ମେଣ୍ଟ ନିଷ୍ପତ୍ତି ଅଟକିଛି: ବିଜେପିର ନିର୍ବାଚନ କମିଟି ବୈଠକ ବସିଲା

ସଂସଦୀୟ ବୋର୍ଡକୁ ଗଲା ପ୍ରାର୍ଥୀଙ୍କ ତାଲିକା

ଭୁବନେଶ୍ବର: ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟକୁ ନେଇ ଦ୍ବନ୍ଦ୍ବ ହଟିନାହିଁ। ଭାରତର ମୁଖ୍ୟ ନିର୍ବାଚନ କମିସନ୍ ଲମ୍ବା ସମୟ ଦେଇଥିବା ପରିପ୍ରେକ୍ଷୀରେ ଉଭୟ ଦଳ ମଧ୍ୟରେ ଚାଲିଥିବା ମେଣ୍ଟ ଆଲୋଚନା ଧିମେଇଯାଇଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଉଭୟ ଦଳର ଶୀର୍ଷ ନେତୃତ୍ବ ପରସ୍ପର ସହିତ ଯୋଗାଯୋଗରେ ଅଛନ୍ତି। ଏପରିକି ଟେଲିଫୋନ୍ ଆଲୋଚନା ଜାରି ରହିଥିବା ଖବର ମିଳୁଛି। ହେଲେ ନିର୍ଦିଷ୍ଟ କ’ଣ ଆଲୋଚନା ହେଉଛି, ଏନ୍‌ଡିଏ ମେଣ୍ଟରେ ବିଜେଡି ଯୋଗ ଦେବ ନା ନାହିଁ, ରାଜ୍ୟରେ ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ହେବ କି ନାହିଁ, ତାହା ଉପରୁ ଏଯାଏ ପରଦା ହଟିନାହିଁ। ଦୁଇ ଦଳର ଆଶାୟୀ ପ୍ରାର୍ଥୀ ଏବେ ନିଜ ନିଜର ଭବିଷ୍ୟତ ନେଇ ସନ୍ଦିହାନ୍ ହୋଇପଡ଼ିଲେଣି। ହେଲେ ଗୋଟିଏ କଥା ସ୍ପଷ୍ଟ ଯେ ଶାସକ ବିଜେଡି ବିଳମ୍ବରେ ଟିକେଟ୍ ଘୋଷଣା କରିବ।

ଅନ୍ୟପକ୍ଷରେ ବିଜେପି ନିର୍ବାଚନ କସରତ ଆରମ୍ଭ କରିଛି। ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ୧୪୭ଟି ବିଧାନସଭା ଆସନ ଏବଂ ୨୧ଟି ଲୋକସଭା ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପାର୍ଟିର କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ପଠା ଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ହେଲେ ଏ ସଂକ୍ରାନ୍ତରେ କେହି ମୁହଁ ଖୋଲିବାକୁ ଚାହୁଁନାହାନ୍ତି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପାର୍ଟିର କୋର୍‌ କମିଟି ଓ ନିର୍ବାଚନ କମିଟି ବୈଠକ ବସିଥିଲା। ଏଥିରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ବେଶର ଟୁଡ଼ୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ବସନ୍ତ ପଣ୍ଡା, ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେ.ଭି ସିଂହଦେଓ, ସୁରମା ପାଢ଼ୀ ପ୍ରମୁଖ ଦୀର୍ଘ ୭ଘଣ୍ଟା କାଳ ସମସ୍ତ ନିର୍ବାଚନମଣ୍ଡଳୀ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ତୃଣମୂଳ ସ୍ତରରୁ ପର୍ଯ୍ୟବେକ୍ଷକମାନେ ଯେଉଁ ନାଁ ଦେଇଥିଲେ, ସେସବୁ ଉପରେ ବିଚାର ଆଲୋଚନା କରାଯାଇଥିଲା। ଗତ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀ, କମ୍‌ ଭୋଟ୍‌ରେ ହାରିଥିଲେ ବି ଏଥର ବିଜୟ ସମ୍ଭାବନା ଥିବା, ଭଲ ସଙ୍ଗଠନ ଏବଂ ବିଜୟ ସମ୍ଭାବନା ଥିବା ଭଳି ଦିଗକୁ ନେଇ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା କୁହାଯାଇଛି। ଏପଟେ ଆଶାୟୀମାନେ ବି ପାର୍ଟି କାର୍ଯ୍ୟାଳୟ ବାହାରେ ଭିଡ଼ ଜମାଇଥିଲେ। ଶେଷ ମୁହୂର୍ତ୍ତରେ ତାଙ୍କ ନାଁ ଯେପରି କଟିନଯିବ ସେନେଇ ସବୁ ଉଦ୍ୟମ ଚଳାଇଥିଲେ। ମେଣ୍ଟ ହେଲେ ତାଙ୍କ ଆସନ କଟିଯିବନି ତ, ମେଣ୍ଟ ଯଦି ହୁଏ ତାଙ୍କ ଆସନ କିପରି ସୁରକ୍ଷିତ ରହିବ ସେନେଇ ରାଜ୍ୟ ନେତାଙ୍କ ପାଖରେ ଯେକୌଣସି ମତେ ବାର୍ତ୍ତା ପହଞ୍ଚାଉଥିଲେ।

ବୈଠକ ପରେ ବିଜେପି ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ କମିଟି ବୈଠକରେ ସବୁ ଆସନ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଏହାର ସବିଶେଷ ରିପୋର୍ଟ କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ପଠାଯିବ। ଏଥିସହ ମୋଦୀ ସରକାରଙ୍କ ଗତ ୧୦ ବର୍ଷର ଉପଲବ୍ଧତାକୁ ଘରେ ଘରେ ପହଞ୍ଚାଇବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ସଂପର୍କରେ ଲୋକଙ୍କଠାରୁ ମତ ସଂଗ୍ରହ କରାଯିବ। ‘ବିକଶିତ ଭାରତ’ ଗଠନ ପାଇଁ ଜନସହଭାଗିତା ଓ ଜନସହଯୋଗ ପାଇଁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ଚିଠିକୁ ରାଜ୍ୟର ୧ କୋଟି ପରିବାର ପାଖରେ ପହଞ୍ଚାଇବା ପାଇଁ ବିସ୍ତୃତ ଯୋଜନା କରାଯାଇଛି।

ସମ୍ବନ୍ଧିତ ଖବର