ବଢ଼ିଲା ବ୍ରାହ୍ମଣୀ ଜଳସ୍ତର, ମନ୍ଦିରା ଡ୍ୟାମ୍‌ରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ

ଏବେ ବ୍ରାହ୍ମଣୀର ଜଳସ୍ତର ୧୭୧.୯୧୦ ମିଟର, ସତର୍କ ସଙ୍କେତଠାରୁ ୫ ମିଟର କମ୍‌

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାକୁ ମୌସୁମି ଧସେଇ ପଶିଲାଣି। ଫଳରେ ଜିଲ୍ଲାରେ ବର୍ଷା ଲାଗିରହିଛି। ଏମିତିକି କୋଏଲ ନଦୀ ଓ ଶଙ୍ଖ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାସହ ବ୍ରାହ୍ମଣୀନଦୀର ଜଳସ୍ତର ମଧ୍ୟ ଅନୁରୂପଭାବେ ବୃଦ୍ଧି ପାଇଛି। ଅପରପକ୍ଷରେ ବୁଧବାର ଦିନ ଚଳିତବର୍ଷ ପ୍ରଥମଥର ପାଇଁ ମନ୍ଦିରା ଡ୍ୟାମ୍‌ରୁ ବନ୍ୟା ଜଳ ନିଷ୍କାସନ କରାଯାଇଛି। ବିଳମ୍ବିତ ରାତି ୧୦ଟା ସୁଦ୍ଧା ମନ୍ଦିରା ଡ୍ୟାମ୍‌ର ୨ଟି ଗେଟ୍‌କୁ ୧ ଫୁଟ୍‌ ଲେଖାଏ ଖୋଲାଯାଇଛି।
୨୦୨୨ ମସିହା ଜୁନ ୨୮ ତାରିଖ ତୁଳନାରେ ଆଜି(ବୁଧବାର) ବ୍ରାହ୍ମଣୀ ନଦୀର ଜଳସ୍ତର କମ୍‌ ରହିଛି। ପୂର୍ବ ବର୍ଷ ଏହି ସମୟରେ ପ୍ରବଳ ବର୍ଷା ହେବା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଏଥର ଢ଼େର୍‌ ବିଳମ୍ବରେ ଜିଲ୍ଲାକୁ ମୌସୁମି ପଶିବାରୁ ବର୍ଷା ମଧ୍ୟ ବିଳମ୍ବରେ ଆରମ୍ଭ ହୋଇଛି। ୨୦୨୨ ଜୁନ ୨୮ରେ ବ୍ରାହ୍ମଣୀ ନଦୀର ଜଳସ୍ତର ୧୭୭.୫୧୦ ମିଟର ରହିଥିବାବେଳେ ଆଜି ଜଳସ୍ତର ୧୭୧.୯୧୦ ମିଟର ରହିଛି। ତେବେ ମନ୍ଦିରା ଡ୍ୟାମ୍‌ର ଦୁଇଟି ଗେଟ୍‌ ଖୋଲାଯିବାପରେ ବ୍ରାହ୍ମଣୀର ଜଳସ୍ତର ବୃଦ୍ଧି ହେବ। ତେବେ ବ୍ରାହ୍ମଣୀର ଜଳସ୍ତର ବିପଦ ସଙ୍କେତଠାରୁ ଢ଼େର୍‌ କମ୍‌ରେ ରହିଛି; ଯାହାକି ନିଶ୍ଚିତଭାବେ ଆଶ୍ବସ୍ତିକର।
ଉଲ୍ଲେଖଯୋଗ୍ୟ, ବ୍ରାହ୍ମଣୀ ନଦୀର ବିପଦ ସଙ୍କେତ ଜଳସ୍ତର ୧୭୮.୪୨୦ ମିଟର ହୋଇଥିବାବେଳେ ଏହାର ସତର୍କ ସଙ୍କେତ ହେଉଛି ୧୭୭ ମିଟର। ଆଜି ପାନପୋଷରେ କରାଯାଇଥିବା ରେକର୍ଡ ଅନୁଯାୟୀ, ବ୍ରାହ୍ମଣୀର ଜଳସ୍ତର ୧୭୧.୯୧୦ ମିଟର ରହିଛି। ଅର୍ଥାତ୍‌, ଜଳସ୍ତର ବିପଦ ସଙ୍କେତଠାରୁ ପାଖାପାଖି ୫ ମିଟର କମ୍‌ ରହିଛି। ଏତଦ୍‌ବ୍ୟତୀତ, ସଂପ୍ରତି ବ୍ରାହ୍ମଣୀରୁ ପ୍ରତି ସେକେଣ୍ଡେ୍‌ରେ ୨୮୨.୮ ମିଟର କ୍ୟୁବ୍‌ ଜଳ ନିଷ୍କାସିତ ହେଉଛି। ଏଣୁ, ବର୍ତ୍ତମାନ ପାଇଁ ବ୍ରାହ୍ମଣୀ ଜଳସ୍ତର ଆଶାତୀତ ବୃଦ୍ଧି ହେବାର ଆଶଙ୍କା ନାହିଁ।
ଅପରପକ୍ଷରେ ଉପର ମୁଣ୍ଡରେ ଲଗାତାର ମାତ୍ରାଧିକ ବର୍ଷା ଯୋଗୁଁ ଶଙ୍ଖ ନଦୀର ଜଳସ୍ତର ବହୁମାତ୍ରାରେ ବୃଦ୍ଧି ପାଇଛି। ଆଜିର ତଥ୍ୟ ଅନୁଯାୟୀ, ଶଙ୍ଖ ନଦୀର ଜଳସ୍ତର ୩୭୩.୮୮୦ ମିଟର ରହିଛି। ପ୍ରକାଶଥାଉକି, ଶଙ୍ଖ ନଦୀର ବିପଦ ସଙ୍କେତ ଜଳସ୍ତର ହେଉଛି ୩୭୯ ମିଟର। ବର୍ତ୍ତମାନ ଏହି ନଦୀରୁ ପ୍ରତି ସେକେଣ୍ଡ୍‌ରେ ୩୩.୫୩ ମିଟର କ୍ୟୁବ୍‌ ଜଳ ନିଷ୍କାସିତ ହେଉଛି। ତେବେ ଉପରମୁଣ୍ଡରେ ବର୍ଷା ନ କମିଲେ, ଶଙ୍ଖର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ଶଙ୍ଖ ତୁଳନାରେ କୋଏଲ ନଦୀର ଜଳସ୍ତର କମ୍‌ ରହିଛି। କାରଣ, କୋଏଲ ନଦୀର ଉପମରମୁଣ୍ଡରେ ଅପେକ୍ଷାକୃତ କମ୍‌ ବର୍ଷା ହୋଇଛି। କୋଏଲ ନଦୀର ବିପଦ ସଙ୍କେତ ଜଳସ୍ତର ୧୯୪ ମିଟର ଥିବାବେଳେ ଆଜିର ଜଳସ୍ତର ୧୮୭.୨୧୦ ମିଟର ଥିବା ରେକର୍ଡ କରାଯାଇଛି। ପ୍ରକାଶଥାଉକି, ଗତ ବର୍ଷ ଆଜିର ଦିନରେ କୋଏଲ ନଦୀର ଜଳସ୍ତର ସାମାନ୍ୟ କମ୍‌ ରହିଥିଲା। ୨୦୨୨ ଜୁନ୍‌ ୨୮ ତାରିଖରେ କୋଏଲ ନଦୀର ଜଳସ୍ତର ୧୮୬.୬୧୫ ମିଟର ରହିଥିଲା। ଅର୍ଥାତ୍‌, ଏବର୍ଷ(ଜୁନ ୨୮ ତୁଳନାରେ) ୦.୫୯୫ ମିଟର ଅଧିକ ରହିଛି।
ମନ୍ଦିରା ଡ୍ୟାମ୍‌ରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ
ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଶଙ୍ଖ ନଦୀଳ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ମନ୍ଦିରା ଡ୍ୟାମ୍‌ର ଜଳସ୍ତର ମଧ୍ୟ ବଢ଼ିଛି। ଏଣୁ ଡ୍ୟାମ୍‌ରେ ଜଳସ୍ତର ସତର୍କ ସଙ୍କେତ ଛୁଇଁବା ପୂର୍ବରୁ ଆଜି ଚଳିତ ବର୍ଷ ପ୍ରଥମଥର ପାଇଁ ବର୍ଷା ଜଳ ନିଷ୍କାସନ କରାଯାଇଛି। ବୁଧବାର ସନ୍ଧ୍ୟା ପ୍ରାୟ ୭ଟାରେ ଡ୍ୟାମ୍‌ରୁ ପ୍ରଥମଥର ପାଇଁ ବନ୍ୟା ଜଳ ଛଡ଼ା ଯାଇଥିଲା। ପ୍ରଥମେ ଗୋଟିଏ ଗେଟ୍‌କୁ ମାତ୍ର ୬ ଇଞ୍ଚ୍‌ ଖୋଲାଯାଇଥିଲା। ପରେ ରାତି ୧୦ଟା ସୁଦ୍ଧା ୨ଟି ଗେଟ୍‌କୁ ଗୋଟିଏ ଫୁଟ୍‌ ପର୍ଯ୍ୟନ୍ତ ଖୋଲାଯାଇଛି। ଆଗାମୀ ଦିନରେ ଯଦି ଶଙ୍ଖ ନଦୀର ଜଳସ୍ତର ବୃଦ୍ଧି ହୁଏ; ତା’ହେଲେ ଡ୍ୟାମ୍‌ରୁ ଅଧିକ ପରିମାଣରରେ ଜଳ ନିଷ୍କାସନ ପାଇଁ ଅନ୍ୟ ଗେଟ୍‌ ଖୋଲାଯିବ। ଉଲ୍ଲେଖଯୋଗ୍ୟ, ମନ୍ଦିରା ଡ୍ୟାମ୍‌ରେ ମୋଟ୍‌ ୧୧ଟି ଗେଟ୍‌ ରହିଛି। ଡ୍ୟାମ୍‌ର ବିପଦ ସଙ୍କେତ ଜଳଜସ୍ତର ହେଉଛି ୬୯୦ ମିଟର ରହିଛି। ବର୍ତ୍ତମାନ ଜଳସ୍ତର ୬୮୦.୨ ମିଟର ଛୁଇଁଛି। ଆଜି ଡ୍ୟାମ୍‌ର ଗେଟ୍‌ ଖୋଲିବାର ଦିନକ ପୂର୍ବରୁ ରାଉରରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା। ବିଶେଷକରି ନଦୀକୂଳ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ରଖିବାକୁ ବିଭିନ୍ନ ଗଣମାଧ୍ୟମରେ ସୂଚନା ଦିଆଯାଇଥିଲା।
ସମ୍ବନ୍ଧିତ ଖବର