ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଚାର୍ଜଫ୍ରେମ୍: ୨୦୧୧ ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ମାମଲା

କଟକ: ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ଦାୟିତ୍ବ ସଂପାଦନରେ ବାଧା ଅଭିଯୋଗ ମାମଲାରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ କଟକ ଜେଏମ୍‌ଏଫସି ଅଦାଲତରେ ଚାର୍ଜଫ୍ରେମ ହୋଇଛି। ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଥିବା ମାମଲାର ବିଚାର କରୁଥିବା ଜେଏମ୍‌ଏଫସି ଦୀପଙ୍କର ବଳଙ୍କ ଅଦାଲତରେ ଶ୍ରୀ ମହତାବ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ଶ୍ରୀ ମହତାବଙ୍କ ବିରୋଧରେ ଆଇପିସିର ଦଫା ୩୪୧ (ବେଆଇନ ଭାବେ ଅଟକାଇବା), ୩୨୩ (ମାଡ଼ ମାରିବା), ୨୯୪ (ଗାଳିଗୁଲଜ କରିବା), ୩୩୨ (ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ଦେବା), ୩୫୩ (ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ଦେବା ପାଇଁ ବଳ ପ୍ରୟୋଗ କରିବା), ୫୦୬ (ଧମକ ଦେବା)ରେ ଅଦାଲତ ଆଜି ଚାର୍ଜଫ୍ରେମ କରିଛନ୍ତି। ଏପ୍ରିଲ ୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୧ ଜାନୁଆରି ୨୩‌ରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଆୟୋଜିତ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମ ସମୟରେ ଏହି ଘଟଣା ଘଟିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳାରେ ରକ୍ଷା କାର୍ଯ୍ୟରେ ନିୟୋଜିତ ତତ୍କାଳୀନ ପୁଲିସ୍‌ ଏସ୍‌ଆଇ (ବର୍ତ୍ତମାନର ଏସିପି) ଅମିତାଭ ମହାପାତ୍ର ଓ ଶ୍ରୀ ମହତାବଙ୍କ ମଧ୍ୟରେ ଏହି ବିବାଦ ହୋଇଥିଲା। ଏହି ଘଟଣାକୁ ନେଇ ଦରଘାବଜାର ଥାନାରେ ଶ୍ରୀ ମହାପାତ୍ର ଏତଲା ଦେଇଥିଲେ। ଅଭିଯୋଗର ତଦନ୍ତ ପରେ ୨୦୧୮ ମାର୍ଚ୍ଚ ୧୯ରେ ଶ୍ରୀ ମହତାବଙ୍କ ବିରୋଧରେ ପୁଲିସ ଚାର୍ଜସିଟ ଦାଖଲ କରିଥିଲା। ଏହି ମାମଲାରେ ପୂର୍ବରୁ ଶ୍ରୀ ମହତାବଙ୍କୁ ହଜାର ହେବା ପାଇଁ ଅଦାଲତ ସମନ୍ ଜାରି କରିଥିଲେ। କିନ୍ତୁ ସେ ନ ଆସିବାରୁ ଅଦାଲତ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ଆଜି ଶ୍ରୀ ମହତାବ ବ୍ୟକ୍ତିଗତ ଭାବେ ହାଜର ହେବା ସହିତ ଗିରଫ ପରୱାନା ନିର୍ଦ୍ଦେଶ ପ୍ରତ୍ୟାହାର ପାଇଁ ନିବେଦନ କରିଥିଲେ। ଅଦାଲତ ଗିରଫ ପରୱାନା ପ୍ରତ୍ୟାହାର କରିବା ସହିତ ଶ୍ରୀ ମହତାବଙ୍କ ବିରୋଧରେ ଚାର୍ଜଫ୍ରେମ କରିଥିଲେ। ଚାର୍ଜଫ୍ରେମ ପରେ ଏହି ମାମଲାରେ ଆଗକୁ ସାକ୍ଷ୍ୟ ଗ୍ରହଣ ହେବ। ପ୍ରଥମେ ଅଭିଯୋଗକାରୀ ଅମିତାଭ ମହାପାତ୍ରଙ୍କ ଠାରୁ ସାକ୍ଷ୍ୟଗ୍ରହଣ ହେବ ବୋଲି ସୂଚନା ମିଳିଛି। ସରକାରଙ୍କ ପକ୍ଷରୁ କ୍ୟାଡର ଏପିପି ଅଫ୍ରୋଜ୍ ଅହମ୍ମଦ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର