ଟ୍ରକ୍‌ ଚୋରି ରାକେଟ୍‌ରେ ବିଜେଡି ଯୁବନେତା: ଜିଲ୍ଲା ଯୁବ ବିଜେଡି ଉପସଭାପତିଙ୍କ ସମେତ ୯ ଜଣଙ୍କୁ ବାନ୍ଧିଲା ପୁଲିସ

ଚୋରି ଟ୍ରକ୍, କାର୍ ଓ ୨.୪୫ ଲକ୍ଷ ଟଙ୍କା ଜବତ

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପୁଲିସ୍‌ ଏକ ଅନ୍ତଃରାଜ୍ୟ ଟ୍ରକ୍ ଚୋରି ରାକେଟ୍‌କୁ ଠାବ କରିବାରେ ସକ୍ଷମ ହୋଇଛି। ଏହି ରାକେଟ୍‌ର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଯାଜପୁର ଜିଲ୍ଲା ଯୁବ ବିଜେଡି ଉପସଭାପତି ଅଶ୍ବଜିତ୍ ରାଉତ (ମଣ୍ଟୁ)ଙ୍କ ସମେତ ୯ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଅଶ୍ବଜିତ୍‌ଙ୍କ ବଡ଼ଚଣା ଥାନା ସୁଙ୍ଗୁଡ଼ା ଗ୍ରାମସ୍ଥିତ ଘରୁ ୨ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି। ଚୋରି ହୋଇଥିବା ଟ୍ରକ୍(ସିଜି୧୫ଏସି-୧୦୮୬) ଓ କୋଲକାତାର ଟ୍ରକ୍ କ୍ରେତା(କବାଡ଼ିଆ)ଙ୍କ ଏକ ମାରୁତି ଏର୍‌ଟିଗା କାର୍ (ଡବ୍ଲୁବି୦୮ଏଲ-୧୭୮୬) ଓ ୪ଟି ମୋବାଇଲ୍ ମଧ୍ୟ ଜବତ କରିଛି।

ମୁଖ୍ୟ ଅଭିଯୁକ୍ତ ଅଶ୍ବଜିତ୍‌ଙ୍କ ସହ ଗିରଫ ହୋଇଥିବା ଅନ୍ୟମାନେ ହେଲେ; ସହଯୋଗୀ ବାଲିଚନ୍ଦ୍ରପୁର ଥାନା ମହିପୁର ଗ୍ରାମର ବିଜେଡି ସଂଗଠକ ବିଶ୍ବଜିତ୍ ସାମଲ(ଟିଙ୍କୁ), ବଡ଼ଚଣା ଥାନା ସୁଙ୍ଗୁଡ଼ା ଗ୍ରାମର ମହମ୍ମଦ ଅବୁ ନାଜର(ଜୁମା), ଖୋସାଲିପୁର ଗ୍ରାମର ସୌମ୍ୟଶ୍ରୀ ଜେନା(ସୋନୁ), ଧର୍ମଶାଳା ଥାନା ଭଡ଼ଙ୍ଗା ଗାଁର ବିକ୍ରମ ନାୟକ(କାଳିଆ), ନେଉଳପୁର ଗ୍ରାମର ରମେଶ ପରିଡ଼ା, ଚୋରା ଟ୍ରକ୍ କ୍ରେତା(କବାଡ଼ିଆ) କୋଲକାତା କାଶିପୁର ଥାନା ଅଞ୍ଚଳର ଅଜୟ କୁମାର ସ, ସିରଠି ଅଞ୍ଚଳର ଅବିନିତ ସ(ରାଜା) ଓ ବିହାର ରାଜ୍ୟ ପାଟଣାର ପଣ୍ତାରଥ ଥାନା ଅନ୍ତର୍ଗତ ବଡ଼ା ନିବାସୀ ଗୁଡ଼ୁ ଠାକୁର। ସମସ୍ତଙ୍କୁ ଚଣ୍ତିଖୋଲ କୋର୍ଟ ଚାଲାଣ କରାଯାଇଛି। ଧର୍ମଶାଳା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଡିଏସ୍‌ପି ପ୍ରମୋଦ କୁମାର ମଲ୍ଲିକ ଏହି ଟ୍ରକ୍‌ ଚୋରି ରାକେଟ୍‌ ସଂପର୍କରେ ସୂଚନା ଦେଇଛନ୍ତି।

ଡିଏସ୍‌ପି ଶ୍ରୀ ମଲ୍ଲିକ କହିଥିଲେ ଯେ, ଆରୁହା ପଞ୍ଚାୟତ ଆଳିଜଙ୍ଗା ଗ୍ରାମର ସୌମିତ୍ ନାୟକ ୪ବର୍ଷ ପୂର୍ବେ ଏକ ଟ୍ରକ୍ କିଣିଥିଲେ। ଏହାକୁ ଭଡ଼ଙ୍ଗାର ଏକ ପରିତ୍ୟକ୍ତ କ୍ରସର୍‌ ୟୁନିଟ୍‌ରେ ରଖିଥିଲେ। ଏହାର ଜଗାରଖା ପାଇଁ ଭଡ଼ଙ୍ଗା ଗାଁର ଚରଣ ନାୟକଙ୍କ ପୁଅ କାଳିଆକୁ ଦାୟିତ୍ବ ଦେଇଥିଲେ। ହେଲେ ଉକ୍ତ ଟ୍ରକ୍ ଚୋରି ହୋଇ ଯାଇଥିବା ନେଇ ଟ୍ରକ୍‌ ମାଲିକ ଗତ ୧୧ତାରିଖରେ ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ୫୧୨/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ଟ୍ରକ୍ ଜଗିବା ଦାୟିତ୍ବରେ ଥିବା କାଳିଆକୁ ଥାନାକୁ ଧରିନେଇ ପଚରାଉଚରା କରିଥିଲା। କାଳିଆର ସୂଚନା ଆଧାରରେ ଏହି ଚୋରି ରାକେଟ୍‌ର ମୁଖ୍ୟ ଯୁବ ବିଜେଡି ନେତା ଅଶ୍ବଜିତ୍‌ଙ୍କ ସମେତ ୬ଜଣଙ୍କୁ ପ୍ରଥମେ କାବୁ କରିଥିଲା। ଏପରିକି ଚୋରା ଟ୍ରକ୍ କିଣୁଥିବା କୋଲକାତାର କବାଡ଼ିଆମାନଙ୍କୁ ଧରିବା ପାଇଁ ପୁଲିସ୍‌ ଅଶ୍ବଜିତ୍‌ଙ୍କ ଫୋନ୍‌କୁ ବ୍ୟବହାର କରିଥିଲା। ଆଉ ଏକ ଟ୍ରକ୍ ବିକିବେ କହି ଅଶ୍ବଜିତ୍‌ ସେମାନଙ୍କୁ ଫୋନ୍ କରି ଡାକିଥିଲା। ଗତକାଲି ସେମାନେ ମାରୁତି ଏର୍ଟିଗା କାର୍‌ରେ ନେଉଳପୁର ନିକଟସ୍ଥ ଏକ ହୋଟେଲ୍‌ରେ ପହଞ୍ଚିଥିଲେ। ଏହିସମୟରେ ଧର୍ମଶାଳା ପୁଲିସ୍‌ ସେମାନଙ୍କୁ କାବୁ କରି ନେଇଥିଲା।

ଏମାନେ ଟ୍ରକ୍‌ ଚୋରି କରି ନକଲି ନମ୍ବର ପ୍ଲେଟ୍ ବ୍ୟବହାର କରି କୋଲକତା ପଠାଇ ଦେଇଥା’ନ୍ତି। ସେଠାରେ କବାଡ଼ିଆ ଟ୍ରକ୍‌କୁ କାଟି ଏହାର ବିଭିନ୍ନ ଯନ୍ତ୍ରାଂଶକୁ ବିକ୍ରି କରାଯାଇଥାଏ। ଏହି ଚୋରି ମାମଲାରେ ବିଜେଡିର ୨ ଯୁବନେତା ଗିରଫ ହେବାପରେ ବଡ଼ଚଣା ରାଜନୀତି ସରଗରମ ହୋଇଛି। ଏମାନେ ଆହୁରି ଅନେକ ଗାଡ଼ି ଚୋରି କରି କବାଡ଼ିଆକୁ ବିକିଥିବା ଚର୍ଚ୍ଚା ହେଉଥିବାରୁ ପୁଲିସ ସେ ସଂପର୍କରେ ଖୋଳତାଡ଼ କରୁଛି। ଏହି ସାମ୍ବାଦିକ ସମ୍ମିଳନୀରେ ଧର୍ମଶାଳା ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର