ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣା: ମନଇଚ୍ଛା ଭଡ଼ା ନେଇଛନ୍ତି ବସ୍‌ ମାଲିକ! ଅଭିଯୋଗ ଆସିଲେ କାର୍ଯ୍ୟନୁଷ୍ଠାନ ନେବ ଏସ୍‌ଟିଏ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ ୨ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣା ହେବା ପରେ ଭଦ୍ରକ୍‌ ଷ୍ଟେସନ୍‌ ଠାରୁ ହାୱଡା ଅଭିମୁଖେ ୪୫ଟି ଟ୍ରେନ୍‌ ବାତିଲ ହୋଇଯାଇଛି। ଫଳରେ ଲୋକଙ୍କୁ ଏବେ ସଡ଼କପଥରେ ଯାତାୟତ କରିବାକୁ ପଡୁଛି। ତେଣୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଟ୍ରେନ୍‌ ଦୁର୍ଘଟଣାରୁ ଲାଭ ଉଠାଇବା ପାଇଁ ଏବେ କିଛି ସ୍ବତନ୍ତ୍ର ବସ୍‌ଗୁଡ଼ିକ ମନଇଚ୍ଛା ଭଡା ନେଉଥିବା ଅଭିଯୋଗ ହେଉଛି। ଯାହାଫଳରେ ବିପଦରେ ରହି ମଧ୍ୟ ଯାତ୍ରୀମାନେ ଶୋଷଣର ସାମ୍ନା କରୁଛନ୍ତି।

ଯାତ୍ରୀମାନଙ୍କ ଠାରୁ ଅଧିକ ଭଡ଼ା ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଷ୍ଟେଟ୍‌ ଟ୍ରାନ୍ସପୋର୍ଟ ଅଥରିଟି) ଅବଗତ ରହିଛି। ଏନେଇ ଏସ୍‌ଟିଏ ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ବର, ବାଲେଶ୍ବର, ପୁରୀ, କଟକର ଆରଟିଓ ଦଳ ଅଟକି ରହିଛନ୍ତି। ଯାତ୍ରୀମାନଙ୍କ ପାଇଁ ବସ୍‌ ବ୍ୟବସ୍ଥା କରିଛନ୍ତି। ଯଦି କୌଣସି ବସ୍‌ ଅତିରିକ୍ତ ଭଡା ଆଦାୟ କରୁଛନ୍ତି ଏବଂ ପୁରୀ/ଭୁବନେଶ୍ବରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିବା ଲୋକଙ୍କୁ ହଇରାଣ କରୁଛନ୍ତି, ତେବେ ବସ୍‌ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଗତକାଲି କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧)ଟ୍ରେନ୍‌ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌ (୧୨୮୬୪) ଧକ୍କା ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ୨୩୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇସାରିଛି। ଆହୁରି ପ୍ରାୟ ୭୦୦ ଲୋକଙ୍କର ଚିକିତ୍ସା ଜାରି ରହିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଉଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ ହେବା ପାଇଁ ଆହୁରି ୩ ଘଣ୍ଟା ଲାଗିପାରେ। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର