ଯୁଗସାଇପାଟଣା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଶିବିର ଠାବ: ଛତ୍ରଭଙ୍ଗ ଦେଲେ ମାଓବାଦୀ, ବହୁ ସାମଗ୍ରୀ ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଗୁଣ୍ଡରି ଓ ଯୁଗସାଇପାଟଣା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗତିବିଧି ନେଇ ପୁଲିସ ସୂଚନା ପାଇଥିଲା। ସୂଚନା ପାଇବା ପରେ ଏସ୍‌ପି ଅଭିଳାଷ ଜି. ଓ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀଙ୍କ ନେତୃତ୍ବରେ ଗତ ୧୪ ତାରିଖରେ ସିଆର୍‌ପିଏଫ୍‌ ଓ ଏସ୍‌ଓଜି ଟିମ କମ୍ବିଂ ଅପରେସନ କରିଥିଲେ। ଅପରେସନ ସମୟରେ କୌଶଳକ୍ରମେ ମାଓବାଦୀମାନେ ଖସି ପଳାଇଥିବା ବେଳେ ଯବାନମାନେ ମାଓବାଦୀ ଶିବିର ଠାବ କରିବା ସହିତ ବିଭିନ୍ନ ସାମଗ୍ରୀ ଜବତ କରିଛନ୍ତି।

ସେଥିମଧ୍ୟରେ ୬ ରାଉଣ୍ଡ ଏକେ-୪୭ ଗୁଳି, ଗୋଟିଏ ରାଉଣ୍ଡ ଇନ୍‌ସାସ୍ ବୁଲେଟ, ୪୨ ରାଉଣ୍ଡ ଏସ୍ଏଲ୍ଆର୍ ବନ୍ଧୁକର ଗୁଳି, ୯ ରାଉଣ୍ଡ ଥ୍ରି ନଟ୍ ଥ୍ରି ବନ୍ଧୁକର ଗୁଳି, ୨ ହଳ ନକ୍ସଲ ୟୁନିଫର୍ମ, ୪ଟି ଆଣ୍ଟି ହ୍ୟାଣ୍ଡଲିଙ୍ଗ ମେକାନିଜମ୍, ୭୪ଟି ଜିଲେଟିନ ଷ୍ଟିକ୍, ୧୦ଟି ଇଲେକ୍ଟ୍ରିକ ଡେଟୋନେଟର, ୧୦ ମିଟର ବିଦ୍ୟୁତ୍ ତାର, ଗୋଟିଏ ନମ୍ବର ୩୬ ହ୍ୟାଣ୍ଡଗ୍ରେନେଡ, ଗୋଟିଏ ୧୨ ଭୋଲ୍ଟ ୮ ଏଏମ୍‌ପି ବ୍ୟାଟେରି, ଗୋଟିଏ ଟାଙ୍ଗିଆ, ୫ ଗ୍ରାମ ଗନ୍ ପାଉଡର, ୩ ମିଟର ସେଫ୍ଟି ଫ୍ୟୁଜ୍, ଗୋଟିଏ ବ୍ୟାନର, ୨ କେଜି ୟୁରିଆ, ୨୫୦ ଗ୍ରାମ ଲୁହା କଣ୍ଟା, ଗୋଟିଏ ମାଓବାଦୀ ବେଲ୍ଟ, ୨ଟି ଏୟାର ବ୍ୟାଗ, ୨୦ଟି ଛୋଟ ଲୁହା ଛଡ଼, ଗୋଟିଏ ପଲିଥିନ ସିଟ୍, ଗୋଟିଏ ସୋଲ୍‌ଡରିଂ ଆଇରନ ଓ ସାଦା ପୋଷାକ ରହିଛି। ମାଓବାଦୀ ପୋଷ୍ଟରରେ ଟାପରାଙ୍ଗ ଜଙ୍ଗଲରେ ପୁଲିସ ଗୁଳିରେ ମୃତ ୩ ମାଓବାଦୀଙ୍କ ମୃତ୍ୟୁର ବଦଲା ନେବା ପାଇଁ ଆହ୍ବାନ ଦେବା ସହିତ ପୁଲିସ ଇନଫର୍ମରମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଉଲ୍ଲେଖ ରହିଛି। ପୁଲିସ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି ବୋଲି ଆଜି ଭବାନୀପାଟଣା ପୁଲିସ ରିଜର୍ଭରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଅଭିଳାଷ ଜି. ଓ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର