ଭୁବନେଶ୍ବର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ଆଜି କମିସନରେଟ୍‌ ପୁଲିସ ଚାର୍ଜସିଟ୍‌ ଦାଖଲ କରିଛି। ଖଣ୍ଡଗିରି ଥାନା ଆଇଆଇସି ଦୟାନିଧି ନାୟକ ଜେଏମ୍‌ଏଫ୍‌ସି କୋର୍ଟ-୫ରେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ ବିରୋଧରେ ୨୪ଶହ ପୃଷ୍ଠା ସମ୍ବଳିତ ତଥ୍ୟ ଦାଖଲ କରିଛନ୍ତି। ଯେଉଁଥିରେ ଉଭୟଙ୍କ ଆର୍ଥିକ କାରବାର ଠାରୁ ଆରମ୍ଭ କରି ସିଡିଆର ରିପୋର୍ଟ, ଘଟଣାସ୍ଥଳର ତଥ୍ୟ, ଫରେନସିକ ରିପୋର୍ଟ, ବ୍ୟାଙ୍କ ଟଙ୍କା ନେଣଦେଣ, ହ୍ୱାଟ୍‌ସଆପ ଚାର୍ଟ ତଥ୍ୟ ରହିଛି। ପୁଲିସ ଏଥିରେ ମଧ୍ୟ ଘର ମାଲିକଙ୍କ ତଥ୍ୟକୁ ଉପସ୍ଥାପନ କରିଛି। ଅର୍ଚ୍ଚନାଙ୍କ ଡାଏରିରେ ଥିବା ବହୁ ପ୍ରଭାବଶାଳୀଙ୍କ ନାଁକୁ ଆଧାର କରି ପୁଲିସ ସେମାନଙ୍କୁ ଜେରା କରିଥିଲା। ସେହିପରି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ହ୍ବାଟ୍‌ସଆପ୍‌ ଚାର୍ଟ ଏବଂ କଲ୍ ଡିଟେଲ୍ସରୁ ପୁଲିସ କେତେକ ଲୋକଙ୍କୁ ସନ୍ଦେହ କରି ଜେରା କରିଥିଲା। ଜେରା ସମୟରେ ପୁଲିସ ଉଭୟଙ୍କ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଥିଲା। ସମସ୍ତ ତଥ୍ୟକୁ ପୁଲିସ କୋର୍ଟରେ ଦାଖଲ କରିଛି। ଏହାଛଡ଼ା ଉଭୟ ବିଭନ୍ନ ଲୋକଙ୍କ ସହ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ କାରବାର କରିଥିବା ଚାର୍ଜସିଟରେ ଦର୍ଶାଯାଇଛି। ପୁଲିସ ଚାର୍ଜସିଟ୍‌ ଦାଖଲ ପରେ ବଡ଼ବଡ଼ିଆ ଓ ପ୍ରଭାବଶାଳୀଙ୍କ ମଧ୍ୟରେ ଛନକା ପଶିଛି।

Advertisment

ଜେଏମ୍‌ଏଫ୍‌ସି କୋର୍ଟରେ ୨୪ଶହ ପୃଷ୍ଠା ସମ୍ବଳିତ ତଥ୍ୟ
କୋଟିଏରୁ ଊର୍ଧ୍ବ ଟଙ୍କାର ଅର୍ଥିକ କାରବାର
ଡାଏରିରେ ଥିବା ପ୍ରଭାବଶାଳୀଙ୍କ ସମ୍ପର୍କରେ ଉଲ୍ଲେଖ
କଟିଲା ଦଫା ୪୧୯ ଓ ୪୬୫

ଅନ୍ୟପଟେ ଚାର୍ଜସିଟରେ ଉଲ୍ଲିଖିତ ତଥ୍ୟ ଅନୁଯାୟୀ, ପୁଲିସ ୩୪୧, ୩୨୮, ୩୨୪, ୩୫୪ସି, ୩୭୦, ୩୮୬, ୩୮୭, ୪୨୦, ୩୮୯, ୬୬ ଇ ଓ ୬୭ ଦଫା ଲଗାଇଛି। ହେଲେ ପୂର୍ବରୁ ଏଥିରେ ଥିବା ୪୧୯ ଓ ୪୬୫ ଦଫାକୁ କାଟିଦିଆଯାଛି। ପ୍ରମାଣ ଅଭାବରୁ ଦୁଇଟି ଦଫାକୁ କମିସନରେଟ୍‌ ପୁଲିସ କାଟିଛି।

ପ୍ରକାଶ ଥାଉକି, ପୂର୍ବରୁ ଗତ ଜାନୁଆରି ୯ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୨୨୪୧ପୃଷ୍ଠା ସମ୍ବଳିତ ଏକ ଚାର୍ଜସିଟ ଦାଖଲ କରିଥିଲା। ଯେଉଁଥିରେ ଅଭିଯୁକ୍ତ ଭାବେ ୪ ଜଣଙ୍କର ନାମ ଉଲ୍ଲେଖ କରାଯାଇଥିଲା। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରା। ସେହିପରି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମଞ୍ଚେଶ୍ବର ଥାନା ଅଧୀନ ସତ୍ୟବିହାରରେ ଥିବା ବିଳାସପୂର୍ଣ୍ଣ ଘରକୁ ମଧ୍ୟ ଇଡି ଆଟାଚ୍‌ କରିଥିଲା। ଏହି ଘରର ମୂଲ୍ୟ ୩.୪ କୋଟି ଟଙ୍କା ଆକଳନ କରାଯାଇଛି। କିଛିଦିନ ତଳେ ଇଡି ଉକ୍ତ କୋଠା ମାପଚୁପ କରିଥିଲା। ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ କରିଥିଲା।

ଚାର୍ଜସିଟରେ ଇଡି ଉଲ୍ଲେଖ କରିଥିଲା ଯେ ଅର୍ଚ୍ଚନା ନଗ୍ନ ଭିଡିଓ ସୁଟିଂ କରି ବ୍ଲାକମେଲ୍ କରୁଥିଲେ। ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବରଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର ଆର୍ଥିକ କାରବାର ହୋଇଛି। ଅର୍ଚ୍ଚନାଙ୍କ ମାୟାଜାଲରେ ଫିଲ୍ମ ପ୍ରଯୋଜକଙ୍କଠାରୁ ଆରମ୍ଭ କରି ହୋଟେଲ ବ୍ୟବସାୟୀ, ବିଲଡର, ନେତା ଓ ପ୍ରଶାସନିକ ଅଧିକାରୀମାନେ ବ୍ଲାକମେଲ୍‌ର ଶିକାର ହୋଇଛନ୍ତି। ୨୨୪୧ ପୃଷ୍ଠାର ଏହି ଚାର୍ଜସିଟରେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ସବିଶେଷ ତଥ୍ୟ ଉଲ୍ଲେଖ ରହିଛି।