ଭାରତ ବନ୍ଦର ଆଂଶିକ ପ୍ରଭାବ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ପ୍ରତିବାଦରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଆଜି ଦିଆଯାଇଥିବା ‘ଭାରତ ବନ୍ଦ’ ଡାକରାର ପ୍ରଭାବ ରାଜ୍ୟରେ ଆଂଶିକ ଭାବେ ପଡ଼ିଛି। ଏହି ବନ୍ଦକୁ କଂଗ୍ରେସ ସମେତ ବାମ ଦଳ, ବିଭିନ୍ନ ବ୍ୟାଙ୍କ କର୍ମ‌ଚାରୀ ସଂଘ, ଛୋଟ, ବଡ଼ ଶ୍ରମିକ ସଂଘ, ଗଣ ସଂଗଠନ, କୃଷକ ସଂଗଠନ ସମର୍ଥନ କରିଥିଲେ। ବସ୍‌, ଟ୍ରେନ୍, ଅଟୋ ଚଳାଚଳ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିଲା। ତେବେ ରାଜ୍ୟର କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ।

ଆଜି ସକାଳୁ ସକାଳୁ ଭୁବନେଶ୍ବର ସମେତ ରାଜ୍ୟର ପ୍ରମୁଖ ଅଞ୍ଚଳରେ ବିକ୍ଷୋଭକାରୀମାନେ ରେଳ ଷ୍ଟେସନ୍‌ରେ ପିକେଟିଂ କରିଥିଲେ। ଫଳରେ ବିଭିନ୍ନ ସ୍ଥାନରେ କିଛି ସମୟ ପାଇଁ ଟ୍ରେନ୍‌ଗୁଡ଼ିକ ଅଟକି ରହିଥିଲା। ସକାଳ ପ୍ରାୟ ୧୦ଟା ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଆଜିର ଧର୍ମଘଟକୁ ସମର୍ଥନ କରିବା ନେଇ କୌଣସି ଘୋଷଣା କରି ନଥିଲା। ତେଣୁ ବସ୍‌ ଚଳାଚଳ ସକାଳୁ ସ୍ବାଭାବିକ ଥିଲା। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଥିବାରୁ ରାସ୍ତାରେ ବସ୍‌ କିଛି ସମୟ ଅଟକି ରହିଥିବା ଦେଖାଯାଇଥିଲା। ଅଟୋ ଚଳାଚଳ ମଧ୍ୟ ବିଭିନ୍ନ ସ୍ଥାନରେ ଠପ୍ ହୋଇଯାଇଥିଲା।

ଆନ୍ଦୋଳନକାରୀମାନେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଓ ବ୍ୟାଙ୍କ୍‌ ସମ୍ମୁଖରେ ପିକେଟିଂ କରିଥିଲେ। କର୍ମଚାରୀମାନଙ୍କୁ ଭିତରକୁ ଛଡ଼ା ଯାଇ ନ ଥିଲା। ବିଭିନ୍ନ ଶ୍ରମିକ ସଂଗଠନର ନେତୃବୃନ୍ଦ ସେଠାରେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତିର ତୀବ୍ର ପ୍ରତିବାଦ କରିଥିଲେ। ତେବେ ବିଭିନ୍ନ ଅଞ୍ଚଳର ପ୍ରମୁଖ ମାର୍କେଟ୍‌ଗୁଡ଼ିକ ପୂର୍ବାହ୍ନରେ ବନ୍ଦ ଥିବା ବେଳେ ଛୋଟଛୋଟ ବଜାରଗୁଡ଼ିକ ଖୋଲା ରହିଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ସ୍ଥିତି ସ୍ବାଭାବିକ ହୋଇଥିଲା। ବନ୍ଦ ପାଳନ ପାଇଁ ପୁଲିସ୍‌ ପକ୍ଷରୁ ସମସ୍ତ ସ୍ଥାନରେ ଆବଶ୍ୟକ ପ୍ରସ୍ତୁତି କରାଯାଇଥିଲା। ରାସ୍ତାରୋକ ଓ ରେଳରୋକ କରୁଥିବା ଆନ୍ଦୋଳନକାରୀମାନଙ୍କୁ ପୁଲିସ୍‌ ଗିରଫ କରି ପରେ ଛାଡ଼ି ଦେଇଥିଲା। ରାଜଧାନୀରେ ଲୋକସେବା ଭବନ ଓ ବିଧାନସୌଧକୁ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଥିଲା। ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ସୁରକ୍ଷାବଳୟରେ ବିଧାନସୌଧକୁ ଅଣାଯାଇଥିଲା।

ବନ୍ଦ ପାଳନକୁ ସମର୍ଥନ କରି କଂଗ୍ରେସ ପକ୍ଷରୁ ନେତା ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମାଷ୍ଟର୍‌ କ୍ୟାଣ୍ଟିନ୍ ଛକରେ ଏକ ଶୋଭାଯାତ୍ରାରେ ଯାଇ ପିକେଟିଂ କରିଥିଲେ। ତାଙ୍କର ସହ କଂଗ୍ରେସର ବରିଷ୍ଠ ନେତାମାନେ ସାମିଲ୍‌ ହୋଇଥିଲେ। ସେହିପରି ସିପିଆଇ ଓ ସିପିଆଇ(ଏମ୍‌)ର ବରିଷ୍ଠ ନେତାମାନେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଓଡ଼ିଶାରେ ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି ବୋଲି ‌ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର