦ରେ ପହଞ୍ଚିଛି। ସିବଲିକ୍‌ ହିଲ୍‌ ଓ ଗାଙ୍ଗେଟିକ୍‌ ଅଞ୍ଚଳରେ କଲରାପତରିଆଙ୍କ ସଂଖ୍ୟା କମିଛି। ଦେଶର ୧୮ଟି ରାଜ୍ୟରେ ସେମାନଙ୍କ ଉପସ୍ଥିତି ରହିଛି। ରାଜ୍ୟ ସରକାରଙ୍କ ସହାୟତାରେ ଏନ୍‌ଟିସିଏ, ଡବ୍ଲୁଆଇଆଇ ମିଳିତ ଭାବେ ୩୨ ହଜାର ୮୦୩ଟି ସ୍ଥାନରେ କ୍ୟାମେରା ଲଗାଯାଇ କଲରାପତରିଆ ଗଣନା କରାଯାଇଥିଲା। ୪ କୋଟି ୭୦ ଲକ୍ଷ ୮୧ ହଜାର ୮୮୧ଟି ଫଟୋଗ୍ରାଫ୍‌ ଉତ୍ତୋଳନ କରାଯାଇଥିବା ବେଳେ କଲରାପତରିଆଙ୍କ ୮୫,୪୮୮ଟି ଫଟୋ କ୍ୟାପଚର ହୋଇଥିଲା। ମିଜୋରାମ, ଓ ନାଗାଲ୍ୟାଣ୍ଡରେ କଲରାପତରିଆ ନ ଥିବା ନେଇ ‌ରିପୋର୍ଟରେ କୁହାଯାଇଛି।

କେଉଁଠି କେତେ କଲରାପତରିଆ
ମଧ୍ୟପ୍ରଦେଶ ୩,୯୦୮
ମହାରାଷ୍ଟ୍ର ୧୯୮୫
କର୍ଣ୍ଣାଟକ ୧୮୭୯
ତାମିଲନାଡ଼ୁ ୧୦୭୦
ଛତିଶଗଡ଼ ୭୨୨
ରାଜସ୍ଥାନ ୭୨୧
ଉତ୍ତରାଖଣ୍ଡ ୬୫୨
କେରଳ ୫୭୦
ଆନ୍ଧ୍ରପ୍ରଦେଶ ୫୬୯
ଓଡ଼ିଶା ୫୬୮
ଉତ୍ତର ପ୍ରଦେଶ ୩୭୧
ଉତ୍ତର ପୂର୍ବ ରାଜ୍ୟ ୩୪୯
ତେଲେଙ୍ଗାନା ୨୯୭
ଉତ୍ତର ବେଙ୍ଗଲ୍‌ ୨୩୩
ବିହାର ୮୬
ଗୋଆ ୭୭
ଆସାମ ୭୪
ଝାଡ଼ଖଣ୍ଡ ୫୧
ଅରୁଣାଚଳ ପ୍ରଦେଶ ୪୨

ସମ୍ବନ୍ଧିତ ଖବର