୧୨ ହଜାର କ୍ଷତିଗ୍ରସ୍ତଙ୍କୁ ଏଯାଏ ମିଳିନି ଟଙ୍କା: ଫନି କ୍ଷତ ଶୁଖିନି, ଏପଟେ କରୋନା ମାଡ଼

କଟକ: ‘ଫନି କ୍ଷତ ଶୁଖିନି, ଏପଟେ କରୋନା ମାଡ଼’। ସଂପୂର୍ଣ୍ଣ ଘର ଭାଙ୍ଗିଥିଲେ ସୁଦ୍ଧା ତାକୁ ହିସାବକୁ ନିଆଯାଇନାହିଁ। କିଏ କେତେ ଟଙ୍କା ପାଇବ, ତାହାର ତାଲିକା ପ୍ରସ୍ତୁତ ହୋଇସାରିଛି। ତଥାପି, ମା‌ହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ୍‌ର ୧୨ହଜାର କ୍ଷତିଗ୍ରସ୍ତ ହିତାଧିକାରୀ‌ କେବେ ଟଙ୍କା ପାଇବେ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ନିର୍ବାଚନମଣ୍ଡଳୀର ଦୁଇ ତହସିଲ (ନିଶ୍ଚିନ୍ତକୋଇଲି, ମାହାଙ୍ଗା)ର ତହସିଲଦାର ୩ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଦର୍ଶାଇ ୯୫ ହଜାର ଟଙ୍କା ଦେଇଛନ୍ତି। ଅପରପକ୍ଷରେ, ସେହି ନିର୍ବାଚନମଣ୍ଡଳୀର ‍୧୨ହଜାରରୁ ଅଧିକ ଯୋଗ୍ୟ ହିତାଧିକାରୀ ଏହି ସହାୟତାରୁ ବଂଚିତ ହୋଇଛନ୍ତି। ଅଭିଯୋଗ ଅନୁସାରେ, ପୁନଃ ଯାଞ୍ଚ ପରେ ଯେଉଁମାନଙ୍କୁ ତାଲିକାରେ ସାମିଲ୍‌ କରାଯାଇଛି, ସେମାନଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗିଥିଲେ ମଧ୍ୟ ଆଂଶିକ ଭାଙ୍ଗିଥିବା ଦର୍ଶାଯାଇଛି। ଏବଂ, ଆଂଶିକ ଘର ଭାଙ୍ଗିବା ବାବଦରେ ୩୨୦୦ ଏବଂ ୫୨୦୦ ଦେବା ପାଇଁ ସ୍ଥିର ହୋଇଛି। ତଥାପି, ‘ଫନି’କୁ ବ‌ର୍ଷେ ପୂରିବାକୁ ଆଉ ମାସେ ବାକି ଥିବାବେଳେ ୧୨ ହଜାର କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ କୌଣସି ସହାୟତା ଦିଆଯାଇନାହିଁ।

ଅନ୍ୟପକ୍ଷରେ, କିଛି ଅଯୋଗ୍ୟ ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ଘର ଭାଙ୍ଗିଥିବା ଦର୍ଶାଯାଇ ୯୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି। ଏହା ଜଣାପଡ଼ିବା ପରେ ତଦନ୍ତ ହୋଇଛି। ମାତ୍ର, ତଦନ୍ତ କେବଳ ଚିଠିରେ ଅଟକିଛି। ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ତହସିଲଦାର କେବଳ ଉଭୟ ବିଡିଓଙ୍କୁ ଚିଠି ଖଣ୍ଡିଏ ଲେଖି ଚୁପ୍‌ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, କରୋନା ଭଳି ପରିସ୍ଥିତି ସମୟରେ ଆଜି ପର୍ଯ୍ୟନ୍ତ କ’ଣ ପାଇଁ ସେହି କ୍ଷତିଗ୍ରସ୍ତ ୧୨ହଜାର ହିତାଧିକାରୀଙ୍କୁ ଟଙ୍କା ଦିଆଯାଉନି, ସେ ସଂପର୍କରେ ଆଜି ଏସ୍‌ଆରସି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ମାହାଙ୍ଗା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜେପି ନେତା ସାରଦା ପ୍ରଧାନ।

ସମ୍ବନ୍ଧିତ ଖବର