କୁମ୍ଭିକୋଟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୨ ବାଇକ୍ ଆରୋହୀ ମୃତ, ଜାତୀୟ ରାଜପଥ ଅବରୋଧ

ରାୟଗଡ଼ା: ୩୨୬ ନଂ ଜାତୀୟ ରାଜପଥର କୁମ୍ଭିକୋଟା ନିକ‌ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି। କୁମ୍ଭିକୋଟା ଫାଣ୍ଡି ଓ ରାୟଗଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବାକୁ ଉଦ୍ୟମ ଜାରି ରଖିଛି।

ରାୟଗଡ଼ା ବ୍ଲକ୍ ଚେକା ଗ୍ରାମର ଦୁଇ ଯୁବକ କୌଣସି କାମରେ ବାଇକ୍ ଯୋଗେ କୁମ୍ଭିକୋଟା ଅଭିମୁଖେ ଆସୁଥିଲେ। ରାତି ପ୍ରାୟ ୧୦ଟା ସମୟରେ ଏକ ଅଜଣା ଗାଡ଼ି ଦୁଇ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇବା ପରେ ଅଜଣା ଗାଡ଼ି ଫେରାର୍ ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ମୁମୂର୍ଷ ଅବସ୍ଥାରେ ରାସ୍ତା ଉପରେ ଯୁବକ ଦୁଇ ପଡି ରହିଥିବାରୁ ତୁରନ୍ତ ସେମାନଙ୍କୁ ମେଡ଼ିକାଲ୍ ପଠାଇବା ପାଇଁ ଗ୍ରାମବାସୀ ଉଦ୍ୟମ କରିଥିଲେ। କିନ୍ତୁ କିଛି ସମୟ ମଧ୍ୟରେ ହିଁ ଘଟଣାସ୍ଥଳରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଦୁଇ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତା ଉପରେ ମର ଶରୀର ରଖି ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ କୋରାପୁଟ-ରାୟଗଡ଼ା-ବ୍ରହ୍ମପୁର ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉତ୍ତ୍ୟକ୍ତ ଲୋକଙ୍କୁ ପୁଲିସ୍ ବୁଝାଶୁଝା କରିବା ସହ ରାଜପଥ ଅବରୋଧ ହଟାଇବା ନେଇ ଉଦ୍ୟମ କରୁଥିବା ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର