ଆର୍‌ଏସ୍‌ପି ସମବାୟ ସମିତିରେ ଜମାକାରୀ, ଅଂଶୀଦାରଙ୍କ ୮ କୋଟି ଚଳୁ!

ରାଉରକେଲା: ପରିଚାଳନାଗତ ତ୍ରୁଟି ଓ କିଛି ସଭାପତି, ସମ୍ପାଦକଙ୍କ ବେଆଇନ କାମରୁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ଥିବା କିଛି ସମବାୟ ସମିତି ଡୁବିବାକୁ ଯାଉଛି। ପ୍ରାୟ ୫ରୁ ଅଧିକ ସମବାୟ ସମିତି ଇତି ମଧ୍ୟରେ ବନ୍ଦ ହୋଇଯାଇଛି। ହେଲେ ଏସବୁ ସମବାୟ ସଂସ୍ଥାରେ ଜମାକାରୀ ଓ ଅଂଶୀଦାରଙ୍କ ଲକ୍ଷ ଲକ୍ଷ ଟଙ୍କାକୁ ସମ୍ପୃକ୍ତ ସମିତିର କିଛି କରିତ୍‌କର୍ମା ସଭାପତି ଓ ସମ୍ପାଦକ ମିଳିମିଶି ଚଳୁ କରି ଦେଇଛନ୍ତି। ବିଗତ ଦିନରେ ତଦନ୍ତ ହୋଇଛି। କିଛି ସମବାୟ ସମିତିକୁ ପାନପୋଷ ସହକାରୀ ନିବନ୍ଧକ ସିଲ୍‌ ମଧ୍ୟ କରିଛନ୍ତି। ଏହା ସତ୍ବେ ମଧ୍ୟ ଜମାକାରୀ ଓ ଅଂଶୀଦାରମାନଙ୍କୁ ସେମାନଙ୍କ ଟଙ୍କା ମିଳିନି। ନିକଟ ଭବିଷ୍ୟତରେ ମିଳିବ କି ନାହିଁ ସନ୍ଦେହ। ଆର୍‌ଏସ୍‌ପିର ପ୍ରାୟ ୩୦ଟି ସମବାୟ ସମିତିରୁ କିଛି ସମିତି ଏଭଳି ଦୁର୍ନୀତିର ଉବୁଡୁବୁ ହେଉଛି। ସମିତି ଅଧୀନରେ ପାଖାପାଖି ୧୩ ହଜାରରୁ ଅଧିକ ସଭ୍ୟ (ଜମାକାରୀ ଓ ଅଂଶୀଦାର) ରହିଛନ୍ତି।

ଏମାନଙ୍କ ମଧ୍ୟରୁ ପ୍ରାୟ ୪ ହଜାରରୁ ଅଧିକ ଜମାକାରୀ ଓ ଅଂଶୀଦାରଙ୍କ ଟଙ୍କା ଚଳୁ ହୋଇ ଯାଇଛି। ଅନୁରୂପ ଭାବେ ଇସ୍ପାତ କୋ-ଅପରେଟିଭ୍‌, ଇଆର୍‌ଡବ୍ଲ୍ୟୁ ପାଇପ୍‌ ପ୍ଲାଣ୍ଟ, ଆଇଜିଏଚ୍‌ କୋ-ଅପରେଟିଭ୍‌, ଫର୍ଟିଲାଇଜର କୋ ଅପରେଟିଭ୍‌, ଏସ୍‌ଏମ୍‌ଏସ୍‌-୨ର ଗୋଟିଏ- ଏମିତି କିଛି ସମବାୟ ସମିତି ପୂରା ବନ୍ଦ ହୋଇଯାଇଛି। ଟ୍ରାଫିକ୍‌ ର’ ମେଟେରିଆଲ ଡିଭିଜନ୍‌, ବ୍ଲାଷ୍ଟ ଫର୍ଣ୍ଣେସ, ଏଫ୍‌ଏମ୍‌ଏମ୍‌ ଭଳି କେତେକ ସମବାୟ ସମିତି ରୁଗ୍‌ଣ ଅବସ୍ଥାରେ ଚାଲିଛି। ଅନ୍ୟ କିଛି ସମବାୟ ସମିତି ଠିକ୍‌ଠାକ୍‌ ଚାଲିଥିଲେ ହେଁ ଏଥିରେ ବ୍ୟାପକ ହେରଫେର ହେଉଥିବା ଅନେକ ଜମାକାରୀ ଅଭିଯୋଗ କରିଛନ୍ତି। ସମବାୟ ସମିତିର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ସମ୍ପୃକ୍ତ ସମିତିର କିଛି ସଭ୍ୟଙ୍କୁ ହାତକରି ଜମାକାରୀ ଓ ଅଂଶୀଦାରଙ୍କ ଜମା ଟଙ୍କାକୁ ଚଳୁ କରି ଦେଉଛନ୍ତି। ଏମିତି ଭାବେ ଆର୍‌ଏସ୍‌ପିର କର୍ମଚାରୀଙ୍କର ପ୍ରାୟ ୮ କୋଟିରୁ ଅଧିକ ଟଙ୍କା ମିଳିମିଶି ଚଳୁ କରିଦେଇଛନ୍ତି। ପାନପୋଷ ସହକାରୀ ନିବନ୍ଧକ କାର୍ଯ୍ୟାଳୟ ପକ୍ଷରୁ ହେରଫେର ଅଭିଯୋଗ ସମବାୟ ସମିତିଗୁଡ଼ିକ ତଦନ୍ତ ହେଲେ ବଡଧରଣ ହେରଫେର ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ଜମାକାରୀମାନେ ଦାବି କରିଛନ୍ତି।

ସନ୍ଦେହଘେରରେ ସଭାପତି, ସମ୍ପାଦକମାନଙ୍କ ଭୂମିକା
ବନ୍ଦ ହୋଇଗଲାଣି ୫ରୁ ଅଧିକ ସମିତି

ଦୁଇବର୍ଷ ତଳେ କେତେକ ସମବାୟ ସଂସ୍ଥା ବିରୋଧରେ ଏମିତି ସାଂଘାତିକ ଅଭିଯୋଗ ଆସିବା ପରେ ଆର୍‌ଏସ୍‌ପି କର୍ତ୍ତୃପକ୍ଷ କଡ଼ା ଅଭିମୁଖ୍ୟ ଗ୍ରହଣ କରିଥିଲେ। କାରଖାନା ପରିସରରେ ବିଭିନ୍ନ ବିଭାଗରେ ରହିଥିବା ସମବାୟ ସମିତିଗୁଡ଼ିକର ଅଫିସକୁ ବାହାରକୁ ହଟାଇନେବାକୁ ସମବାୟ ସମିତିର ସଭାପତି ଓ ସମ୍ପାଦକମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଫଳରେ ସମବାୟ ସମିତିଗୁଡ଼ିକର ଅଫିସ କାରଖାନା ଭିତରକୁ ହଟି ଆସି ଇସ୍ପାତ ସହରାଞ୍ଚଳରେ ଆର୍‌ଏସ୍‌ପି କ୍ବାର୍ଟର୍ସକୁ ଭଡାସୂତ୍ରରେ ନେଇ ଅଫିସ୍‌ ଖୋଲିଥିଲା। ତେବେ ମଧ୍ୟ ସେମାନଙ୍କ କାର୍ଯ୍ୟଶୈଳୀରେ କୌଣସି ପରିବର୍ତ୍ତନ ହୋଇ ନଥିବା ଅଭିଯୋଗ ହେଉଛି। ଉଲ୍ଲେଖଯୋଗ୍ୟ, ନିର୍ବାଚନ ଅନିୟମିତତା ଓ ଆର୍ଥିକ ‌ହେରଫେର ଅଭିଯୋଗରେ ପାନପୋଷ ସମବାୟ ସମିତିର ସହକାରୀ ନିବନ୍ଧକ ସେକ୍ଟର-୧୯ସ୍ଥ ଟ୍ରାଫିକ୍‌ ର’ ମେଟେରିଆଲ ଡିଭିଜନ ସମବାୟ ସମିତିରେ ଗତ ଜାନୁଆରି ୨୪ରେ ତଦନ୍ତ କରିଥିଲେ। ତଦନ୍ତବେଳେ ସମବାୟ ସମିତିର ସଭାପତି ଓ ସମ୍ପାଦକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ତଦନ୍ତ ସରିଛି, କିନ୍ତୁ ଏଯାଏଁ ଏହାର ରିପୋର୍ଟ ଆସିନି। ଏହି ଟ୍ରାଫିକ୍‌ ର’ ମେଟେରିଆଲ ଡିଭିଜନ୍‌ ସମବାୟ ସମିତ ନାଁରେ ମାଳ ମାଳ ଅଭିଯୋଗ ରହିଛି। ବେଆଇନ କାମ କରୁଥିବା ସବୁ ସମବାୟ ସମିତି ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ, ତାକୁ ନେଇ ଜମାକାରୀ/ଅଂଶୀଦାର କର୍ମଚାରୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର