ମୃତ ରୋଗୀଙ୍କ ଚିକିତ୍ସା ଦାବିରେ ଡାକ୍ତରଖାନାରେ ଉତ୍ତେଜନା : ସମ୍ପର୍କୀୟଙ୍କ ମାଡ଼ରେ ଡାକ୍ତର ଲହୁଲୁହାଣ

ଅଭିଯୁକ୍ତଙ୍କ ଗିରଫ ଦାବିରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ

ବାଣପୁର : ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ଜଣେ ରୋଗୀକୁ ଡାକ୍ତର ମୃତ ଘୋଷିତ କରିବା ସତ୍ତ୍ୱେ ସମ୍ପର୍କୀୟମାନେ ଚିିକିତ୍ସା କରିବାକୁ ଦାବି କରି ହଙ୍ଗାମା କରିଛନ୍ତି। ଏପରିକି କାର୍ଯ୍ୟରତ ଡାକ୍ତର ଏବଂ ଫାର୍ମାସିଷ୍ଟଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ କର୍ମଚାରୀ ଧାରଣାରେ ବସି ସେମାନଙ୍କୁ ସୁରକ୍ଷା ଯୋଗାଇବା ସହ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବି କରଛନ୍ତି। ଖବର ଲେଖା ହେଲା ସୁଦ୍ଧା ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ୨୪୦ କର୍ମଚାରୀ ଧାରଣାରେ ରହିଛନ୍ତି।

ସୂଚନାନୁଯାୟୀ, ରବିବାର ପୂର୍ବାହ୍ନରେ ନିକଟ ଖୁଣ୍ଟପଲ୍ଳୀ ଗ୍ରାମର ବିଦ୍ୟୁତ୍‌ ଆଘାତପ୍ରାପ୍ତ ପ୍ରଶାନ୍ତ ସାହୁ(୨୨)ଙ୍କୁ ଅଚେତ ଅବସ୍ଥାରେ ସମ୍ପର୍କୀୟମାନେ ଧରି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ତେବେ ପ୍ରଶାନ୍ତଙ୍କୁ ପରୀକ୍ଷା କରି ଡାକ୍ତର ନିରାକାର ପାଲ ମୃତ ଘୋଷଣା କରିଥିଲେ। ତେବେ କିଛି ସମୟ ପରେ ପ୍ରଶାନ୍ତଙ୍କ ଶରୀର ହଲଚଲ ହେଉଥିବା ଦାବି କରି ତାଙ୍କ ସମ୍ପର୍କୀୟଙ୍କ ସହ କିଛି ଗ୍ରାମବାସୀ ପୁଣି ଚିକିତ୍ସା କରିବା ଲାଗି ଡାକ୍ତରଙ୍କୁ ବାଧ୍ୟ କରିଥିଲେ। ସେହି ସମୟରେ ଡା. ପାଲ ବାଥରୁମ୍‌ରେ ଥିବାରୁ ଉପସ୍ଥିତ ଥିବା ଡା. ଦିଲ୍ଳୀପ କୁମାର ମଲ୍ଳିକ ଆସିଥିଲେ ଏବଂ ସେ ମଧ୍ୟ ରୋଗୀକୁ ମୃତ ବୋଲି ଘୋଷଣା କରିଥିଲେ। ତେବେ ଗ୍ରାମବାସୀମାନେ ପ୍ରଶାନ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ ସ୍ଥାନାନ୍ତର ଲାଗି ଅନୁମୋଦନ କରିବାକୁ ଡାକ୍ତରଙ୍କୁ କହିଥିଲେ। ମାତ୍ର ମୃତବ୍ୟକ୍ତିଙ୍କୁ ଆଉ କୌଣସି ଚିକିତ୍ସାଳୟକୁ ପଠାଇବା ଅନୁଚିତ ଦର୍ଶାଇ ଡାକ୍ତର ନିଜର ଅକ୍ଷମତା ପ୍ରକାଶ କରିଥିଲେ।

ଏଥିରେ ଉତ୍ତ୍ୟକ୍ତ ହୋଇ ଉପସ୍ଥିତ ଲୋକେ ଡା.ମଲ୍ଳିକଙ୍କୁ ମାରଧର କରିବାରୁ ସେ କୌଣସି ମତେ ପଳାଇ ଏକ କୋଠରୀରେ ପଶିଯାଇଥିଲେ। ପରେ ଉତ୍ତ୍ୟକ୍ତ ଲୋକେ ବାଥରୁମ୍‌ରେ ଥିବା ଡା. ପାଲ୍‌ଙ୍କୁ ଜବରଦସ୍ତ ଧରିଆଣି ମାଡ଼ମାରି ରକ୍ତାକ୍ତ କରିଦେଇଥିଲେ। ତାଙ୍କର ଗୋଟିଏ ଆଙ୍ଗୁଠି ଫାଟିଯାଇଥିବା ବେଳେ ମୁଣ୍ଡ ଓ ଗୋଡ଼ରେ ମଧ୍ୟ ଆଘାତ ଲାଗିଛି। ସେଠାରେ ଥିବା ଫାର୍ମାସିଷ୍ଟ ରବୀନ୍ଦ୍ରକୁମାର ପାଢ଼ୀ ମଧ୍ୟ ସେମାନଙ୍କ ଆକ୍ରମଣରେ ଆହତ ହୋଇଥିଲେ। ପରେ ପ୍ରଶାନ୍ତଙ୍କୁ ସ୍ଥାନାନ୍ତର ପାଇଁ ଡାକ୍ତରଙ୍କଠାରୁ ଜବରଦସ୍ତ ଅନୁମୋଦନପତ୍ର ଲେଖାଇ ନେଇଥିଲେ। ଘଟଣା ଉତ୍ତେଜନାପୂର୍ଣ୍ଣ ହେବାରୁ ଡାକ୍ତରଖାନା ପକ୍ଷରୁ ପୁଲିସକୁ ଖବର ଦିଆଯାଇଥିଲା। ତେବେ ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଥିଲେ ମଧ୍ୟ କାହାରିକୁ ଏଯାଏ ଗିରଫ କରିନାହିଁ। ଫଳରେ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀମାନେ ପୂର୍ବାହ୍ଣରୁ ଅଦ୍ୟାବଧି ଧାରଣା ଜାରି ରଖିଛନ୍ତି। ଏଣେ ମୃତ ପ୍ରଶାନ୍ତଙ୍କୁ ଧରି ସମ୍ପର୍କୀୟମାନେ ବ୍ରହ୍ମପୁର ଯିବା ପରିବର୍ତ୍ତେ ଭୁବନେଶ୍ୱର ଏମ୍‌ସକୁ ନେଇଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର