କୋଟିଆରେ ସର୍ବଦଳୀୟ ଆଲୋଚନା ବିଫଳ: ବୁଝାସୁଝା ସତ୍ତ୍ବେ ମାନିଲେନି ଟିକାଇ ଓ ସାବିନା

କୋରାପୁଟ : ସର୍ବଦଳୀୟ କମିଟି‌ର ନିଷ୍ପତ୍ତିରେ ସହମତି ହୋଇପାରୁନାହାନ୍ତି ଦୁଇ ଜିଲ୍ଲା ପରିଷଦ ପ୍ରାର୍ଥୀ ଟିକାଇ ଗେମେଲ ଏବଂ ସାବିନା ବୁଡ଼ିଆ। ଆଜି ପୁଣି ବହୁ ସମୟ ଧରି ବୁଝାସୁଝା ସତ୍ତ୍ବେ ନିଜ ନିଜ ଜିଦ୍‌ରେ ଦୁହେଁ ଅଟଳ ରହିଛନ୍ତି। ଏପରିକି ଯେଉଁ ଯୁକ୍ତି ଉପସ୍ଥାପନ କରିଛନ୍ତି ତାହା ବି ସର୍ବଦଳୀୟ କମିଟିର ଚିନ୍ତାକୁ ବଢ଼ାଇ ଦେଇଛି। ତେଣୁ କୋଟିଆ ପ୍ରସଙ୍ଗରେ ସର୍ବଳଦୀୟ ନେତା ନେଇଥିବା ନିଷ୍ପତ୍ତିକୁ ନେଇ ଏବେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଯଦି ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦୁଇ ପ୍ରାର୍ଥୀ ରାଜି ନ ହୁଅନ୍ତି ତେବେ ବିଷମ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି।

ବିବାଦୀୟ ସ୍ଥିତିକୁ ଏଡ଼ାଇବା ଏବଂ କୋଟିଆର ଅଖଣ୍ଡାତକୁ ଦୃଷ୍ଟିରେ ରଖି ପ୍ରମୁଖ ରାଜନୈତିକ ଦଳ ବିନା ନିର୍ବାଚନ ଏବଂ ସହମତି ଭିତ୍ତିରେ ଲୋକପ୍ରତିନିଧି ଚୟନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ଜଣେ ପ୍ରାର୍ଥୀଙ୍କୁ ସମସ୍ତ ଦଳ ମନୋନୀତ କରିବା ପରେ ଗତକାଲି ପ୍ରାର୍ଥିପତ୍ର ଦାଖଲ ହୋଇଥିଲା। କିନ୍ତୁ ସର୍ବଦଳୀୟ କମିଟିର ନିଷ୍ପତ୍ତି ‌ବିରୋଧରେ ଦୁଇ ମହିଳା ପ୍ରାର୍ଥୀ ଟିକାଇ ଓ ସବିନା ନାମାଙ୍କନ ଦାଖଲ କଲେ। ଯାହାକି କୋଟିଆକୁ ନେଇ ଆରମ୍ଭ ହୋଇଥିବା ରାଜନୀତିକୁ ଅଧିକ ଜଟିଳ ଓ ସରଗରମ କରିଛି। ସର୍ବଦଳୀୟ ନେତା ବୁଝାସୁଝା କରିବାକୁ ପ୍ରୟାସ ଜାରି ରଖି ଆଜି ପୁଣି ଦୁଇ ପ୍ରାର୍ଥୀଙ୍କୁ ବୁଝାସୁଝା କରିଛନ୍ତି। ସେହିପରି ସରପଞ୍ଚ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ୯ଜଣ ସରପଞ୍ଚ ପ୍ରାର୍ଥୀଙ୍କ ସହ ଆଲୋଚନା ହୋଇଥିଲା। ସର୍ବଦଳୀୟ କମିଟିର ସଦସ୍ୟ ଭାବେ ପଟାଙ୍ଗି ବିଧାୟକ ପୀତମ ପାଢୀ, କୋରାପୁଟ ବିଧାୟକ ରଘୁରାମ ପୋଡାଲ, ବିଜେଡି ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀ, ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ପ୍ରଫୁଲ୍ଲ ପାଙ୍ଗୀ, ବିଜେପି ନେତା ଜୟରାମ ପାଙ୍ଗୀଙ୍କ ସହ ବହୁ ନେତା ଆଜି କୋଟିଆରେ ଚର୍ଚ୍ଚା କରିଥିଲେ। କିନ୍ତୁ ଏହି ଆଲୋଚନା ବିଫଳ ହୋଇଥିବା ସୂଚନା ମିଳିଛି।

Sambad

ଟିକାଇଙ୍କୁ ଦୋରା, କନ୍ଧ ସମାଜ ସମର୍ଥନ କରୁଥିବା ବେଳେ ସବିନାଙ୍କ ସପକ୍ଷରେ ବୁଡ଼ିଆ ସମାଜ ରହିଛି। ଗତ ଦିନରେ ଖଣି ଖନନ ପାଇଁ ହୋଇଥିବା ଜନଶୁଣାଣି ସମୟରେ କୌଣସି ରାଜନ‌ୈତିକ ଦଳ ସମର୍ଥନ କରି ନଥିଲା। କିନ୍ତୁ ଏବେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ କାହିଁକି କୁହାଯାଉଛି ବୋଲି ଉଭୟ ସ୍ବାଧୀନ ପ୍ରାର୍ଥୀ ପ୍ରଶ୍ନ କରିଛନ୍ତି। ଏହାପରେ ଯେଉଁ ଯୁକ୍ତି ଉପସ୍ଥାପନ କରିଥିଲେ ତାହାର ଉତ୍ତର ବି ସର୍ବଦଳୀୟ ନେତାଙ୍କ ନିକଟରେ ନଥିଲା। ଯାହାଫଳରେ ଆଜିର ଆଲୋଚନା ବିଫଳ ହୋଇଥିବା ବେଳେ ପୁଣି ବୁଝାସୁଝା କରାଯିବ ବୋଲି ସୂଚନା ମିଳିଛି। ତେବେ ଏହା କେତେ ଦୂର ସଫଳ ହେବ ତାହା ବଡ଼ ପ୍ରଶ୍ନ।

ଏ ନେଇ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କହିଛନ୍ତି, ସବୁ ନାଗରିକଙ୍କ ପରି କୋଟିଆବାସୀଙ୍କ ମତଦାନ ଅଧିକାର ରହିଛି। କାହିଁକି ଓ କେଉଁ ପରିସ୍ଥିତିରେ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି। ରାଜ୍ୟ ନିର୍ବାଚନ ଆୟୋଗ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ କହିଛନ୍ତି, କୋଟିଆରେ ଆନ୍ଧ୍ରର କିଛି ସମର୍ଥକ ସରପଞ୍ଚ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଯଦି ସେମାନେ ସରପଞ୍ଚ ହୁଅନ୍ତି ତେବେ ଓଡ଼ିଶା ପାଇଁ ଆଦୌ ଶୁଭଙ୍କର ନୁହଁ। ତେଣୁ ସେମାନଙ୍କ ସହ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ। କୋରାପୁଟ ବିଧାୟକ ରଘୁରାମ ପୋଡାଲ କହିଛନ୍ତି, ସର୍ବସମ୍ମତି କ୍ରମେ ମମତା ଜାନୀଙ୍କୁ ପ୍ରାର୍ଥୀ କରାଯାଇଥିଲା। ହେଲେ ଟିକାଇ ଓ ସବିନା ପ୍ରାର୍ଥ ହୋଇଥିବାରୁ ବୁଝାସୁଝା ଚାଲିଛି। ସେମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ନା ନାହିଁ ଖୁବଶୀଘ୍ର ଜଣାପଡିବ। ବିଜେଡି ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀ କହିଛନ୍ତି, ଆଜି ସର୍ବଦଳୀୟ ବୈଠକ ବସିଥିଲା। ମମତା ଜାନୀ, ଟିକାଇ ଗେମେଲ ଓ ସବିନା ବୁଡିଆଙ୍କ ପ୍ରାର୍ଥିତ୍ବ ସଂପର୍କରେ ଆଲୋଚନ ହୋଇଛି। ଏହାସହ କୋଟିଆରୁ ୯ଜଣ ସରପଞ୍ଚ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର