ନାରୀ ନିଜ ଶକ୍ତିକୁ ଉପଯୋଗ କଲେ ସ୍ବୟଂସିଦ୍ଧା ହୋଇପାରିବ: ମିନାକ୍ଷୀ

ତୃତୀୟ ସ୍ବୟଂସିଦ୍ଧା ସମ୍ମାନ

ଭୁବନେଶ୍ବର: ନାରୀ ମଧ୍ୟରେ ଅସୀମ ଶକ୍ତି ରହିଛି। ସେ ନିଜ ମଧ୍ୟରେ ଥିବା ଶକ୍ତିକୁ ପରଖି ଠିକ୍ ଭାବରେ ଓ ଠିକ୍ ସ୍ଥାନରେ ଉପଯୋଗ କଲେ ସ୍ବୟଂସିଦ୍ଧା ହୋଇପାରିବ। ଏପରି ମତ ସହିତ ବଲିଉଡ଼୍ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀ ଉପସ୍ଥିତ ସଫଳ ମହିଳାମାନଙ୍କୁ ଜଣେ ଜଣେ ସ୍ବୟଂସିଦ୍ଧା ବୋଲି ସମ୍ବର୍ଦ୍ଧିତ କରି ଆହୁରି ଭଲକାମ କରିବାପାଇଁ ଉତ୍ସାହିତ କରିଛନ୍ତି। ଆଜି ପଟିଆସ୍ଥିତ ଏକ ତାରକା ହୋଟେଲରେ ରେସ୍ ଫାଉଣ୍ଡେସନ ଓ ‘ସମ୍ବାଦ ଡିଜିଟାଲ୍‌’ର ମିଳିତ ପ୍ରୟାସରେ ଆୟୋଜିତ ତୃତୀୟ ସ୍ୱୟଂସିଦ୍ଧା ସମ୍ମାନ ଉତ୍ସବରେ ‌ଯୋଗଦେଇ ଶ୍ରୀମତୀ ଶେଷାଦ୍ରୀ ଓଡ଼ିଶାର ଓଡ଼ିଶୀ ଓ କଳା ସଂସ୍କୃତିକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅବସରରେ ସମାଜରେ ସଂଘର୍ଷ କରି ଉନ୍ନତିର ପଥରେ ଆଗେଇ ଚାଲିଥିବା ଓ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପରିବର୍ତ୍ତନ ଆଣିଥିବା ୩୦ ଜଣ ମହିଳାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିଭଳି ରେସ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ରଶ୍ମି ସାହୁ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିଳା ଉଦ୍ୟୋଗୀ ଓ ସମାଜସେବୀମାନଙ୍କୁ ଉତ୍ସାହିତ କରିଥିଲେ। ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଓ ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ସମ୍ମାନ ପାଇଁ ଅନେକ ପ୍ରସ୍ତାବ ଆସିଥିଲା। ଏଭଳି କାର୍ଯ୍ୟକ୍ରମ ଜରିଆରେ ମହିଳାମାନେ ଆଗକୁ ଆସିବାକୁ ପ୍ରେରଣା ପାଇବେ ବୋଲି ‘ସମ୍ବାଦ’ର ସମ୍ପାଦକ ଶ୍ରୀମତୀ ପଟ୍ଟନାୟକ କହିଥିଲେ।

ଏହି ଅବସରରେ କାର୍ଯ୍ୟକ୍ରମରେ ଘୋଷିକା ସୁଲଗ୍ନା ରାଉତ, ସଙ୍ଗୀତ ନ‌ିର୍ଦେଶକ ପ୍ରେମ ଆନନ୍ଦ, ଫିଟ୍ ଫିଗର୍‌ ଗ୍ରୁପ୍‌ର ମମତା ଦାସ, ଜାହେଦ୍ ଅହମ୍ମଦ୍‌, ପ୍ରୀତମ ନାୟକ ଓ ଭାଗ୍ୟଶ୍ରୀ ମହାନ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଆଜି ସମ୍ବର୍ଦ୍ଧିତ ହୋଇଥିବା ୩୦ ଜଣ ସଫଳ ମହିଳାମାନଙ୍କ ଭିତରେ ଥିଲେ ଦୁର୍ଗା ପ୍ରିୟଦର୍ଶିନୀ, ‌ସୌଭାଗ୍ୟଲକ୍ଷ୍ମୀ ସାହୁ, ମିନୁଶ୍ରୀ ମଧୁସ୍ମିତା, ସୁଶ୍ରୀ ସଙ୍ଗୀତା ସାହୁ, ସଂଘମିତ୍ରା ନାୟକ, ସିଏସ୍ ସୁନିତା ମହାନ୍ତି, ମୁନମୁନ୍ ସିଂହ, ପିୟାଲି ଦେ, ଉର୍ମଳା ମିଶ୍ର, ନଦିଆ ମୋଘବେଲପୁର, ପ୍ରଜ୍ଞାଶ୍ରୀ ପ୍ରିୟଦର୍ଶିନୀ, ସୁଜାତା ଅଗ୍ରୱାଲ, ଭାବନା ଲଥ୍, ମୃଗାକ୍ଷୀ ପଣ୍ଡା, ରସ୍ମିତା ପୃଷ୍ଟି, ସାନ୍ତା ଏବଂ ରୀତା ବଳିଆରସିଂହ, ଲିପ୍ସା ହଂସ, ଅରୁଣା ମହାନ୍ତି, ଧରିତ୍ରୀ ପଟ୍ଟନାୟକ, ଗୁହା ପୁରନ ତାପସ କୁମାର, ଇତିରାଣୀ ସାମନ୍ତ, ପ୍ରୀତି ପଲ୍ଲବୀ ପଟ୍ଟନାୟକ, ଆଦ୍ୟାସା ଦାସ, ଜାଗି ମଙ୍ଗତ ପଣ୍ଡା, ଗାର୍ଗୀ ଭଟ୍ଟାଚାର୍ଯ୍ୟ, ମାଲା ମିଶ୍ର, ସୁଶ୍ରୀ ସଙ୍ଗୀତା ପରିଡ଼ା, ଲିଲିନା ମିଶ୍ର, ଅଲିଭା ଦାସ ଓ ସରୋଜ ଅଗ୍ରୱାଲ।

ସମ୍ବନ୍ଧିତ ଖବର