ଜାନୁଆରି ଶେଷ ସୁଦ୍ଧା ୧୫-୧୮ ବୟସ ବର୍ଗଙ୍କ ଟିକାକରଣ ଶେଷ କରିବାକୁ ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ଜାନୁଆରି ୩ରୁ ଆରମ୍ଭ ହେବ ଟିକାକରଣର ନୂଆ ଅଭିଯାନ। ୧୫-୧୮ ବୟସ ବର୍ଗଙ୍କୁ ଦିଆଯିବ କରୋନା ଟିକା। ଏନେଇ ଗତକାଲିଠାରୁ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ଆଜି ସୁଦ୍ଧା ୩.୫ ଲକ୍ଷରୁ ଊର୍ଦ୍ଧ୍ବ ୧୫ ରୁ ୧୮ ବର୍ଷ ବୟସ ବର୍ଗର ହିତାଧିକାରୀ ପଞ୍ଜିକରଣ କରାଇଥିବା ଜଣାପଡ଼ିଛି। ତେବେ ଜାନୁଆରି ମାସ ଭିତରେ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଟିକାକରଣ ପାଇଁ ଶିକ୍ଷା ବିଭାଗ ସହ ସମନ୍ୱୟ ରଖିବାକୁ ଜିଲ୍ଲାପାଳ ଓ ସିଡିଏଓଙ୍କୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଟିକାକରଣ ପାଇଁ ଯୋଗ୍ୟ ପିଲାମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ସିଡିଏମଓଙ୍କୁ ଦେବେ।  ସିଡିଏମଓ ତାଲିକା ପାଇବା ପରେ ଏକ ତାରିଖ ଧାର୍ଯ୍ୟ କରିବା ସହ ସ୍କୁଲରେ ଟିକାକରଣ ପାଇଁ ବ୍ୟବସ୍ଥା କରିବେ। ଟିକାକରଣ ପାଇଁ ସ୍କୁଲ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ଟିକା ନେବା ପାଇଁ କୋୱିନ ଆପ ମାଧ୍ୟମରେ କିମ୍ବା ଟିକାକରଣ କ୍ୟାମ୍ପକୁ ଯାଇ ପଞ୍ଜିକରଣ କରିହେବ। ୧୫ ରୁ ୧୮ ବର୍ଷ ବୟସ ବର୍ଗଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବା ସହ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଯେମିତି ଟିକା ନେବେ ତାହା ସ୍କୁଲର ମୁଖ୍ୟ ସୁନିଶ୍ଚିତ କରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ତେବେ ଆସନ୍ତା କାଲିଠାରୁ ସାରା ଦେଶରେ ୧୫ରୁ ୧୮ ବର୍ଷୀୟ ପିଲାଙ୍କ ଟିକାକରଣ ଆରମ୍ଭ ହେଉଥିବାବେଳେ, ଓଡିଶାରେ କିନ୍ତୁ ମାଟ୍ରିକ ପିଲା ୮ ତାରିଖ ପରେ ଟିକା ନେବେ । ଆସନ୍ତା ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ହେବାକୁ ଅଛି । ତେଣୁ ଏହାକୁ ଆଖି ଆଗରେ ରଖି ୮ ତାରିଖ ପରେ ମାଟ୍ରିକ ପିଲାଙ୍କ ଟିକାକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସମ୍ବନ୍ଧିତ ଖବର