ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେବା ପାଇଁ ବିଜେଡି ନାଟକ କରୁଛି: ବିଜେପି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଓଡ଼ିଆଙ୍କୁ ତାଙ୍କ ହକ୍‌ ପାଇବାରୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଉଦ୍ଦେଶ୍ୟମୂଳକ ଭାବେ ଅବହେଳା କରି କମ୍ ଗୃହ ମଞ୍ଜୁର କରାଯାଉଛି ବୋଲି ଅଭିଯୋଗ ଆଣି ବିଜେଡି ଆଜି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଛି। ଏହା ଉପରେ ପ୍ରତିକ୍ରିୟା ରଖି ବିଜେପି କହିଛି ଯେ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେବା ଏବଂ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗକୁ ଏଡାଇବା ପାଇଁ ଶାସକ ବିଜେଡି ଏହିଭଳି ନାଟକ କରୁଛି। ବିଜେଡିର ଏହି ନାଟକ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବା ପାଇଁ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ‘ଚୋରି ଉପରେ ସିନାଚୋରି’ ସଦୃଶ ବୋଲି ବିଜେପି କହିଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ରାଜ୍ୟକୁ ୮,୧୭,୪୪୪ଟି ପକ୍କା ଘର ଆବଣ୍ଟନ କରିଛନ୍ତି ଏବଂ ଏହାର ଠିକ୍ କାର୍ଯ୍ୟନ୍ୱୟନ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ତେବେ ରାଜ୍ୟର ୯ଟି ଜିଲ୍ଲାରେ ଶୂନ ଏବଂ ୪ଟି ଜିଲ୍ଲାରେ ନଗଣ୍ୟ କାହିଁକି?

କେନ୍ଦ୍ରୀୟ ଟିମ୍‌ର ତଦନ୍ତ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାରେ ପ୍ରାୟ ୧୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବାର ପର୍ଦ୍ଦାଫାଶ ହୋଇଛି। ଅଧିକାଂଶ ଘର ନିର୍ମାଣ କାମ ନିମ୍ନମାନର ଥିବା ଜଣା ପଡିଥିବାବେଳେ ଅନେକ ଘର ଅସଂପୂର୍ଣ୍ଣ ରହିଛି । କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ ୫ଟି ଜିଲ୍ଲାର ୯ଟି ବ୍ଲକକୁ ସମୀକ୍ଷା କରିବା ସମୟରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ସାମ୍ନାକୁ ଆସିଛି। ରାଜ୍ୟରେ ୧ଲକ୍ଷରୁ ଉର୍ଦ୍ଧ୍ୱ ଆବାସ ଆବଣ୍ଟନରେ ରାଜ୍ୟ ସରକାର ଅନିୟମିତତା କରିଛନ୍ତି। ଏଠି ପାତରଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି। ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ସାରା ରାଜ୍ୟରେ ଆବାସ ଯୋଜନାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି।। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ରାଜ୍ୟ ସରକାର ଠିକ୍ ସମୟରେ ୟୁସି ଦେଉନାହାନ୍ତି କି କମ୍ପ୍ଲାଏନ୍ସ ରିପୋର୍ଟ କେନ୍ଦ୍ରକୁ ଦେଉନାହାନ୍ତି। ରାଜ୍ୟ ସରକାରଙ୍କ ମନମୁଖୀ ଶାସନ ଯୋଗୁଁ ଉପଯୁକ୍ତ ଗରୀବ ହିତାଧିକାରୀ ଘରଟିଏ ପାଇବାରୁ ବଞ୍ଚିତ ହେଉଛନ୍ତି। ବିଜେଡି ସରକାର ନିଜ ଦୋ‌ଷ ନଦେଖି କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର