କମ୍ୟୁନିଟ୍ ହଲ୍‌କୁ ସିଲ୍ କଲେ ବିଏମ୍‌ସି କର୍ତ୍ତୃପକ୍ଷ, ଆଦାୟ ହେଲା ୧ ଲକ୍ଷ ଟଙ୍କା ଜରିମାନା

ଭୁବନେଶ୍ୱର: ସର୍ବସାଧାରଣ ସ୍ଥାନରେ ବର୍ଜ୍ୟ ପକାଇବା ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି ), ପୂର୍ବତଟ ରେଳବାଇ କମ୍ୟୁନିଟି ସେଂଟର ପରିଚାଳନା ଅଧିକାରୀଙ୍କଠାରୁ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। କେବଳ ସେତିକି ନୁହେଁ, ଏଣେତେଣେ ଓଦା ଓ ଶୁଖିଲା ବର୍ଜ୍ୟ ପକାଇଥିବା ମଂଚେଶ୍ୱରସ୍ଥିତ ରେଳବାଇ ଷ୍ଟାଫ୍ ବେନେଫିଟ୍ କମ୍ୟୁନିଟ୍ ହଲକୁ ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ସିଲ୍ କରିଦିଆଯାଇଥିଲା। ଆଜି ସକାଳୁ କମିସନର ଅଚାନକ ଭାବେ ୯ ନମ୍ବର ୱାର୍ଡ ଅଂଚଳ ପରିଦର୍ଶନରେ ଯାଇଥିଲେ। ରେଳବାଇର ମଂଚେଶ୍ୱର ଅଂଚଳରେ ଥିବା କମ୍ୟୁନିଟ୍ ହଲ୍ ଓ ମାର୍କେଟ ଅଂଚଳ ପରିଦର୍ଶନ କରିବା ସମୟରେ ରାସ୍ତା କଡରେ ଓଦା, ଶୁଖିଲା ଓ ପ୍ଲାଷ୍ଟିକ ବର୍ଜ୍ୟ ବିକ୍ଷିପ୍ତ ଭାବେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ । ଖାସ୍ କରି କମ୍ୟୁନିଟ୍ ହଲରୁ ବାହାରି ଥିବା ଓଦା, ଶୁଖିଲା ଓ ପ୍ଲାଷ୍ଟିକ ବର୍ଜ୍ୟ ରାସ୍ତାକଡ଼ରେ ଜାଣିଶୁଣି ପକାଇ ଦିଆଯାଇଥିବା ସ୍ପଷ୍ଟ ହୋଇଥିଲା।

ପୂର୍ବତଟ ରେଳବାଇର କମ୍ୟୁନିଟି ସେଂଟର ଦାୟିତ୍ୱରେ ଥିବା କର୍ମଚାରୀମାନେ ଖାମଖିଆଲି ଭାବେ ବର୍ଜ୍ୟ ପରିଚାଳନା କରୁଛି ବୋଲି ପ୍ରତୀୟମାନ ହେବା ପରେ କମିସନର ଘଟଣାସ୍ଥଳରେ ହିଁ ଉକ୍ତ କମ୍ୟୁନିଟ୍ ହଲ୍‌କୁ ସିଲ୍ କରିବାକୁ ନିର୍ଦେଶ ଦେଇଥିଲେ। ବର୍ଜ୍ୟ ଓଦା ଓ ଶୁଖୁଲା ପୃଥକୀକରଣ କରି ଦେବା ନିୟମ ବିଏମ୍‌ସି ଅଂଚଳରେ ଥିବା ସମସ୍ତ କଲ୍ୟାଣ ମଣ୍ଡପ ତଥା କମ୍ୟୁନିଟ୍ ହଲ୍ ପାଇଁ କଡ଼ାକଡ଼ି ଭାବେ ଲାଗୁ ହୋଇଛି ଏବଂ ତାହା ଏ କ୍ଷେତ୍ରରେ ମଧ୍ୟ କାର୍ଯ୍ୟକାରୀ ହେବ। ବାରମ୍ବାର ଏବଂ ବିଭିନ୍ନ ମାଧ୍ୟମରେ ସଚେତନ କରାଇବା ସତ୍ତ୍ବେ କର୍ତ୍ତୃପକ୍ଷ, କାର୍ଯ୍ୟକ୍ରମ କରୁଥିବା ସଂସ୍ଥା ବା ବ୍ୟକ୍ତି ବିଶେଷ ଯଦି ବର୍ଜ୍ୟ ପରିଚାଳନା ନିୟମ କାର୍ଯ୍ୟକାରୀ କରିବେ ନାହିଁ କିମ୍ବା ସଫା ଭୁବନେଶ୍ୱର
ଆପ୍ରେ ବିଏମ୍‌ସିକୁ ଅବଗତ କରାଇବେ ନାହିଁ, ତା ହେଲେ, ସଂପୃକ୍ତ ସଂଗଠନ ବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନର ରୋକଠୋକ୍ କହିଦେଇଛନ୍ତି।

ସେହିପରି ଭୋଜିଭାତ ଆୟୋଜନ କରୁଥିଲେ ନିୟମ ମୁତାବକ ବର୍ଜ୍ୟ ଉଠାଇବା ନିମନ୍ତେ ସଫା ଭୁବନେଶ୍ୱର ଆପ୍‌ର ଉପଯୋଗ କରିବାକୁ ହେବ। ଏଥିପାଇଁ ଆବଶ୍ୟକୀୟ ଦେୟ ଦେବାକୁ ପଡ଼ିବ । କାରଣ ବର୍ଜ୍ୟ ଏଣେତେଣେ ପକାଇବା ଦ୍ୱାରା ସାଧାରଣ ନାଗରିକଙ୍କ ଜୀବନଧାରଣ ମାନରେ କୁପ୍ରଭାବ ପକାଉଛି। ଜରିମାନା ଆଦାୟ ନ ହେବା ପର୍ଯ୍ୟନ୍ତ ରେଳବାଇ କମ୍ୟୁନିଟ୍ ହଲ୍ ବନ୍ଦ ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। ସିଲ୍ ହେବାର ଦୀର୍ଘ ୧୦ ଘଂଟା ପରେ କମ୍ୟୁନିଟ୍ ହଲ୍ ପରିଚାଳନା କମିଟିର ସଂପାଦକ ୧ ଲକ୍ଷ ଟଙ୍କା ବିଏମ୍‌ସିରେ ଜମା କରିଥିଲେ। ପରେ ବିଏମ୍‌ସି ପକ୍ଷରୁ କମ୍ୟୁନିଟ୍ ହଲ୍‌କୁ ସିଲ୍ ଖୋଲିଦିଆଯାଇଥିଲା।

ସମ୍ବନ୍ଧିତ ଖବର