ବ୍ରିଟେନ୍‌ ସରକାରଙ୍କ ନୂଆ ୨ବର୍ଷିଆ ଭିସା, ଉପକୃତ ହେବେ ଭାରତ ସମେତ ବିଦେଶୀ ଛାତ୍ର

ଭୁବନେଶ୍ବର : ବ୍ରିଟେନ ସରକାରଙ୍କ ପକ୍ଷରୁ ଅଧ୍ୟୟନ ପରବର୍ତୀ କାର୍ଯ୍ୟ ପାଇଁ ୨ବର୍ଷିଆ ନୂତନ ଭିସା ଘୋଷଣା କରାଯାଇଛି। ଏହି ନୂତନ ଭିସା ଜରିଆରେ ବ୍ରିଟେନରେ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟ ବିଦେଶୀ ଛାତ୍ରଛାତ୍ରୀ ମଧ୍ୟ ଲାଭବାନ ହୋଇପାରିବେ। ଏହି ଘୋଷଣା ଫଳରେ ସ୍ଥାନୀୟ ସରକାର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଗବେଷଣା ଓ ଅନ୍ୟାନ୍ୟ କ୍ଷେତ୍ରରେ ବିଶ୍ବର ଅଗ୍ରଣୀ ଯୁବପିଢ଼ିଙ୍କୁ ବ୍ରିଟେନରେ କାର୍ଯ୍ୟ କରିବା ପାଇ ଆକୃଷ୍ଟ କରିପାରିବେ ବୋଲି କୁହାଯାଇଛି।

ଗୃହ ସଚିବ ପ୍ରୀତି ପଟେଲ କହିଛନ୍ତି, ନୂତନ ଭିସା ଘୋଷଣା ଫଳରେ ବିଦେଶୀ ଛାତ୍ରଛାତ୍ରୀମାନେ ବ୍ରିଟେନରେ ପାଠପଢ଼ା ସହିତ ଆବଶ୍ୟକ କାର୍ଯ୍ୟ ଅଭିଜ୍ଞତା ହାସଲ କରିପାରିବେ। ଭାରତରେ ବ୍ରିଟିଶ ହାଇକମିସନର ଡୋମିନିକ୍ ଆସକ୍ବିଥ କହିଛନ୍ତି, ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ସୁଖଦ ଖବର। ବ୍ରିଟେନରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନିଜର ଦକ୍ଷତାର ବିକାଶ ଓ ଅଭିଜ୍ଞତା ପାଇଁ ଅଧିକ ସମୟ ପାଇପାରିବେ। ଉଚ୍ଚଶିକ୍ଷା ପାଇଁ ବ୍ରିଟେନ ଏକ ଉପଯୁକ୍ତ ସ୍ଥାନ ହୋଇଥିବା ବେଳେ ବିଦେଶୀ ଛାତ୍ରଛାତ୍ରୀମାନେ ଏହାର ଫାଇଦା ନେବା ଉଚିତ। ଗତ କିଛିବର୍ଷ ଧରି ବ୍ରିଟେନରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟ‌ାରେ ବୃଦ୍ଧି ଘଟିଛି, ଗତ ୩ବର୍ଷରେ ଏହା ଦ୍ବିଗୁଣିତ ହୋଇଛି। ଗତବର୍ଷ ଏଥିରେ ୪୨ ପ୍ରତିଶତ ବୃଦ୍ଧି ହୋଇଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ୩ବର୍ଷରେ ବ୍ରିଟେନରେ ୨୨ହଜାର ଭାରତୀୟ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବ୍ରିଟେନରେ ଭିସା ପାଇଁ ଆବେଦନ କରୁଥିବା ୯୬ ପ୍ରତିଶତ ଛାତ୍ରଛାତ୍ରୀ ଭିସା ପାଇବାରେ ସଫଳ ହୋଇଥାନ୍ତି। ୫୬ହଜାରରୁ ଅଧିକ ଭାରତୀୟଙ୍କୁ ସ୍କିଲ ଭିସା ମିଳିପାରିଛି, ଯାହାକି ଗତବର୍ଷ ତୁଳନାରେ ୫ପ୍ରତିଶତ ଅଧିକ। ସେହିପରି ୫ଲକ୍ଷ ଭାରତୀୟଙ୍କୁ ସ୍ଥାନୀୟ ସରକାର ମଧ୍ୟ ପରିଦର୍ଶନ ଭିସା ପ୍ରଦାନ କରିଛନ୍ତି। ସରକାରଙ୍କ ଏହି ନୂତନ ଭିସାର ଘୋଷଣା ଫଳରେ ବ୍ରିଟେନ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତରେ ଏକ ଅଗ୍ରଣୀ ଭୂମିକା ହାସଲ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର