ବାହୁଡ଼ିଲେ ଲୀଳାମୟ : ବିନା ଭକ୍ତରେ ଶେଷ ହେଲା ବାହୁଡ଼ା, ଆଜି ସୁନାବେଶରେ ଦର୍ଶନ ଦେବେ

ଅଧଘଣ୍ଟା ଆଗରୁ ପହଣ୍ଡି, ରଥଟଣା

ପୁରୀ : ଜନ୍ମମାଟିରେ ନବଦିନର ଲୀଳାଖେଳ ସାରି ବାହୁଡ଼ିଛନ୍ତି ଲୀଳାମୟ ଠାକୁର। ବଡ଼ଦାଣ୍ଡରେ ପୁଣି ଥରେ ଗଡ଼ିଛି ତିନିରଥ। ହରିବୋଲ, ହୁଳହୁଳି, ଜୟଜଗନ୍ନାଥ ଧ୍ୱନି ଓ ରଥ ଚକାର ଘର୍ଘର ଶବ୍ଦରେ କମ୍ପିଛି ବଡ଼ଦାଣ୍ଡ। କିନ୍ତୁ ବିନା ଭକ୍ତରେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ନୀତିକାନ୍ତି ଶୃଙ୍ଖଳିତ ଓ ସଅଳ ଶେଷ ହୋଇଛି। ଅଧଘଣ୍ଟା ଆଗରୁ ପହଣ୍ଡି ଓ ରଥଟଣା ଆରମ୍ଭ ହୋଇଥିଲା। ଅପରାହ୍ଣ ୪ଟା ୩୫ ସୁଦ୍ଧା ତିନି ରଥ ସିଂହଦ୍ବାର ଚକଡ଼ାରେ ବିଜେ କରିଛନ୍ତି। ପ୍ରଥମେ ବଡ଼ଠାକୁର ବଳଭଦ୍ର, ମଝିରେ ଭଉଣୀ ମା’ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ସିଂହଦ୍ବାର ଚକଡ଼ାରେ ପହଞ୍ଚିଛନ୍ତି। ତିନି ରଥ ପହଞ୍ଚିବା ପରେ ଆସନ୍ତାକାଲିର ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଆଜି ଭୋରରୁ ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ‌ଦ୍ବାରପାଳ ପୂଜା, ବେଶଶେଷ ପରେ ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ସଂପନ୍ନ ହୋଇଥିଲା।

ମହାପ୍ରଭୁଙ୍କୁ ଖେଚୁଡ଼ି ଭୋଗ ଲାଗି ହୋଇଥିଲା। ସେନାପଟା ଲାଗି ପରେ ଅଧଘଣ୍ଟା ପୂର୍ବରୁ ଅର୍ଥାତ୍‌ ୭ଟା ୨୦ରେ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ ଶରଧାବାଲିରେ ଦଣ୍ଡାୟମାନ ରଥରେ ବିଜେ କରିଥିଲେ। ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥରେ ବିଜେ କରିଥିଲେ। ସକାଳ ୯ଟା ୫୫ ସୁଦ୍ଧା ବାହୁଡ଼ା ପହଣ୍ଡି ଶେଷ ହୋଇଥିଲା। ୯ଟା ୩୫ରୁ ୯ଟା ୫୫ ଭିତରେ ମଦନମୋହନ ଓ ରାମକୃଷ୍ଣ ରଥରେ ବିଜେ କରିଥିଲେ। ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରାଜନଅରରୁ ସ୍ବତନ୍ତ୍ର ମେହେନାରେ ଶୋଭାଯାତ୍ରାରେ ଶରଧାବାଲିରେ ପହଞ୍ଚିବା ପରେ ଛେରାପହଁରା ନୀତି ଆରମ୍ଭ ହୋଇଥିଲା।

ପୂର୍ବାହ୍ଣ ସାଢ଼େ ୧୦ଟାରେ ଛେରାପହଁରା ନୀତି ଆରମ୍ଭ ହୋଇଥିଲା। କିନ୍ତୁ ରଥଯାତ୍ରା ଭଳି ଆଜି ବି ଗହଳଚହଳ ଦେଖିବାକୁ ମିଳି ନଥିଲା। ପ୍ରଥମେ ନନ୍ଦିଘୋଷ, ପରେ ଦେବଦଳନ ଓ ତାଳଧ୍ବଜ ରଥରେ ଗଜପତି ମହାରାଜା ଛେରାପହଁରା ନୀତି ସଂପନ୍ନ କରିଥିଲେ। ୧୧ଟା ୧୫ ସୁଦ୍ଧା ଛେରାପହଁରା ନୀତି ଶେଷ ହୋଇଥିଲା। ପୂର୍ବାହ୍ଣ ୧୦ଟା ୪୫ରୁ ମଧ୍ୟାହ୍ନ ୧୨ଟା ଭିତରେ ଚାରମାଳ ଫିଟା ଓ ଘୋଡ଼ା ସାରଥୀ ଲାଗି ହୋଇଥିଲା। ଘୋଡ଼ା ସାରଥୀ ଲାଗି ସାରିବା ପରେ ଡାହୁକର ଗୀତର ତାଳେ ତାଳେ ବଡ଼ଦାଣ୍ଡରେ ରଥ ଆଗେଇ ଚାଲିଥିଲେ। ପଛେ ପଛେ ଭଉଣୀ ସୁଭଦ୍ରା ଓ ଭାଇ ଜଗନ୍ନାଥଙ୍କୁ ନେଇ ଆଗରେ ଆଗେଇ ଚାଲିଥିଲେ ବଡ଼ଠାକୁର।

ପୂର୍ବାହ୍ଣ ୧୧ଟା ୨୫ରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥଟଣା ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ୧୨ଟା ୨୧ରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥ ଓ ଅପରାହ୍ଣ ଗୋଟାଏ ୨୧ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଟଣା ଆରମ୍ଭ ହୋଇଥିଲା। ମଝିରେ ମଝିରେ ମୋଡ଼ ନେଇ ତିନି ରଥ ସଂଧ୍ୟା ପୂର୍ବରୁ ସିଂହଦ୍ବାରରେ ପହଞ୍ଚିଥିଲେ। ତାଳଧ୍ବଜ ରଥ ଅପରାହ୍ଣ ୨ଟା ୪୫, ଦେବଦଳନ ରଥ ଅପରାହ୍ଣ ୩ଟା ୫ରେ ପହଞ୍ଚିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ପହଞ୍ଚିବା ପୂର୍ବରୁ ରାଜନଅରଠାରେ ଅଟକିଥିଲେ। ରାଜନଅର ଠାରେ ଅପରାହ୍ଣ ୪ଟାରୁ ୪ଟା ୨୦ ଭିତରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସଂପନ୍ନ ପରେ ଅପରାହ୍ଣ ୪ଟା ୩୫ରେ ନନ୍ଦିଘୋଷ ରଥ ସିଂହଦ୍ବାରରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର