କାନ୍ଦୁଛି ପରିବାର, ଝୁରୁଛି ବିଦ୍ୟାଳୟ: ୯୦% ରହିଲା, ହେଲେ ସ୍ବାତୀ ନାହାନ୍ତି

ଦୁର୍ଘଟଣାରେ ଚାଲିଯାଇଥିଲା ଜୀବନ

ଅନୁଗୁଳ : ମ‌ାଟ୍ରିକ୍‌ ପରୀକ୍ଷାରେ ନିଜ ସଫଳତା ଦେଖିବାକୁ ରହିଲେନି। ଟାର୍ଗେଟ୍‌ ରଖିଥିଲେ, ଏଥର ମାଟ୍ରିକ୍‌ ପରୀକ୍ଷାରେ ୯୦ପ୍ରତିଶତ ମାର୍କ ନିହାତି ହାସଲ କରିବେ। ସେହି ଅନୁସାରେ ନିଷ୍ଠାର ସହିତ ପରିଶ୍ରମ ବି କରିଥିଲେ। ପରିଶ୍ରମ ଅନୁସାରେ, ସ୍ବପ୍ନ ତାଙ୍କର ଆଜି ସାକାର ହୋଇଛି। ହେଲେ, ନିଜର ଏହି ସଫଳତା ଦେଖିବାର କିଛିଦିନ ପୂର୍ବରୁ ଦୁର୍ଘଟଣାରେ ସେ ଚାଲିଯାଇଛନ୍ତି।

ଏହି ଛାତ୍ରୀ ହେଲେ, ସ୍ବାତୀ ସୁଚରିତା ଜେନା। ୧୫ବର୍ଷ ବୟସ୍କା ସ୍ବାତୀ ଥିଲେ ଅନୁଗୁଳ ଗାନ୍ଧୀମାର୍ଗ ସରସ୍ବତୀ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ। ତାଙ୍କ ନିଜ ଘର ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍‌ ପାଣିଭଣ୍ଡାର ଗାଁରେ। ବାପାମା’ଙ୍କର ସେ ଥିଲେ ଏକମାତ୍ର ଅଲିଅଳି ଝିଅ। ବାପା ଅଭିରାମ ଜେନା ଅନୁଗୁଳ ସହରରେ ଏକ ଘରୋଇ ଅନୁଷ୍ଠାନରେ ମ୍ୟାନେଜର୍‌ ଭାବେ ଚାକିରି କରୁଥିଲେ। ତେଣୁ, ସ୍ବାତୀଙ୍କ ପରିବାରଅନୁଗୁଳ ସହର ବଣିଆବାହାଳରେ ରହୁଥିଲେ। ସ୍ବାତୀଙ୍କର ସ୍ବାଭାବ ଥିଲା ଶାନ୍ତଶିଷ୍ଟ ଏବଂ ପାଠ ମନସ୍କ। ମାଟ୍ରିକ୍‌ ପରୀକ୍ଷା ପାଇଁ ସେ ଭଲଭାବେ ପ୍ରସ୍ତୁତ ହେଉଥିଲେ। ପରୀକ୍ଷାରେ ବି ଭଲ କରିଥିଲେ ଏବଂ ୬୦୦ରୁ ତାଙ୍କର ୫୦୦ରୁ ଅଧିକ ନମ୍ବର ଆସିବ ବୋଲି ହିସାବ କରିଥିଲେ। ଗଲା ମାର୍ଚ୍ଚ ୨୦ରେ ପରୀକ୍ଷା ସରିଲା। ପରୀକ୍ଷା ସରିବାର ତିନିଦିନ ପରେ ବାପା, ମା’ଙ୍କ ସହିତ ମାମୁ ଘରକୁ ବାହାରି ଯାଇଥିଲେ। କିନ୍ତୁ, କିଏ ଜାଣିଥିଲା। ମାମୁ ଘର ବୁଲା ତାଙ୍କ ଜୀବନର ଅନ୍ତିମ ଯାତ୍ରା ହେବ ବୋଲି। ବାପାଙ୍କ ସହ ସେ ୧୦କିମି ଦୂର ମାମୁଘରକୁ ବାଇକ୍‌ରେ ଯାଉଥିବା ବେଳେ ସ୍ବାତୀଙ୍କୁ ଚାପି ଦେଲା ଏକ ଟ୍ରକ୍‌। ଏହି ମର୍ମନ୍ତୁଦ ଦୁର୍ଘଟଣା ସ୍ବାତୀଙ୍କର କେବଳ ଜୀବନ ନେଲା ନାହିଁ, ବରଂ ବାପା’, ମା ଏବଂ ସାଙ୍ଗ ପରିଜନଙ୍କ ହୃଦୟରେ ଏକ ଶୂନ୍ୟସ୍ଥାନ ଛାଡ଼ିଦେଲା।

ଗୁରୁବାର ଦିନ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଦୁଇ ମାସ ତଳର ଏହି ଦୁର୍ଘଟଣା ପୁଣି ତାଜା ହୋଇଛି। ସ୍ବାତୀଙ୍କ ପରିଶ୍ରମ ମୁତାବକ, ତାଙ୍କୁ ୯୦ ପ୍ରତିଶତ ମାର୍କ ମିଳିଛି। ଅନୁଗୁଳ ଶିଶୁ ମନ୍ଦିରର ୧୩ ଜଣ ଏ-୧ବିଦ୍ୟାର୍ଥୀଙ୍କ ମଧ୍ୟରେ ସ୍ବାତୀଙ୍କ ନାଁ ଆସିଛି। କିନ୍ତୁ, ଏ ଖୁସି ମନାଇବା ପାଇଁ ସ୍ବାତୀ ନାହାନ୍ତି। ପରୀକ୍ଷା ଫଳକୁ ଦେଖି ସ୍ବାତୀଙ୍କର ଉଭୟ ବାପା ଓ ମା’ଙ୍କ କାନ୍ଦବୋବାଳିରେ ଘର ଫାଟି ପଡ଼ୁଛି। ସ୍ବାତୀଙ୍କ ମା’ ମମତା କାନ୍ଦି କାନ୍ଦି କହିଛନ୍ତି, ‘ ଝିଅ କହୁଥିଲା, ମୁଁ ଭଲ ନମ୍ବର ରଖିଲେ, ଭଲ କଲେଜରେ ଆଗ ଯୁକ୍ତ ଦୁଇ ପଢ଼ିବି। ତା’ ପରେ କଣ ହେବି ଚିନ୍ତା କରିବି। କିନ୍ତୁ, ଭଲ କଲେଜରେ ପଢ଼ିବାକୁ ଆଜି ସ୍ବାତୀ ହିଁ ନାହିଁ। ’

ସମ୍ବନ୍ଧିତ ଖବର