କେରଳ ସରକାରକୁ ଝଟ୍‌କା: ୩ ବିଶ୍ବବିଦ୍ୟାଳୟ ବିଲ୍‌ ଅଟକାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଗୁରୁବାର କେରଳର ଶାସକ ସିପିଆଇ (ଏମ୍)କୁ ଲାଗିଛି ଏକ ବଡ଼ ଝଟକା। କେରଳ ବିଧାନସଭାରେ ପାରିତ ବିଶ୍ବବିଦ୍ୟାଳୟ ସମ୍ପର୍କିତ ୩ଟି ବିଲ୍‌ର ଅନୁମୋଦନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଟକାଇ ଦେଇଛନ୍ତି। ତେବେ ରାଷ୍ଟ୍ରପତି କେରଳର ୭ଟି ବିଲ୍ ମଧ୍ୟରୁ କେବଳ ଗୋଟିଏ ବିଲ୍‌କୁ ଅନୁମୋଦନ ଦେଇଛନ୍ତି। ତାହା ହେଉଛି କେରଳ ଲୋକାୟୁକ୍ତ ସଂଶୋଧନ ବିଲ୍, ୨୦୨୨, ଯେଉଁଥିରେ ଦୁର୍ନୀତିବିରୋଧୀ ସଂସ୍ଥାର କ୍ଷମତା ହ୍ରାସ କରାଯାଇଛି। ବାକି ୩ଟି ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ଅପେକ୍ଷାରେ ରହିଛି।

ରାଜଭବନ ପକ୍ଷରୁ ଜାରି ଏକ ସରକାରୀ ଚିଠିରେ କୁହାଯାଇଛି ଯେ, ମାନ୍ୟବର ରାଷ୍ଟ୍ରପତି ନିମ୍ନଲିଖିତ ବିଲ୍‌ଗୁଡ଼ିକର ଅନୁମୋଦନକୁ ଅଟକାଇ ଦେଇଛନ୍ତି, ଯାହାକୁ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ବିଚାର ପାଇଁ ରାଷ୍ଟ୍ରପତି ଭବନକୁ ପଠାଇଥିଲେ। ସେଗୁଡ଼ିକ ହେଉଛି- କେରଳ ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧନ ନଂ-୨) (ରାଜ୍ୟପାଳଙ୍କୁ ବିଶ୍ୱବିଦ୍ୟାଳୟ କୁଳାଧିପତି ପଦରୁ ହଟାଇବା) ବିଲ୍ ୨୦୨୨, ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ବିଲ୍ ୨୦୨୨ (କୁଳପତି ନିଯୁକ୍ତି ପାଇଁ ସର୍ଚ୍ଚ କମିଟିର ସମ୍ପ୍ରସାରଣ) ଏବଂ ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ବିଲ୍ ୨୦୨୧ (ଆପେଲେଟ୍ ଟ୍ରିବ୍ୟୁନାଲ ପ୍ରସଙ୍ଗ ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ସଂଶୋଧନ)। ଗତବର୍ଷ ନଭେମ୍ବରରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ରାଷ୍ଟ୍ରପତି ଭବନକୁ ପଠାଇଥିବା ୭ଟି ବିଲ୍ ମଧ୍ୟରୁ କେବଳ ଗୋଟିଏ ବିଲ୍ ଯଥା କେରଳ ଲୋକାୟୁକ୍ତ ସଂଶୋଧନ ବିଲ୍ ୨୦୨୨କୁ ଅନୁମୋଦନ ମିଳିଛି। ଅନ୍ୟ ତିନୋଟି ବିଲ୍ ଉପରେ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।

ବିଶ୍ୱବିଦ୍ୟାଳୟ ସମ୍ବନ୍ଧୀୟ ଉକ୍ତ ତିନୋଟି ବିଲ୍ ବିଶ୍ୱବିଦ୍ୟାଳୟଗୁଡ଼ିକରେ ରାଜ୍ୟପାଳଙ୍କ କ୍ଷମତାକୁ ହ୍ରାସ କରିବା ଏବଂ ଭିସି ନିଯୁକ୍ତିରେ ସରକାରଙ୍କୁ ସର୍ବୋଚ୍ଚ କ୍ଷମତା ଦେବା ଲାଗି ଉଦ୍ଦିଷ୍ଟ ଥିଲା, ଯାହାକୁ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ ମଧ୍ୟ ରାଷ୍ଟ୍ରପତି ଅନୁମୋଦନ ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର