ମିସନ ଶକ୍ତି କର୍ମକର୍ତ୍ତାଙ୍କ ଦେୟ ବଢ଼ାଇଲେ ମୁଖ୍ୟମନ୍ତ୍ରୀ: ବୈଠକ ଦେୟ ପରିମାଣ ୫୦୦ ଟଙ୍କା ବୃଦ୍ଧି

ବର୍ଷକୁ ଖର୍ଚ୍ଚ ହେବ ୨୪୯ କୋଟି, ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ ହେବ

ଭୁବନେଶ୍ବର: ମିସନ ଶକ୍ତି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରସନ୍‌ର କର୍ମକର୍ତ୍ତାମାନଙ୍କର ବୈଠକ ଦେୟ ବୃଦ୍ଧି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନ୍‌ର ସଭାପତି ଓ ସମ୍ପାଦକ ତଥା ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ବୈଠକ ଦେୟ ପରିମାଣରେ ୫୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଦେୟ ପରିମାଣ ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ ହେବ।

ବ୍ଲକସ୍ତରୀୟ ଫେଡେରସନ୍‌ର ସଭାପତି ଓ ସମ୍ପାଦକମାନେ ବୈଠକ ପାଇଁ ପୂର୍ବରୁ ୪,୦୦୦ ଟଙ୍କା ପାଉଥିବା ବେଳେ ଏବେ ୪,୫୦୦ ଟଙ୍କା ପାଇବେ। ସେହିପରି ଏହାର ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ପୂର୍ବରୁ ୨,୦୦୦ ଟଙ୍କା ପାଉଥିବା ବେଳେ ଏବେ ୨,୫୦୦ ଟଙ୍କା ପାଇବେ। ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନ୍‌ର ସଭାପତି ଓ ସମ୍ପାଦକମାନେ ବୈଠକ ପାଇଁ ପୂର୍ବରୁ ୨,୦୦୦ ଟଙ୍କା ପାଉଥିବାବେଳେ ଏବେ ୨,୫୦୦ ଟଙ୍କା ପାଇବେ ଏବଂ ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟାମାନେ ପୂର୍ବରୁ ୧,୦୦୦ ଟଙ୍କା ପାଉଥିବା ବେଳେ ଏବେ ୧,୫୦୦ ଟଙ୍କା ପାଇବେ। ଏହା ଦ୍ୱାରା ବର୍ଷକୁ ୨୪୯.୨୧ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟରେ ସମୁଦାୟ ୬୭୬ ଜଣ ବ୍ଲକସ୍ତରୀୟ ଫେଡେରସନ୍‌ ସଭାପତି ଓ ସମ୍ପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୩୦୪୨। ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନ୍‌ରେ ୧୩,୫୮୮ ଜଣ ସଭାପତି ଓ ସମ୍ପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୧,୦୮,୭୦୪। ମୋଟ୍‌ ୧,୨୬,୦୧୦ କର୍ମକର୍ତ୍ତା ଉପକୃତ ହେବେ।

ରାଜ୍ୟରେ ମିସନ ଶକ୍ତି ଏକ ବିଶାଳ ଆନ୍ଦୋଳନରେ ପରିଣତ ହୋଇ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଥିରେ ବିଭିନ୍ନ ଗ୍ରାମପଞ୍ଚାୟତସ୍ତରୀୟ ଓ ବ୍ଲକସ୍ତରୀୟ ଫେଡେରେସନ୍‌ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସ୍ୱୟଂସହାୟକ ଗୋଷ୍ଠୀଙ୍କର କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ଦିଗରେ ଏହି ଫେଡେରେସନ୍‌ଗୁଡ଼ିକର ସ୍ୱତନ୍ତ୍ର ଭୂମିକା ରହିଛି। ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ମିସନ ଶକ୍ତି ଫେଡେରସନ୍‌ର କର୍ମକର୍ତ୍ତାମାନେ ସେମାନଙ୍କ ଦେୟ ପରିମାଣ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ବୈଠକ ଦେୟ ପରିମାଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର