ରାଜ୍ୟ ଅଭିଲେଖାଗାରରେ ଅଗଷ୍ଟକ୍ରାନ୍ତି ଦିବସ: ‘ଜନଜାଗରଣର ଅନ୍ତିମ ପର୍ଯ୍ୟାୟ ଥିଲା ଅଗଷ୍ଟକ୍ରାନ୍ତି’

ଭୁବନେଶ୍ବର : ଅଗଷ୍ଟ କ୍ରାନ୍ତି ଜନଜାଗରଣର ଅନ୍ତିମ ପର୍ଯ୍ୟାୟ ଥିଲା। ବ୍ରିଟିସ୍‌ମାନେ ୧୯୪୫ ମସିହା ସୁଦ୍ଧା ଜାଣିସାରିଥିଲେ ଯେ ଭାରତକୁ ଆଉ ସେମାନେ ବେଶି ଦିନ ପରାଧୀନ କରି ରଖିପାରିବେ ନାହିଁ। ପରବର୍ତ୍ତୀ ସମୟରେ ଏହି ମହାନ କ୍ରାନ୍ତି ଦିବସ ଭାରତକୁ ସ୍ୱାଧୀନତା ଦେବାରେ ବାଟ କଢ଼ାଇଥିଲା ବୋଲି କହିଛନ୍ତି ବିଶିଷ୍ଟ ଐତିହାସିକ ତଥା ଶିକ୍ଷାବିତ୍ କୈଳାସ ଚନ୍ଦ୍ର ଦାଶ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସଭାପତିତ୍ବରେ ସୋମବାର ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ଅଗଷ୍ଟ କ୍ରାନ୍ତି ଦିବସ ପାଳନ ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସେ ଏହା କହିଛନ୍ତି। ଏହି ଅବସରରେ ଶ୍ରୀ ଦାଶ ଓଡ଼ିଶା ତଥା ଭାରତର ମହାନ ସ୍ବାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଉପରେ ଆଲୋକପାତ କରିଥିଲେ। ଅଗଷ୍ଟ କ୍ରାନ୍ତିର ଗୁରୁତ୍ବ ବିଷୟରେ ବର୍ଣ୍ଣନା କରିବାକୁ ଯାଇ ସେ ଡ. ହରେକୃଷ୍ଣ ମହତାବଙ୍କ ଉଦାହରଣ ଦେଇଥିଲେ। ଡ. ମହତାବ କିଭଳି ପ୍ରଜାତନ୍ତ୍ରକୁ ଅଗଷ୍ଟ ୮ ତାରିଖରେ ଜନ୍ମୋଚନ କରିଥିଲେ ଏବଂ ଏହି କ୍ରାନ୍ତି ଦିବସର ଗୁରୁତ୍ବକୁ ଭାରତ ଇତିହାସର ସର୍ବାଗ୍ରେ ରଖିଥିଲେ, ତାହା ଉପରେ ଆଲୋକପାତ କରିଥିଲେ। ଏଥିସହ ଓଡ଼ିଶାର ବିଭିନ୍ନ ସ୍ଥାନରେ ହୋଇଥିବା ଅଗଷ୍ଟକ୍ରାନ୍ତି ଜନଆନ୍ଦୋଳନ ବିଷୟରେ ବିଶଦ୍‌ ଭାବେ ବର୍ଣ୍ଣନା କରିଥିଲେ।

ବିଭାଗୀୟ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ହୋଇଥିବା ଅଗଷ୍ଟ କ୍ରାନ୍ତିର ଘଟଣାବଳୀ ସଂପର୍କରେ ସୂଚନା ଦେଇଥିଲେ। ଏହି ଘଟଣାବଳୀଗୁଡ଼ିକ ଦେଶବାସୀଙ୍କୁ ପ୍ରେରଣା ଯୋଗାଇଥାଏ ବୋଲି ସେ କହିଥିଲେ। ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦାସ କହିଥିଲେ ଯେ ଅଗଷ୍ଟ କ୍ରାନ୍ତି ବିପ୍ଲବରେ ଓଡ଼ିଶାରୁ ପ୍ରାୟ ଚାରି ହଜାରରୁ ଊର୍ଧ୍ବ ଲୋକ ଗିରଫ ହୋଇଥିଲେ। ୨୩ଜଣ ଇରମ୍ ଗୁଳିକାଣ୍ଡରେ ପ୍ରାଣ ହରାଇଥିଲେ। ଏଥିପାଇଁ ଇରମ୍ ଗୁଳିକାଣ୍ଡକୁ ଦ୍ବିତୀୟ ଜାଲିଆନାୱାଲାବାଗ୍‌ କୁହାଯାଇଥାଏ। ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ, ବର୍ତ୍ତମାନ ଦେଶବାସୀ ସ୍ବାଧୀନତାକୁ ପାଥେୟ କରି ଦେଶର ପୁନର୍ଗଠନ କରିବାର ସମୟ ଆସିଛି। ଏଥିପାଇଁ ଆଉ ଏକ କ୍ରାନ୍ତି ଆବଶ୍ୟକ ବୋଲି ଶ୍ରୀ ଦାସ କହିଥିଲେ। ଅଭିଲେଖାଗାରର ଅଧୀକ୍ଷକ ଶେଖ୍ ସୋଲେମାନ ଅଲ୍ଲୀ ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର