ବାଲେଶ୍ବରବାସୀଙ୍କ ଦାବି ପୂରଣ କରିପାରିଲେନି ମୁଖ୍ୟମନ୍ତ୍ରୀ: ଶରତ

ଭାରତ ଯୋଡ଼ୋ ଯାତ୍ରା ଅବସରରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ବାଲେଶ୍ବର: ଦେଶର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପରିବର୍ତ୍ତନ ପାଇଁ କଂଗ୍ରେସ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ୋ ତଥା ଓଡ଼ିଶାରେ ପରିବର୍ତ୍ତନ ଯାତ୍ରା ବୁଧବାର ସଂଧ୍ୟାରେ ବାଲେଶ୍ବର ଜିଲ୍ଲାରେ ପହଞ୍ଚିବା ପରେ ଆଜି ବିରତି ନିଆଯାଇଥିଲା। ଆସନ୍ତାକାଲି ଠାରୁ ଏହି ଯାତ୍ରା ଭୋଗରାଇ ଅଭିମୁଖେ ବାହାରିବ। ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା, ଶ୍ରୀ ପଟ୍ଟନାୟକ ବାଲେଶ୍ବରର ବିକାଶ କଂଗ୍ରେସ ସରକାରଙ୍କ ସମୟରେ କିପରି ଥିଲା ଏବଂ ଏବେର ସରକାର ସେଗୁଡ଼ିକ ପ୍ରତି ଅଣଦେଖା କରି ଆସୁଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ସେ ବର୍ଷିଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ, ଗତ ବାଲେଶ୍ବର ସଦର ଉପନିର୍ବାଚନରେ ଏହି ଆସନ ପୁଣିଥରେ ବିଜେଡି ହାତକୁ ଯିବାପରେ ମୁଖ୍ୟମନ୍ତ୍ରୀ ବାଲେଶ୍ବର ବିକାଶର ଦାୟିତ୍ବ ନିଜ ହାତକୁ ନେଇଥିବା ଘୋଷଣା କରିଥିଲେ। ମାତ୍ର, ଆଜି ମୁଖ୍ୟମନ୍ତ୍ରୀଙ୍କ ସେହି ପ୍ରତିଶ୍ରୁତିକୁ ଦୁଇବର୍ଷ ପୂରିଥିବା ବେଳେ ଲୋକଙ୍କୁ ମୌଳିକ ସୁବିଧା ମଧ୍ୟ ଯୋଗାଇବାକୁ ଏ ସରକାର ବିଫଳ ହୋଇଛନ୍ତି। ବିର୍ଲା ଟାୟାର୍ସ, ଇସ୍ପାତ ଆଲଏଜ୍, ଇମାମୀ, ବାଲିଆପାଳରେ ସୂତାକଳ, ରୂପ୍‌ସାରେ ଝୋଟକଳ ଆଦି କଂଗ୍ରେସ ସମୟରେ ପ୍ରତିଷ୍ଠା ହୋଇଥିଲା। ସେଥିରେ ହଜାରହଜାର ଲୋକ କାମ କରୁଥିଲେ। ମାତ୍ର ବିଜେଡି ସରକାର ସମୟରେ ସେସବୁ ବନ୍ଦ ହୋଇଗଲା ଓ ସେଠାରେ କାମ କରୁଥିବା ହଜାରହଜାର ଶ୍ରମିକ କାମଧନ୍ଦା ନପାଇ ଅତ୍ୟନ୍ତ ଦୟନୀୟ ଜୀବନ ଜୀଉଁଛନ୍ତି। କେନ୍ଦ୍ରରେ ୟୁପିଏ ସରକାର ସମୟରେ ଏଠାରେ ଏମ୍‌ସ, ସିପେଟ୍, ନୋସି, ତlମୁଳିଆ, ଜଳେଶ୍ବର ଓ ସୋରୋ ଠାରେ ରେଲୱେ ପୋଲ ଆଦି ଅନେକ କାମ କରାଯାଇଛି।

ସେହିପରି ସୁବର୍ଣ୍ଣରେଖା ନଦୀର ବନ୍ୟା ଉତ୍ତର ଓଡ଼ିଶାବାସୀଙ୍କ ପାଇଁ ଦୁଃଖ ପାଲଟିଥିବା ବେଳେ ୨୦୦୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏହାର ସଂସ୍କାର ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ତାହା ଏବେବି ଶୀତଳଭଣ୍ଡାଳରେ ପଡ଼ିଛି। ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଜିଲ୍ଲା ଏକ ବିକଳ ଚିତ୍ର ନେଇ ଆଜି ଉଭା ହୋଇଛି। ବାଲେଶ୍ବରରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ହୋଇଛି। ମାତ୍ର ସେଠାରେ ଅଭିଜ୍ଞ ଡାକ୍ତର ନାହାନ୍ତି ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳୁ ନାହିଁ। ଜିଲ୍ଲାର ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛି। ୭୦ ରୁ ୮୦ ଶତାଂଶ ସ୍ଥାନରେ ଡାକ୍ତର ନାହାନ୍ତି। ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ମିଳୁନାହିଁ। ଶିକ୍ଷା ଅବସ୍ଥା ମଧ୍ୟ ଘୋର ଅବ୍ୟବସ୍ଥା ଭିତରେ ଗତି କରୁଛି। ଫକୀରମୋହନ ବିଶ୍ବବିଦ୍ୟାଳୟ ସମେତ ଜିଲ୍ଲାର ପ୍ରାୟ ସମସ୍ତ କଲେଜରେ ଆବଶ୍ୟକ ଅଧ୍ୟାପକ ଓ ପ୍ରାଧ୍ୟାପକ ନାହାନ୍ତି। ସ୍କୁଲ ଗୁଡ଼ିକରେ ଶିକ୍ଷକ ମରୁଡ଼ି। ଗୁଣାତ୍ମକ ଶିକ୍ଷା ନାହିଁ। ୫-ଟି ସ୍କୁଲ ନାମରେ ରୁପlନ୍ତିକରଣ ଆଳରେ କୋଟିକୋଟି ଟଙ୍କାର ଦୁର୍ନୀତି ଲୋକଲୋଚନକୁ ଆସିଛି।

ବାଲେଶ୍ବରରେ ବିକାଶର ଅନେକ ସମ୍ଭାବନା ରହିଛି। ଏଠାକାର ସମୁଦ୍ର ବେଳାଭୂମି, ରେଳପଥ, ମାନବ ଓ ପ୍ରାକୃତିକ ସମ୍ବଳ ବାଲେଶ୍ବର ବିକାଶର ଅସୁମାରୀ ସମ୍ଭାବନାକୁ ଇଙ୍ଗିତ କରେ। ଜିଲ୍ଲାରେ ଶାସକଦଳର ନେତାମାନେ ପଞ୍ଚାୟତ ଓ ବ୍ଲକମାନଙ୍କରେ ଦୁର୍ନୀତିର ରାଜ ଚଳାଇଛନ୍ତି। ସାଧାରଣ ଲୋକଙ୍କ ପାଖରେ ବିକାଶ ପହଞ୍ଚି ପାରୁନାହିଁ। ଯୋଜନା ସବୁ ବାଟମାରଣା ହେଉଛି। ଦୁର୍ନୀତି ସବୁଆଡ଼େ କାୟା ବିସ୍ତାର କରିଛି। ତେଣୁ କେନ୍ଦ୍ରର ବିଜେପି ସରକାରଙ୍କ ଜନବିରୋଧୀ ଓ ପ୍ରତାରଣାପୂର୍ଣ୍ଣ କାର୍ଯ୍ୟ ସବୁ ଏବେ ଲୋକେ ବୁଝିଲେଣି। ସେଥିପାଇଁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଲକ୍ଷଲକ୍ଷ ଲୋକ ଭାରତ ଯୋଡ଼ୋ ଯାତ୍ରା ସହିତ ଯୋଡ଼ି ହେଉଛନ୍ତି। ବାଲେଶ୍ବରକୁ ପୁଣିଥରେ ଶିଳ୍ପ ସମୃଦ୍ଧ କରିବା, ପର୍ଯ୍ୟଟନ ଶିଳ୍ପ ଓ କୃଷି ଶିଳ୍ପର ବିକାଶ କରିବା, ବନ୍ଦ କଳକାରଖାନାଗୁଡ଼ିକୁ ଖୋଲିବା, ସୁବର୍ଣ୍ଣରେଖା ସଂସ୍କାର ଯୋଜନାକୁ କାର୍ଯ୍ୟକାରୀ କରିବା, ଶିକ୍ଷା ଓ ସ୍ବାସ୍ଥ୍ୟ ଅବସ୍ଥାର ପରିବର୍ତ୍ତନ ଆଣିବା ପାଇଁ କଂଗ୍ରେସ ସଂକଳ୍ପ କରିଛି। ଜିଲ୍ଲାବାସୀଙ୍କ ସହଯୋଗ ଏଥିପାଇଁ ସେ କାମନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ବର ସଂସଦୀୟ କ୍ଷେତ୍ରର ନେତା ନବଜ୍ୟୋତି ପଟ୍ଟନାୟକ, କଂଗ୍ରେସ ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ଜିଲ୍ଲା ସଭାପତି ସଂଜୀବ ଗିରି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ୨୧୦ କିମି ଯାତ୍ରାପରେ ଆଜି ବିରତିର ଦିନ। ଆସନ୍ତାକାଲି ବାଲେଶ୍ବର ସହର ପରିକ୍ରମା କରି ସରିଲା ପରେ ଏହି ପରିବର୍ତ୍ତନ ଯାତ୍ରା କଳମା ନିକଟରେ ମୟୂରଭଞ୍ଜ ପ୍ରବେଶ କରିବ।

ସମ୍ବନ୍ଧିତ ଖବର