ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଇନ ବିଭାଗ ୫ ବର୍ଷରେ ଗୋଟିଏ ବି ବୈଠକ କରିନି: ବିଜେପି

ଭୁବନେଶ୍ୱର: ରତ୍ନ ଭଣ୍ଡାର ଚାବି ହଜିବା ଶ୍ରୀଜଗନ୍ନାଥ ମନ୍ଦିର ଇତିହାସର ସବୁଠାରୁ କଳଙ୍କିତ ଅଧ୍ୟାୟ। ୨୦୧୮ରୁ ଏହା ରାଜ୍ୟ ସରକାରଙ୍କ ନଜରକୁ ଆସିଲାଣି। ସେବେଠାରୁ ରତ୍ନଭଣ୍ଡାରରେ ଶ୍ରୀଜୀଉଙ୍କ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ସେନେଇ ପ୍ରଶ୍ନ ଉଠୁଥିବାବେଳେ ରତ୍ନଭଣ୍ଡାର ଖୋଲିବାକୁ ବାରମ୍ବାର ଦାବି ହେଉଛି। କିନ୍ତୁ ବିଡ଼ମ୍ବନାର ବିଷୟ ରତ୍ନଭଣ୍ଡାରର ଚାବି ହଜିବା ଓ ରତ୍ନଭଣ୍ଡାର ଖୋଲିବା ନେଇ ଆଇନ ବିଭାଗ ୨୦୧୮ରୁ ଆଜି ପର୍ଯ୍ୟନ୍ତ କୌଣସି ବୈଠକ କରିନାହିଁ। ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ମିଳିଛି। ଯେଉଁ ପ୍ରସଙ୍ଗରେ ସାରା ରାଜ୍ୟ ହୁଲୁସ୍ତୁଲ ହେଲା ସେହି ପ୍ରସଙ୍ଗରେ ସରକାର ୫ବର୍ଷରେ ଗୋଟିଏ ବି ବୈଠକ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଜଗନ୍ନାଥ ବିରୋଧୀ ମାନସିକତାର ପ୍ରତିଫଳନ ବୋଲି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ବାଳ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୬୦ର ଧାରା ୬ର ଉପଧାରା ୧ ଅନୁସାରେ ରତ୍ନ ଭଣ୍ଡାରର ଭିତର ଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର କ୍ଷମତାପ୍ରାପ୍ତ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନ ବିଭାଗର ଅଧୀନରେ ଆସୁଛି । ଶ୍ରୀମନ୍ଦିରର ପରିଚାଳନାର ସବୁକିଛି ପାଇଁ ରାଜ୍ୟ କ୍ୟାବିନେଟ, ବିଧାନସଭା, ନ୍ୟାୟାଳୟ ସବୁଠି ଆଇନ ବିଭାଗ ଉତ୍ତର ଦାୟୀ । ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ହେଲେ ଆଇନ ବିଭାଗ କହୁଛି ଯେ ଆଜି ପର୍ଯ୍ୟନ୍ତ ସେନେଇ କୌଣସି ବୈଠକ ହୋଇନାହିଁ।

କେବଳ ସେତିକି ନୁହେଁ ଶ୍ରୀମନ୍ଦିର ପ୍ରଶାସନ ରତ୍ନ ଭଣ୍ଡାର ସର୍ମ୍ପକରେ ସତ୍ୟପାଠ ଦାଖଲ କରିବାକୁ ଅଦାଲତରେ ଥରେ ନୁହେଁ ବାରମ୍ବାର ସମୟ ନେଇଛନ୍ତି। ଆଇନ ବିଭାଗ ମଧ୍ୟ ସେହି ସମସ୍ତ ମାମଲାରେ ପକ୍ଷଭୁକ୍ତ ଅଛି। ହେଲେ ଏସବୁ ପ୍ରସଙ୍ଗରେ ମଧ୍ୟ ଆଇନ ବିଭାଗ ପାଖରେ କୌଣସି ଖବର ନାହିଁ ବୋଲି ବିଭାଗ ପକ୍ଷରୁ ସୂଚନା ଅଧିକାର ଆଇନରେ ମଗାଯାଇଥିବା ତଥ୍ୟରେ କୁହାଯାଇଛି। ଏ ସରକାରକୁ ଚଲାଉଛି କିଏ ? ଏଭଳି ଜଗନ୍ନାଥ ବିରୋଧୀ ମାନସିକତା ଥିବା ସରକାର ପୂରା ଓଡ଼ିଶା ପାଇଁ ବିପଦ। ଶ୍ରୀ ବିଶ୍ବାଳ ଆହୁରି କହିଛନ୍ତି, ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଭାବେ ଦୁର୍ନୀତିଗ୍ରସ୍ତ ରଞ୍ଜନ କୁମାର ଦାସଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଏହା ଚିନ୍ତାଜନକ। ତାଙ୍କୁ ତୁରନ୍ତ ହଟାଇ ଜଣେ ଦକ୍ଷ ଓ ସଚ୍ଚୋଟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉ। ସେହିପରି ପୁରୀରେ ଏକ ଆଦର୍ଶ ଗୁରୁକୂଳ ସ୍ଥାପନା ପାଇଁ ସୁପ୍ରିମକୋର୍ଟ ୨୦୧୯ରେ ନିର୍ଦ୍ଦେଶ ଦେଇଥିବାବେଳେ ଏଥିପାଇଁ ରାଜ୍ୟ ସରକାର ଜିଡି ବିର୍ଲା ମେଡିକାଲ ଏଜୁକେସନ ଫାଉଣ୍ଡେସନ ସଂସ୍ଥା ସହ ବୁଝାମଣା ସ୍ବାକ୍ଷର କରିଛନ୍ତି। ହେଲେ ଏହି ସଂସ୍ଥାର ପୂର୍ବରୁ ଗୁରୁକୂଳ ଚଲାଇବାର ଅଭିଜ୍ଞତା ନାହିଁ। କାହିଁକି ରାଜ୍ୟ ସରକାର ଏପରି ସଂସ୍ଥାକୁ ବାଛିଛନ୍ତି ବୋଲି ଶ୍ରୀ ବିଶ୍ବାଳ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର