ବୋଲଗଡ଼ ପ୍ରାଣୀ ଚିକିତ୍ସାଳୟ ଏବେ ଅଲୋଡ଼ା : ଡାକ୍ତର ନାହାନ୍ତି, ଭୁଶୁଡ଼ିଗଲାଣି ଭିତ୍ତିଭୂମି; କର୍ମଚାରୀ ଅଭାବରୁ ମିଳୁନି ଉପଯୁକ୍ତ ପ୍ରାଣୀ ସେବା

ବୋଲଗଡ଼ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରେ ଥିବା ବହୁ ପୁରୁଣା ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ରକ୍ଷଣାବେକ୍ଷଣ ଅଭାବରୁ ଏବେ ଆଲୋଡ଼ା ହୋଇ ପଡ଼ିଛି। ଏହି ଚିକିତ୍ସା କେନ୍ଦ୍ରରେ ୩ ଜଣ ଡାକ୍ତର ପଦବି ରହିଥିଲେ ମଧ୍ୟ କେବଳ ବ୍ଲକ୍‌ ପ୍ରାଣୀଧନ ଅଧିକାରୀଙ୍କୁ ଛାଡ଼ିଦେଲେ ଅନ୍ୟ ଡାକ୍ତର ନାହାନ୍ତି। ୨ ବର୍ଷ ହେଲା ଏହି ଡାକ୍ତରଖାନାର ମୋବାଇଲ ପ୍ରାଣୀ ଚିକିତ୍ସା ୟୁନିଟ୍‌ ଖୋଲିଛି। କିନ୍ତୁ ଡାକ୍ତର ଅଭାବରୁ ଏହା ମଧ୍ୟ ଅକାମୀ ହୋଇ ପଡ଼ିଛି। ଜଣେ ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଏଠାରେ ଅବସ୍ଥାପିତ କରାଯାଇଥିଲେ ମଧ୍ୟ ସେ ଗତ ଏପ୍ରିଲ ମାସରୁ କଟକ ଜିଲ୍ଲା ଫୁଲନଖରାସ୍ଥିତ ପ୍ରାଣୀ ରୋଗ ଗବେଷଣାଗାରରେ ଡେପୁଟେସନରେ ଅଛନ୍ତି। କେବଳ ଡାକ୍ତର ଅଭାବ ଜନିତ ସମସ୍ୟା ନୁହେଁ, ବରଂ ଭିତ୍ତିଭୂମିକୁ ନେଇ ନାନା ସମସ୍ୟାର ସମ୍ମୁଖୀନ ହେଉଛି ଏହି ଚିକିତ୍ସା କେନ୍ଦ୍ର। ଚିକିତ୍ସା କେନ୍ଦ୍ରରେ ରାତ୍ର ଜଗୁଆାଳି ଓ ଅନ୍ୟାନ୍ୟ ଚତୁର୍ଥଶ୍ରେଣୀ କର୍ମଚାରୀ ପଦବି ମଧ୍ୟ ବହୁ ବର୍ଷ ଧରି ଖାଲି ପଡିଛି। ସେହିଭଳି ଏହି ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତରେ ୧୨ଟି ପ୍ରାଣୀଧନ ସହାୟକ କେନ୍ଦ୍ର ରହିଛି। କିନ୍ତୁ ଏହି ୧୨ଟିଯାକ ସହାୟତା କେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା। କର୍ମଚାରୀ ଅଭାବରୁ ଏହି ସବୁ କେନ୍ଦ୍ର ଉପଯୁକ୍ତ ପ୍ରାଣୀ ସେବା ଯୋଗାଇ ପାରୁ ନାହିଁ। ଗତ ଫନି ବାତ୍ୟାରେ ଏହି ବ୍ଲକ୍‌ର ୧୦ଟି କୁକୁଡ଼ା ଫାର୍ମର ବିଶେଷ କ୍ଷତି ଘଟିଥିବାବେଳେ ୨୦ଟି ଗୁହାଳ ଘର ମଧ୍ୟ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଆଜି ପର୍ଯ୍ୟନ୍ତ କ୍ଷତିଗ୍ରସ୍ଥ ଚାଷୀମାନଙ୍କୁ କୈାଣସି ଆର୍ଥିକ ସାହାଯ୍ୟ ମିଳି ପାରି ନଥିବାବେଳେ ଗାଈ ଗୋରୁଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରାଣୀଙ୍କ ଚିକିତ୍ସା ସେବା ମିଳି ନ ପାରିବା ଅଧିକ ଚିନ୍ତାର କାରଣ ହୋଇଛି। ଚାଷୀମାନେ ସରକାରୀ ସେବାରୁ ବଞ୍ଚିତ ହୋଇ ଅଧିକ ଖର୍ଚରେ ଘରୋଇ ସେବା ଉପଲବ୍‌ଧ କରୁଛନ୍ତି।

ସମ୍ବନ୍ଧିତ ଖବର