ଏସ୍‌ସିବିରେ ବଳିଆ ଚିନ୍ତା : ବସିଲା ବିଶେଷଜ୍ଞ କମିଟି ବୈଠକ, ବିଭିନ୍ନ ଔଷଧ ପରିମାଣର ପରିବର୍ତ୍ତନ ପାଇଁ ନିଷ୍ପତ୍ତି

କଟକ : ବଳିଆକୁ ବାରମ୍ବାର ବାତ ମାରୁଛି। ମଝିରେ ମଝିରେ ଜ୍ବର ମଧ୍ୟ ଆସୁଛି। ବଳିଆର ଏଭଳି ସମସ୍ୟା ଏସ୍‌ସିବି ବିଶେଷଜ୍ଞ କମିଟି ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଆଗକୁ କିପରି ଚିକିତ୍ସା କରାଯିବ, ଚିକିତ୍ସା ବ୍ୟବସ୍ଥାରେ କ’ଣ ପରିବର୍ତ୍ତନ ହେବ ସେ ସଂପର୍କରେ ବିଶେଷଜ୍ଞ କମିଟି ବିଚାରବିମର୍ଶ କରୁଥିବା ଜଣାପଡ଼ିଛି।

ଆଜି ପ୍ରଫେସର ସୁଧାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞ କମିଟିର ଏକ ବୈଠକ ବସିଥିଲା। ବୈଠକରେ ନ୍ୟୁରୋଲୋଜି, ନ୍ୟୁରୋସର୍ଜରି, ‌ଶିଶୁରୋଗ ବିଶେଷଜ୍ଞମାନେ ‌ଯୋଗ ଦେଇଥିଲେ। ବୈଠକରେ ବଳିଆର ଜ୍ବର ହେବା ଓ ବାତ ମାରିବାର କାରଣ ଖୋଜିବା ପାଇଁ ରକ୍ତ କଲ୍‌ଚର କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାସହିତ ବିଭିନ୍ନ ଔଷଧର ପରିମାଣ (‌ଡୋଜ)ରେ ମଧ୍ୟ ପରିବର୍ତ୍ତନ କରାଯିବା ପାଇଁ ଚୂଡ଼ାନ୍ତ ହୋଇଥିବା କମିଟି ଅଧ୍ୟକ୍ଷ ପ୍ରଫେସର ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ଜଗା ସ୍ବାଭାବିକ ଭାବେ ସୁସ୍ଥ ରହିଛି। ସେ ୱାର୍ଡରେ ବୁଲୁଛି ଓ ଖେଳାଖେଳି ବି କରୁଛି।

କଟକ ବଡ଼ ମେଡିକାଲ୍‌ରେ ଜଗା-ବଳିଆ ଶନିବାର ଦିନ ଭର୍ତ୍ତି ହେବା ପରଠୁ ଦୁହିଁଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ରାଜ୍ୟବାସୀଙ୍କ ନଜର ରହିଛି। ଏଭଳି ବିରଳ ଅସ୍ତ୍ରୋପଚାର ପ୍ରଥମ ଥର ପାଇଁ ଭାରତରେ ହୋଇଛି ଓ ଏଥିରେ ଦୁଇ ଶିଶୁ ଜୀବିତ ଥିବାରୁ ସାଧାରଣ ଲୋକଙ୍କ ସମେତ ଦେଶର ବିଶେଷଜ୍ଞଙ୍କର ମଧ୍ୟ ନଜର ରହିଛି। ଏହା ଚିକିତ୍ସା ବିଜ୍ଞାନର ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। କିନ୍ତୁ ଜଗା ସୁସ୍ଥ ହେବା ସହିତ ସ୍କୁଲ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ବଳିଆ କିନ୍ତୁ ଶୋଇରହୁଛି। ବଳିଆର ସ୍ବାସ୍ଥ୍ୟାବସ୍ଥାରେ କିପରି ଉନ୍ନତି ଘଟିବ ସେ ନେଇ ଏସ୍‌ସିବିରେ ଗଠିତ ବିଶେଷଜ୍ଞ କମିଟି ଉଦ୍ୟମ ଚଳାଇଛି। ଏମ୍‌ସରେ ଯାହା ଚିକିତ୍ସା କରାଯାଉଥିଲା, ସେହି ରିପୋର୍ଟକୁ ଡାକ୍ତରୀ ଦଳ ତର୍ଜମା କରିବା ସହିତ ଔଷଧ ଓ ଏହାର ପରିମାଣରେ କିଛିଟା ପରିବିର୍ତ୍ତନ କରିଥିବା ସୂଚନା ମିଳିଛି। କିନ୍ତୁ ହଠାତ୍‌ କାହିଁକି ଜ୍ବର ଆସୁଛି, ସେ ସଂପର୍କରେ ରକ୍ତ କଲ୍‌ଚର ରିପୋର୍ଟ ଆସିବା ପରେ ଜ୍ବରର କାରଣ ସ୍ପଷ୍ଟ ହେବ ବୋଲି କମିଟି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଆଶାବ୍ୟକ୍ତ କରିଛନ୍ତି।

ଅନ୍ୟପକ୍ଷରେ ଜଗା କେଉଁ ସ୍କୁଲରେ ପଢ଼ିବ, ସେ ସଂପର୍କରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ। କିନ୍ତୁ ଜଗାକୁ ପଢାଇବା ପାଇଁ ୪ଟି ସ୍କୁଲ କର୍ତ୍ତୃପକ୍ଷ ଆଗ୍ରହ ପ୍ରକାଶ କରିଥିବା ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର