ବ୍ରାହ୍ମଣୀରେ ବୁଡ଼ିଲା ଡଙ୍ଗା, ଛାତ୍ର ମୃତ; ଦୁଇଜଣଙ୍କୁ ଉଦ୍ଧାର କରି ବୁଡ଼ିଗଲେ ନାଉରିଆ

ରାଜନଗର/ଆଳି : ବ୍ରାହ୍ମଣୀ ନଦୀରେ ଗୁରୁବର ସକାଳେ ଯାତ୍ରୀବାହୀ ଡ଼ଙ୍ଗା ବୁଡ଼ିଯାଇଛି। ଏଥିରେ ଥିବା ୨୦ଜଣ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବେଳେ ଜଣେ ଛାତ୍ର ପାଣି‌‌ରେ ବୁଡ଼ି ପ୍ରାଣ ହରାଇଛନ୍ତି। ଡଙ୍ଗାର ନାଉରିଆ ନିଖୋଜ ଅଛନ୍ତି।

ଗୁରୁବାର ଭୋର ପ୍ରାୟ ସାଢେ ୫ଟା ବେଳେ ରାଜନଗର ବ୍ଲକ୍‌ କେରେଡାଗଡରୁ ଭୁବନେଶ୍ବର ଯାଉଥିବା ବସ୍‌ରେ ଚଢିବା ପାଇଁ ଆଳି ବ୍ଲକ୍‌ର ଏକମାଣିଆ ପଞ୍ଚାୟତର ଲୋକେ କେରେଡାଗଡ ଆସିବାକୁ ପ୍ରଥମ ଭଡା ଡଙ୍ଗାରେ ବସିଥିଲେ। ଡଙ୍ଗା ଛାଡ଼ିବା ପୂର୍ବରୁ ତଳେ ଥିବା ଲୋକେ ଡଙ୍ଗାକୁ କୂଳରୁ ପେଲିଥିଲେ। ପେଲିବା ସମୟରେ ଡଙ୍ଗା ପ୍ରାୟ ୧୫ ଫୁଟ ନଦୀ ଭିତରକୁ ଘୁଂଚିଯାଇ ବୁଡିବା ଆରମ୍ଭ କରିଥିଲା। ଯେଉଁ ସ୍ଥାନରେ ଡଙ୍ଗାଟି ବୁଡିଲା ସେହି ସ୍ଥାନରେ ନଦୀର ଗଭୀରତା ୪୦ଫୁଟରୁ ଅଧିକ ଥିଲା। ଡଙ୍ଗାରେ ୨୦ରୁ ଅଧିକ ଯାତ୍ରୀଙ୍କ ସହିତ ୩ଟି ମଟରସାଇକଲ ଓ ୨ଟି ସାଇକଲ ଥିଲା। କେହି କିଛି କରିବା ପୂର୍ବରୁ ଡଙ୍ଗାଟି ସମ୍ପୂର୍ଣ୍ଣ ବୁଡିଯାଇଥିଲା।

ପହଁରା ଜାଣିଥିବା ପ୍ରାୟ ୧୦ଜଣ କୂଳକୁ ଚାଲି ଆସିଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କୂଳକୁ ଆଣିଥିଲେ। ଅନୁରାଗ ବିଶ୍ବାଳ (୧୫), ପାପୁନି ବିଶ୍ବାଳ (୧୨ ) ଓ ଦେବେନ୍ଦ୍ର ବେହେରା (୧୬) ପହଁରା ଜାଣି ନଥିବାରୁ ବୁଡି ଯାଇଥିଲେ। ଘାଟିଆ ସୁଦର୍ଶନ ସ୍ବାଇଁ ଅନୁରାଗ ଓ ପାପୁନିକୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଏହାପରେ ଦେବେନ୍ଦ୍ରଙ୍କୁ ଉଦ୍ଧାର କରିବାକୁ ନଈ ମଝିକୁ ଯାଇଥିଲେ। ସେତେବେଳେ ନଈର ସ୍ରୋତ ପ୍ରଖର ଥିଲା। ବୁଡି ଯାଉଥିବା ଦେବେନ୍ଦ୍ର ଘାଟିଆ ସୁଦର୍ଶନଙ୍କୁ ପାଖରେ ପାଇ ଧରି ନେଇଥିଲେ। ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ଦେବେନ୍ଦ୍ର ଓ ସୁଦର୍ଶନ ଧରାଧରି ହୋଇ ଚାହୁଁ ଚାହୁଁ ଲୋକଙ୍କ ଆଖି ସାମ୍ନାରେ ବୁଡି ଯାଇଥିଲେ।

ଖବରପାଇ ରାଜନଗର ପୁଲିସ, ବନବିଭାଗ ଓ ରାଜନଗର ତହସିଲଦାର ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ବନବିଭାଗର ଏକ ବୋଟ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲା। ରାଜନଗର ଅଗ୍ନିଶମ ବାହିନୀ ପହଞ୍ଚିବା ବୋଟ ପ୍ରସ୍ତୁତ କରିବାକୁ ୨ ଘଂଟା ସମୟ ନେଇଥିଲେ, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅଗ୍ନିଶମ ବାହିନୀର ୩ଜଣ କର୍ମଚାରୀ ଅନ୍ୟ ଏକ ଡଙ୍ଗାରେ ଚଢି ଏକମାଣିଆ ପଟକୁ ଯାଇଥିଲେ। ସେ ସମୟରେ ଏକମାଣିଆର ଶତାଧିକ ଲୋକେ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ। ଡଙ୍ଗା ଓ ପାଣିରେ ପଶି ଖୋଜାଖୋଜି କରୁଥିଲେ। ମାତ୍ର ଅଗ୍ନିଶମବାହିନୀର ୩ଜଣ କର୍ମଚାରୀ ସେମାନେ ପାଣିକୁ ଓହ୍ଲାଇବେ ନାହିଁ ବୋଲି କହିବା ସହ କେବଳ ଡଙ୍ଗାରେ ଛିଡା ହୋଇ ଗ୍ରାମବାସୀଙ୍କ ଉଦ୍ଧାର କାର୍ଯ୍ୟ ଦେଖୁଥିଲେ। ସ୍ଥାନୀୟ ଲୋକେ ପ୍ରତିକ୍ରିୟାଶୀଳ ହୋଇ ୩ଜଣ ଅଗ୍ନିଶମ ବାହିନୀର କର୍ମଚାରୀଙ୍କୁ ଡଙ୍ଗାରୁ ତଳକୁ ଓହ୍ଲାଇ ଦେଇଥିଲେ। ଦୁଇ ଘଂଟା ପରେ ଅଗ୍ନିଶମ ବାହିନୀର ବୋଟ କାର୍ଯ୍ୟକ୍ଷମ ହେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ କନିକା ଓ ମାର୍ଶାଘାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଡଙ୍ଗା ବୁଡିବାର ସାଢେ ୪ ଘଂଟା ପରେ ନିଖୋଜ ଦେବେନ୍ଦ୍ରଙ୍କ ମୃତଦେହ ଗ୍ରାମବାସୀ ଜାଲ ପକାଇ ଉଦ୍ଧାର କରିଥିଲେ। ମାତ୍ର ରିପୋର୍ଟ ଲେଖାହେବା ଯାଏ ନାଉରିଆ ସୁଦର୍ଶନଙ୍କୁ ଉଦ୍ଧାର କରାଯାଇ ପାରିନାହିଁ।

ଅନ୍ୟପଟେ ଦେବେନ୍ଦ୍ରଙ୍କ ମୃତଦେହ ମିଳିବା ପରେ ଏକମାଣିଆ ପଂଚାୟତବାସୀ ଶବ ବ୍ୟବଚ୍ଛେଦ ପାଇଁ ଛାଡ଼ି ନ ଥିଲେ। ଏହି ପଞ୍ଚାୟତକୁ ଚାରିପଟୁ ବ୍ରାହ୍ମଣୀ ନଈ ଘେରି ରହିଛି। ପୋଲ ନିର୍ମାଣ ପ୍ରତିଶ୍ରୁତିରେ ଦୀର୍ଘ ୨ ଦଶନ୍ଧି ହେଲା ଅଂଚଳବାସୀ ପହଁରୁଛନ୍ତି। ପୋଲ ନିର୍ମାଣର ସ୍ଥାୟୀ ପ୍ରତିଶ୍ରୁତି ନ ମିଳିଲେ ଶବ ବ୍ୟବଚ୍ଛେଦ ହେବନି ବୋଲି ଅଡି ବସିଥିଲେ। ଖବରପାଇ ଏହି ନିର୍ବାଚନମଣ୍ତଳୀର ବିଧାୟକ ତଥା ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଘଟଣାସ୍ଥଳରେ ଘାଟ ପାରହୋଇ ପହଞ୍ଚିଥିଲେ। ଏକମାଣିଆ ପଞ୍ଚାୟତର ନଳପାହି, ଏକମାଣିଆ ଓ ଦକ୍ଷିଣଡିଆ ପ୍ରଭୃତି ୩ଟି ଗାଁର ଲୋକେ ମନ୍ତ୍ରୀଙ୍କୁ ଘେରିଯାଇଥିଲେ। ନଈରେ ପୋଲ କେବେ ହେବ ଓ ଗମନା ଗମନର ସୁବିଧା କେବେ ମିଳିବ, ତାର ସ୍ଥାୟୀ ସମାଧାନର ପ୍ରତିଶ୍ରୁତି ଚାହିଁଥିଲେ। ଏ ନେଇ ପଦକ୍ଷେପ ଜାରି ରହିଛି, ଖୁବ୍‌ଶୀଘ୍ର ଗମନାଗମନର ସୁବିଧା କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଶବ ବ୍ୟବଚ୍ଛେଦ ପାଇଁ ଯାଇଥିଲା ଓ ଉତ୍ତ୍ୟକ୍ତ ଲୋକ ଶାନ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର