ବ୍ରଜରାଜନଗର ଉପନିର୍ବାଚନ, ବିଜେଡି ଟିକେଟ ନେଇ ଚର୍ଚ୍ଚାରେ ପ୍ରତ୍ୟୁଷ ପଣ୍ଡା

ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ଟିକେଟ କାହାକୁ ‌ମିଳିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ପୂର୍ବରୁ ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କ ବହୁ ଅନନ୍ୟା ନାଏକଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଏହି ତାଲିକାରେ ଆଉ ଜଣଙ୍କ ନାମ ଯୋଡ଼ି ହୋଇଛି। କୋଭିଡର ଭୟାବହ ପରିସ୍ଥିତି ବେଳେ ରୋଗୀ ଅମ୍ଳଜାନ ଅଭାବରେ ଛଟପଟ ହେଉଥିବା ବେଳେ ବାସୁ ଫାଉଣ୍ଡେସନ ଜରିଆରେ ସାରା ପଶ୍ଚିମ ଓଡ଼ିଶାରେ ମାଗଣା ଅମ୍ଳଜାନ କନ୍‌ସେନ୍‌ଟ୍ରେଟର୍‌ ଯୋଗାଣ କରିଥିବା ଫାଉଣ୍ଡେସନର ମୁଖ୍ୟ ପ୍ରତ୍ୟୁଷ ପଣ୍ଡାଙ୍କ ନାମ ଭୁବନେଶ୍ବର ଦରବାରରେ ଚର୍ଚ୍ଚା ହେଉଥିବା ଜଣାଯାଇଛି। ଶ୍ରୀ ପଣ୍ଡା ବ୍ରଜରାଜନଗରର ସାମ୍ବାଦିକ ସ୍ବର୍ଗତ ବାସଦେବ ପଣ୍ଡାଙ୍କ ପୁତ୍ର। ସେ ଏବେ ଏଲ ଆଣ୍ଡ ଟି ଇନ୍‌ଫୋଟେକ୍‌ରେ ବରିଷ୍ଠ ନିର୍ଦ୍ଦେଶକ ତଥା ସିଏସ୍‌ଆର୍‌ ମୁଖ୍ୟ ଅଛନ୍ତି। କେୟାର ଭଳି ଅନ୍ତର୍ଜାତୀୟ ସଂସ୍ଥା, ବେଦାନ୍ତ, ହୋଲସିମ୍‌, ଏସିସି ଲିମିଟେଡ୍‌ରେ କାର୍ଯ୍ୟ କରି ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। କୋଭିଡ ବେଳେ ୧୨ରୁ ଅଧିକ ଅମ୍ଳଜାନ ବ୍ୟାଙ୍କ, ଗୋଟିଏ କୋଭିଡ କେୟାର ସେଣ୍ଟର, ୭୬ଟି ଅମ୍ଳଜାନ କନ୍‌ସେନ୍‌ଟ୍ରେଟର, ୫ଟି ଡିଜିଟାଲ ଗ୍ରାମ ଶିକ୍ଷା କେନ୍ଦ୍ର, ୪ଟି ଲାଇଫ୍‌ ସ୍ମିଲିଂ ଟ୍ରେନିଂ ସେଣ୍ଟର ପରିଚାଳନା କରିଥିଲେ। ତାଙ୍କ ନାମ ବିଜେଡି ହାଇକମାଣ୍ଡଙ୍କ ବିଚାରାଧୀନ ଥିବା ଚର୍ଚ୍ଚା ହେଉଛି। ତେବେ ଏ ବାବଦରେ ଶ୍ରୀ ପଣ୍ଡାଙ୍କୁ ପଚରାଯିବାରୁ ସେ ଏହାକୁ ଅସ୍ବୀକାର କରି ନଥିବା ବେଳେ ସୁଯୋଗ ପାଇଲେ ତାଙ୍କ ଅଞ୍ଚଳର ଲୋକଙ୍କ ସେବା କରବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର