ମନ୍ତ୍ରୀ ପ୍ରଦୀପ ଅମାତଙ୍କ ବଲାଙ୍ଗୀର ଗସ୍ତ, ବିଭିନ୍ନ ଉନ୍ନୟନ କାମର ସମୀକ୍ଷା

ଇକୋ ଟୁରିଜମ ପ୍ରସ୍ତାବ ଉପରେ ଆଲୋଚନା

ବଲାଙ୍ଗୀର: ରାଜ୍ୟ ସରକାର ସବୁବେଳେ ବଲାଙ୍ଗୀରକୁ ଫୋକସରେ ରଖିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ। ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ଅମାତ ବଲାଙ୍ଗୀର ଗସ୍ତରେ ଆସିଥିଲେ। ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ସଭାଗୃହଠାରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିହନ ମନ୍ତ୍ରୀ ଟୁକୁନୀ ସାହୁ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପାଟଣାଗଡ଼ ବିଧାୟକ ସରୋଜ ମେହେର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ଡିଏଫ୍‌ଓ ନୀତିଶ କୁମାର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂହଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମସ୍ତ ବିଡିଓ ଉପସ୍ଥିତ ଥିଲେ। ବୈଠକ ଆରମ୍ଭରୁ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଉପସ୍ଥାପନ କରିଥିଲେ। ମନ୍‌ରେଗା ଯୋଜନା ମାଧ୍ୟମରେ ୨୦୨୨-୨୩ ରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ, ରୋଜଗାର ସୃଷ୍ଟି, ଶ୍ରମ ଦିବସ  ତଥା ବିନିଯୋଗ ହୋଇଥିବା ଅର୍ଥ, ଜିଲ୍ଲାର ଦାଦନ ପ୍ବଣ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଥିଲେ।

ଗ୍ରାମୀଣ ଆବାସ, ପାନୀୟ ଜଳ ଯୋଗାଣ, ମେଗା ପାଇପ ଜଳ ଯୋଗାଣ ଅଗ୍ରଗତି ଓରମାସ, ମିସନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିସନ ଜରିଆରେ କାର୍ଯ୍ୟକାରୀ ହେଉଥିବା ଆୟ ସୃଷ୍ଟିକାରୀ ଯୋଜନା, ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ସଂଯୋଗୀକରଣ, ମିସନ ଶକ୍ତି ଗୃହ ନିର୍ମାଣ, ଅଙ୍ଗନୱାଡ଼ି ଗୃହ ନିର୍ମାଣ, ୫-ଟି ରୂପାନ୍ତରଣ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟ, ସ୍ୱଚ୍ଛ ଭାରତ ମିସନ, ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଆଦି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବୈଠକରେ ଡିଏଫଓ ଜଙ୍ଗଲ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଉପସ୍ଥାପନ କରିଥିଲେ। ମନ୍‌ରେଗା ଯୋଜନା ମାଧ୍ୟମରେ କରାଯାଉଥିବା ଚାରାରୋପଣ, ଚଳିତ ବର୍ଷ ଚାରାରୋପଣ ଲକ୍ଷ୍ୟ ଓ ଅଗ୍ରଗତି, ବନୀକରଣ ପାଇଁ ବୈଷୟିକ ଜ୍ଞାନ ଓ କୌଶଳ, ଆମ ଜଙ୍ଗଲ ଯୋଜନାର କାର୍ଯ୍ୟକାରିତା, ନଗର ବନ ଓ ନଗର ବାଟିକାର ବିକାଶ, ଆମ ଜଙ୍ଗଲ ଯୋଜନାର କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଆୟ ସୃ​ଷ୍ଟିକାରୀ ଯୋଜନା, ଭିତ୍ତିଭୂମିର ବିକାଶ, ଇକୋ ପର୍ଯ୍ୟଟନ ବିକାଶ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଗାଈଖାଇ ଡ୍ୟାମକୁ ଇକୋ ଟୁରିଜମ କରିବାକୁ ଏକ ପ୍ରସ୍ତାବ ମଧ୍ୟ ରହିଥିଲା। ବୈଠକ ପୂର୍ବରୁ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ପରିସରରେ ଓରମାସ, ଓଡ଼ିଶା ଜୀବିକା ମିସନ ଓ ମିସନ ଶକ୍ତି ବିଭାଗ ଦ୍ୱାରା ଗଠିତ ଉତ୍ପାଦକ ଗୋଷ୍ଠୀ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ କମ୍ପାନି ଦ୍ୱାରା ପ୍ରଦର୍ଶିତ କୃଷି ଓ ଅଣକୃଷି ସାମଗ୍ରୀ ପ୍ରଦର୍ଶନୀ ଷ୍ଟଲକୁ ମନ୍ତ୍ରୀ ପରିଦର୍ଶନ କରି ଆୟୋଜଙ୍କ ସହ ଆଲୋଚନା କରିଥିଲେ।

ତାଗିଦ କଲେନି, ଭଲ ମାର୍କ ଦେଇ ଗଲେ ମନ୍ତ୍ରୀ

ସୋମବାର ଜଣେ ବିଡିଓ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ। ବହୁ ଯୋଜନାରେ ଦୁର୍ନୀତି ହେଉଛି। ଲୋକ ମନ୍‌ରେଗାରେ କାମ ନପାଇ ବାହାରକୁ ଦାଦନ ଯାଉଛନ୍ତି। ଏସବୁକୁ ନେଇ ଗଣମାଧ୍ୟମ ପ୍ରତିନିଧି ଆଜି ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ପ୍ରଶ୍ନ କରିଥିଲେ। ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ଯାହା ସବୁ କାର୍ଯ୍ୟକ୍ରମ ପଂଚାୟତିରାଜ ବିଭାଗ କରୁଛି ତାହା ଠିକଠାକ ଚାଲିଛି। ଦୁର୍ନୀତିକୁ ରାଜ୍ୟ ସରକାର ପ୍ରଶ୍ରୟ ଦେଉନାହାନ୍ତି। ଏଣୁ ଯେଡ଼େ ବଡ଼ ଅଧିକାରୀ ହେଲେ ବି ଭିଜିଲାନ୍ସ ବିଭାଗ ତାର କାମ କରୁଛି। ପଂଚାୟତିରାଜ ବିଭାଗର ମନ୍‌ରେଗା ଯୋଜନା ଗାଁମାନଙ୍କରେ କାମ କରୁଛି। ଗ୍ରାମାଞ୍ଚଳର ଆର୍ଥିକ ଉନ୍ନତିକୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି। ବଲାଙ୍ଗୀର ଜିଲ୍ଲାରେ ଯୋଜନା ସବୁର କାର୍ଯ୍ୟକାରିତାକୁ ନେଇ ‘ଗୁଡ୍‌’ ବୋଲି କହିଥିଲେ ମନ୍ତ୍ରୀ। ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା- ସବୁଠି ଦୁର୍ନୀତି, ସବୁଠି ଦାଦନ, ତଥାପି ଭଲ ମାର୍କ ଦେଇଗଲେ ମନ୍ତ୍ରୀ।

ସମ୍ବନ୍ଧିତ ଖବର