ଗୁଣିଗାରେଡ଼ି ସନ୍ଦେହରେ ବର୍ବରତା : ଗାଁ ଦାଣ୍ଡରେ ମହିଳାଙ୍କୁ ନିର୍ଯାତନା

ପୁଅ, ବୋହୂ ରଚିଥିଲେ ଷଡ଼୍‌ଯନ୍ତ୍ର, ରେକର୍ଡ ହେଲା ପୀଡ଼ିତାଙ୍କ ବୟାନ

ଗୁଣପୁର : ରାୟଗଡ଼ା ଜିଲ୍ଲାରେ ଅନ୍ଧବିଶ୍ବାସର ଶିକାର ହୋଇଛନ୍ତି ପୁଣି ଜଣେ ମହିଳା। ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କ ଉପରେ ହୋଇଛି ଅକଥନୀୟ ନିର୍ଯାତନା। ଘରୁ ଘୋଷାରି ନେଇ ଗାଁ ଦାଣ୍ଡରେ ବାନ୍ଧି ନିସ୍ତୁକ ମାଡ଼ ମରା ଯାଇଛି। ଜୀବନରେ ମାରି ଦେବାକୁ ମଧ୍ୟ ଧମକ ଦିଆଯାଇଥିଲା। ଏପରିକି ସାରାରାତି ଭୋକ ଉପାସରେ ଖୋଲା ଆକାଶ ତଳେ ବିତାଇଥିଲେ ମହିଳା ଜଣକ। ବଡ଼କଥା ହେଲା ମହିଳାଙ୍କ ପୁଅ, ବୋହୂଙ୍କ କଥାରେ ପଡ଼ି ଗ୍ରାମବାସୀ ଏଭଳି ବର୍ବରକାଣ୍ଡ ଘଟାଇଛନ୍ତି। ଖବର ପାଇ ପୁଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ ଆଜି କୋର୍ଟରେ ୧୬୪ଧାରା ଅନୁଯାୟୀ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି।

ସୂଚନା ଅନୁଯାୟୀ, ରାମନାଗୁଡ଼ା ବ୍ଲକ ଗୁଲୁମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବନ୍ଧୁଗୁଡ଼ା ଗାଁର ବୁଡ଼ୁ ଶବରଙ୍କ ପତ୍ନୀ ହାଡ଼ି ଶବର (୫୪)ଙ୍କ ଉପରେ ଗତ ୫ତାରିଖ ଦିନ ଅତର୍କିତ ଆକ୍ରମଣ ହୋଇଥିଲା। ନିଜ ପୁଅ ହେମନ୍ତ ଶବର ଓ ବୋହୂ ଯଶୋଦା ଶବରର ପ୍ରୋରଚନାରେ ହିଁ ଗାଁର କିଛି ପୁରୁଷ ଏବଂ ମହିଳା ତାଙ୍କୁ ଘରୁ ଘୋଷାରି ନେଇ ଗାଁ ଦାଣ୍ଡରେ ଗୋଟିଏ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇଥିଲେ। ଏହାପରେ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ। ଗୁଣିଗାରେଡ଼ି କରି ଲୋକଙ୍କୁ ହତ୍ୟା କରୁଥିବା ଅଭିଯୋଗ କରି ଗାଁ ଲୋକେ ନିସ୍ତୁକ ପିଟିଥିଲେ। ଆଗକୁ ଯଦି ଏହା ବନ୍ଦ ନହୁଏ ତେବେ ଜୀବନରେ ମାରି ଦେବାକୁ କହି ଅସ୍ତ୍ରଶସ୍ତ୍ର ଦେଖାଇଥିଲେ। ମହିଳା ଜଣକ ଏଭଳି ଆକ୍ରୋଶର ଶିକାର ହୋଇ କାକୁତିମିନତି ହୋଇଥିଲେ ସୁଦ୍ଧା କେହି କିଛି ଶୁଣି ନଥିଲେ। ଅନ୍ଧାର ହୋଇଯିବାରୁ ସମସ୍ତେ ଘରକୁ ଚାଲି ଯାଇଥିବାବେଳେ ମହିଳାଙ୍କୁ ସେମିତି ଖୁଣ୍ଟରେ ବନ୍ଧା ଅବସ୍ଥାରେ ଛାଡ଼ି ଆସିଥିଲେ। ସାରା ରାତି ଭୋକରେ ବିତାଇବା ପରେ ପରଦିନ ସକାଳେ କୌଣସି ସୂତ୍ରରୁ ଖବର ପାଇ ଗୁଣପୁର ପୁଲିସ ଗାଁରେ ପହଞ୍ଚିଥିଲା। ଉଦ୍ଧାର କରିବା ବେଳକୁ ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ପୁଲିସ ଭର୍ତ୍ତି କରିଥିଲା। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ଗତ ୧୫ତାରିଖ ଦିନ ପୁଲିସ ବୟାନ ରେକର୍ଡ କରି ମାମଲା ରୁଜୁ କରିଥିଲା। ଏହାପରେ ମହିଳାଙ୍କ ପୁଅ ହେମନ୍ତ ଶବର, ବୋହୂ ଯଶୋଦା ଶବରଙ୍କ ସହ ଗ୍ରାମର ମଣିକଣ୍ଠ ଶବର, ପେଦିଙ୍ଗି ଶବର, ନୀଳକଣ୍ଠ ଶବର, ରମ୍ଭା ଶବର, ଯୋଗେନ୍ଦ୍ର ଶବର, ଦେବଦାସ ଶବର, ସୃଜନ ଶବର, ପ୍ରସାଦ ଶବର, ଶିବ ଶବର, ରମେଶ ଶବର, ଭରତ ଶବର, ରଶ୍ମିତା ଶବର, ଶାନ୍ତି ଶବର ପ୍ରମୁଖଙ୍କୁ ଥାନାକୁ ନେଇ ପୁଲିସ ପଚରାଉଚୁରା କରି ଛାଡ଼ି ଦେଇଛି। ଆଜି ଗୁଣପୁର କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ସୂଚନା ମିଳିଛି।

ଘଟଣାଟି ସମ୍ଭେଦନଶୀଳ ହୋଇଥିବା ବେଳେ ନିଜ ପୁଅ, ବୋହୂଙ୍କ ସଂପୃକ୍ତି ଚକିତ କରିଛି। ତେବେ ଶୁଣିବାକୁ ମିଳୁଛି ଯେ, ପୀଡ଼ିତାଙ୍କ ଦେଢ଼ ବର୍ଷର ନାତୁଣୀ ଜ୍ବରରେ ଆକ୍ରାନ୍ତ ହୋଇଥିଲା। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ପାରଳାଖେମୁଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା। ଝିଅର ଏଭଳି ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲେ ହେମନ୍ତ ଓ ଯଶୋଦା। ସନ୍ତାନ ହରାଇବାର ଯନ୍ତ୍ରଣା ମଧ୍ୟରେ ଦଂପତି ରହିଥିବା ବେଳେ ଦିନେ ଗାଁର ମଣିକଣ୍ଠା ଶବର ଶରୀରରେ କାଳିସୀ ଲାଗିଥିଲା। ଗୁଣିଗାରେଡ଼ି ଯୋଗୁଁ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଏବଂ ଏଥିପାଇଁ ହାଡ଼ି ଶବର ହିଁ ଦାୟୀ ବୋଲି କାଳିସୀ କହିଥିଲା। ଯାହାକୁ ପୁଅ, ବୋହୂ ବିଶ୍ବାସ କରିଥିଲେ ଏବଂ ସେମାନଙ୍କ ମା’ ଗୁଣିଗାରେଡ଼ି କରୁଥିବା ନେଇ ଗ୍ରାମବାସୀଙ୍କୁ ବାରମ୍ବାର କହିଥିଲେ। ପରିବାର ସଦସ୍ୟ ଏଭଳି ଅଭିଯୋଗ କରୁଥିବାରୁ ଗ୍ରାମବାସୀ ମଧ୍ୟ ଏହାକୁ ବିଶ୍ବାସ କରି ନେଇଥିଲେ। ଯାହାଫଳରେ ୫ତାରିଖ ଦିନ ଯୋଜନାବଦ୍ଧ ଭାବେ ପୀଡ଼ିତାଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର