କଟକରୁ ଉଠିଯିବ ଅବକାରୀ ଲାବରେଟୋରି! ମାର୍ଚ୍ଚ ଶେଷ ସୁଦ୍ଧା ଭୁବନେଶ୍ବର ସ୍ଥାନାନ୍ତର ଯୋଜନା

କଟକ: କଟକରୁ ପୁଣି ଏକ ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଉଠାଇ ନେବାର ଯୋଜନା ଚାଲିଛି। କଟକ ବୋର୍ଡ ଅଫ୍ ରେଭିନ୍ୟୁରେ ଥିବା ଡିଭିଜନଲାନ୍ ଏକ୍ସାଇଜ୍ ଟେଷ୍ଟିଂ ଲାବରେଟୋରିକୁ ମାର୍ଚ୍ଚ ଶେଷ ସୁଦ୍ଧା ଭୁବନେଶ୍ବର ଉଠାଇ ନେବାକୁ ଯୋଜନା ଚାଲିଛି। ଓଡ଼ିଶାର ୧୦ଟି ଜିଲ୍ଲାରେ ଜବତ ନିଶା ସାମଗ୍ରୀର ପରୀକ୍ଷା ଏହି କେନ୍ଦ୍ରରେ କରାଯାଉଥିଲା। ତେବେ ଏଭଳି ସ୍ଥାନାନ୍ତର ଯୋଜନାର କାରଣ ଜଣା ନଥିବା ବେଳେ ଏହାକୁ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦିଷ୍ଟ ପକ୍ଷ ଯୋଜନା ଚଳାଇଥିବା ସୂଚନା ମିଳିଛି।
ଅବକାରୀ ବିଭାଗ ଜବତ କରୁଥିବା ମଦ ସମେତ ଗଞ୍ଜେଇ, ଅଫିମ, ବ୍ରାଉନସୁଗାର ଇତ୍ୟାଦି ନିଶା ସାମଗ୍ରୀ ଭୁବନେଶ୍ବର ନନ୍ଦନକାନର ରୋଡ୍‌ରେ ଥିବା ରାଜ୍ୟ ଡ୍ରଗ୍ ଟେଷ୍ଟିଂ ଏଣ୍ଡ ରିସର୍ଚ୍ଚ ଲାବରେଟୋରିରେ ପରୀକ୍ଷା ହୋଇ ଆସୁଥିଲା। ଏହି ଲାବରେଟୋରି ୧୯୭୪ରେ ଖୋଲିଥିଲା। ସାରା ରାଜ୍ୟରେ ଅବକାରୀ ଓ ପୁଲିସ ଜବତ କରୁଥିବା ନିଶା ସାମଗ୍ରୀ ଗୋଟିଏ ସ୍ଥାନରେ ପରୀକ୍ଷା ହେବା ଫଳରେ ମାମଲାର ଅତିରିକ୍ତ ବୋଝ ଏଠାକାର କର୍ମଚାରୀଙ୍କ ଉପରେ ବୃଦ୍ଧି ପାଇଥିଲା। ସମୟକ୍ରମେ ୨୦୧୨ରେ କଟକ ଓ ଖୋର୍ଧାରେ ମଦମୃତ୍ୟୁ ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା। ବିଷାକ୍ତ ମଦ ପିଇ ୪୩ ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ନାଇଡୁ କମିସନଙ୍କ ସୁପାରିସ ଆଧାରରେ ରାଜ୍ୟରେ ତିନୋଟି ଡିଭିଜନାଲ ଏକ୍ସାଇଜ୍ ଟେଷ୍ଟିଂ ଲାବରେଟୋରି ଖୋଲିଥିଲା। କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଏହି ତିନୋଟି ଲାବରେଟୋରି ଖୋଲିଥିଲା। ତେବେ କଟକ ଲାବରେଟୋରି ଅଧୀନରେ କଟକ ସମେତ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଧା, ନୟାଗଡ଼, ପୁରୀ ଜିଲ୍ଲା ରହିଛି। ଏହି ଜିଲ୍ଲାଗୁଡ଼ିକରେ ଅବକାରୀ ଅଧିକାରୀ ଜବତ କରୁଥିବା ନିଶା ସାମଗ୍ରୀ ନମୁନାଗୁଡ଼ିକ କଟକ ଲାବରେଟୋରିରେ ପରୀକ୍ଷା କରିବା ପରେ ଅଦାଲତରେ ଦାଖଲ କରୁଥିଲେ। ଉପରୋକ୍ତ ଜିଲ୍ଲାଗୁଡ଼ିକର କେନ୍ଦ୍ରସ୍ଥଳୀ ଭାବେ ୧୧ ବର୍ଷ ତଳେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କିନ୍ତୁ ଏବେ କଟକ ବୋର୍ଡ ଅଫ୍ ରେଭିନ୍ୟୁରେ ଥିବା ଏହି ଲାବରେଟୋରିକୁ ଭୁବନେଶ୍ବର କଳ୍ପନା ଛକ ନିକଟରେ ଥିବା ସଦର ଇନସ୍ପେକ୍ଟରଙ୍କ କାର୍ଯ୍ୟାଳୟ ନିକଟକୁ ସ୍ଥାନାନ୍ତର ହୋଇଯିବ। ସେଠାରେ ଥିବା ଖାଲି ସ୍ଥାନକୁ ଏହାକୁ ସ୍ଥାନାନ୍ତର କରାଯିବ। କଟକ କୃଷକବଜାର ଆଖପାଖରେ ଖାଲି ସ୍ଥାନ ଥିବା ସତ୍ତ୍ବେ ଏହାକୁ ଭୁବନେଶ୍ବର ସ୍ଥାନାନ୍ତର ଘଟଣା ପଛର ରହସ୍ୟ ସ୍ପଷ୍ଟ ହୋଇପାରୁନାହିଁ। ରାଜ୍ୟ ଡ୍ରଗ୍ ଟେଷ୍ଟିଂ ଏଣ୍ଡ ରିସର୍ଚ୍ଚ ଲାବରେଟୋରି ଭୁବନେଶ୍ବରରେ ଥିବା ସତ୍ତ୍ବେ ସେଠାକୁ କଟକରୁ ପୁରାତନ ଲାବରେଟୋରି ସ୍ଥାନାନ୍ତରକୁ ନେଇ ଉପକୂଳ ଜିଲ୍ଲାର ଅବକାରୀ ଅଧିକାରୀମାନେ ନାପସନ୍ଦ କରିଛନ୍ତି। ନମୁନା ଦାଖଲ କରିବାକୁ ଆସୁଥିବା ଅବକାରୀ ଅଧିକାରୀଙ୍କ ଯିବାଆସିବାରେ ଅଯଥା ସମୟ ବି ଅପଚୟ ହେବ।

ପୂର୍ବରୁ ଭୁବନେଶ୍ବର କଳ୍ପନା ଛକରେ ଥିବା କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଓ ସ୍ପେଶାଲ ଟାସ୍କ ଫୋର୍ସ କୋଠାରେ କଟକ ବକ୍ସିବଜାରରେ ଥିବା ଏସଏପି(ସ୍ବତନ୍ତ୍ର ସଶସ୍ତ୍ର ବଳ)ଙ୍କ ନୂଆ କାର୍ଯ୍ୟାଳୟ ଖୋଲାଯାଇଥିଲା। ପରେ କଟକ ପୁଲିସ ମୁଖ୍ୟାଳୟରେ ଥିବା ରେଳବାଇ ଆଇଜିଙ୍କ କାର୍ଯ୍ୟାଳୟ କଳ୍ପନା ଛକରେ ପୁରୁଣା ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏହା ପରେ କ୍ରାଇମବ୍ରାଞ୍ଚର ଵାଇଲ୍ଡ ଲାଇଫ୍ ସେଲ୍ ଓ ସାଇବର୍ ସେଲ୍ ସ୍ଥାନାନ୍ତର ପାଇଁ ଯୋଜନା ହୋଇଥିଲା। କିନ୍ତୁ ଏ ସଂକ୍ରାନ୍ତରେ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚର ଏହି ନିଷ୍ପତ୍ତିରୁ ଓଡ଼ିଶା ପୁଲିସ ଓହରିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ରାଣୀହାଟ ଭେଟନାରି ଓ ଫିସରି ନିର୍ଦ୍ଦେଶାଳୟକୁ ଭୁବନେଶ୍ବର ସ୍ଥାନାନ୍ତର ପାଇଁ ହୋଇଥିବା ନିଷ୍ପତ୍ତି ସ˚ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ଏହାର ସ୍ଥାନାନ୍ତର ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ସହ ସରକାରଙ୍କୁ ନୋଟିସ୍‌ ଜାରି କରିଥିଲେ। ଏବେ ପୁଣି ଅବକାରୀ ବିଭାଗର ବିଚିତ୍ର ନିଷ୍ପତ୍ତିକୁ ପ୍ରଥମେ ବିଭାଗ ଭିତରେ ହିଁ ଅଧିକାରୀମାନେ ବିରୋଧ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର