ଆଜି ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବ

୧୭୧୭ ଛାତ୍ରଛାତ୍ରୀଙ୍କୁ ମିଳିବ ଡିଗ୍ରୀ ପ୍ରମାଣପତ୍ର

ରାଉରକେଲା: ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍‌ଆଇଟି), ରାଉରକେଲାର ସିନେଟ୍ ହଲ୍‌ରେ ଆଜି ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ଉମାମହେଶ୍ବର ରାଓ, ଡିନ୍ ପ୍ରଫେସର ସୁସ୍ମିତା ମିଶ୍ର, ପିପିଆର୍‌ସି ଅଧ୍ୟକ୍ଷ ହିମାଶୁଂ ଭୂଷଣ ସାହୁ, ପ୍ରଫେସର ମହାବୀର ପଣ୍ଡା ଓ ରେଜିଷ୍ଟର ପ୍ରଫେସର ରୋହନ ଧୀମନ ସେଥିରେ ଯୋଗଦେଇଥିଲେ। ସେମାନଙ୍କ ସୂଚନା ଅନୁସାରେ, ଆସନ୍ତା କାଲି, ଅର୍ଥାତ ୪ ତାରିଖରେ ରାଉରକେଲା ଏନ୍‌ଆଇଟିର ୨୦ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ରାଓଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସେଲ୍‌ର ଅଧ୍ୟକ୍ଷା ସୋମା ମଣ୍ଡଳ, ସମ୍ମାନୀତ ଅତିଥି ଭାବେ ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ଼୍‌ (ଏମ୍‌ସିଏଲ୍)ର ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ଓମ୍ ପ୍ରକାଶ ସିଂହ ଯୋଗଦେବେ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ୧୭୧୭ଜଣ ଡିଗ୍ରିଧାରୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯିବ। ଏହା ସହ ୯ଜଣ ପୂର୍ବତନ ଛାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ସେମାନଙ୍କ ମଧ୍ୟରେ ଅଛନ୍ତି ଆଇଆଇଟି‌ ବମ୍ବେର ପ୍ରଫେସର ଭାଲାମୁଦି ରବି, ଏନ୍‌ଆଇଟି ଅରୁଣାଞ୍ଚଳ ପ୍ରଦେଶର ପ୍ରଫେସର ପିନାକେଶ୍ବର ମହାନ୍ତ, ଆଇଆଇଟି ମଣ୍ଡିର ନିର୍ଦ୍ଦେଶକ ପ୍ରଫେସର ଲକ୍ଷ୍ମୀଧର ବେହେରା, ପୂର୍ବତନ ସିଏମ୍‌ଡ଼ି ତଥା ଇସି‌ଆଇଏଲ ସଞ୍ଜୟ ଚୌବେ, ଆଇପିଏସ୍‌ ଲଳିତ ଦାସ, ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ, ଶିଳ୍ପପତି ସୂର୍ଯ୍ୟ ନାରାୟଣ ସାହୁ, ଆମେରିକାର ପ୍ରଫେସର ନିକୁଞ୍ଜ ସ୍ବାଇଁ, ଆଡୋବ ଇଣ୍ଡିଆର ଉପସଭାପତି ତଥା ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରତିଭା ମହାପାତ୍ର। ଏହି ଅବସରରେ ଚଳିତ ବର୍ଷର ୬ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୫ଜଣଙ୍କୁ ଛାତ୍ରବୃତ୍ତି ଓ ୫୮ଜଣଙ୍କୁ ଟପ୍ପର ମେଡ଼ାଲ ପ୍ରଦାନ କରାଯିବ। ମହୋତ୍ସବ ଅବସରରେ ସବୁ ଛାତ୍ରୀଙ୍କୁ ସମ୍ବଲପୁରୀ ଶାଢ଼ୀ ପିନ୍ଧି ଆସିବା ପାଇଁ ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧିତ ଖବର