ଏସ୍‌ସିବି ନର୍ସିଂ ସ୍କୁଲ୍‌ ହଷ୍ଟେଲ୍‌ରେ ଖୋଲିବ ୧ ହଜାର ‌ଶଯ୍ୟା ବିଶିଷ୍ଟ ‌କରୋନା ୱାର୍ଡ

ପଲ୍ୟୁମନାରି ମେଡିସିନ୍ ନିକଟରେ ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ

କଟକ : ଏସ୍‌ସିବି ମେଡିକାଲ ପରିସରରେ ଥିବା ନର୍ସିଂ ତାଲିମ ସ୍କୁଲ ହଷ୍ଟେଲରେ ଖୋଲାଯିବ ୧ ହଜାର ‌ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ‌କରୋନା ୱାର୍ଡ। ଆଜିଠାରୁ ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କେନ୍ଦ୍ରାଞ୍ଚଳ ରାଜସ୍ବ କମିସନର ଅନିଲ କୁମାର ସାମଲ ଏସ୍‌ସିବିକୁ ଯାଇ ସ୍ବତନ୍ତ୍ର କରୋନା ୱାର୍ଡ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଏସ୍‌ସିବି ଅଧୀକ୍ଷକ ପ୍ର‌ଫେସର ଡ‌ାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକ ଓ ଅନ୍ୟ ପଦାଧିକାରୀଙ୍କ ସହିତ ଏ ସଂପର୍କରେ ଆରଡିସି ଆଲୋଚନା କରିଛନ୍ତି। ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଏସ୍‌ସିବିରେ ୧ ହଜାର ଶଯ୍ୟା ପ୍ରସ୍ତୁତ କରିବା ପାଇଁ ଯୋଜନା କରିଥିବା ବେଳେ ସେହି ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପଟେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏସ୍‌ସିବି ପଲ୍ୟୁମନାରି ମେଡିସିନ ବିଭାଗ ପାଖରେ ଥିବା ଚାରି ମହଲାର ଉତ୍କର୍ଷ କେନ୍ଦ୍ରରେ ସ୍ବତନ୍ତ୍ର କରୋନା ୱାର୍ଡ ଓ ଆଇସିୟୁ ବ୍ୟବସ୍ଥା ହୋଇ ସାରିଛି। ଏଥିପାଇଁ ଆବଶ୍ୟକ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ତେବେ ଏସ୍‌ସିବିରେ ନର୍ସିଂ ତାଲିମ ସ୍କୁଲରେ ୧ ହଜାର ଶଯ୍ୟା ବ୍ୟବସ୍ଥା ଓ ଆଇସିୟୁ ପାଇଁ ଆଜିଠାରୁ କାର୍ଯ୍ୟ ଆରମ୍ଭ କରାଯାଇଛି। ସେହିସ୍ଥାନକୁ ଖାଲି କରାଯାଇ ସେଠାରେ ବେଡ ଓ ଆାଇସିୟୁ ବ୍ୟବସ୍ଥ‌ା କରିବା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅନ୍ୟପେଟ ଏଥିପାଇଁ ଯାହା ଭିତ୍ତିଭୂମି ଆବଶ୍ୟକ ସେସବୁ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ଆରଡିସି ଆରଆଣ୍ଡ୍‌ବି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଉକ୍ତ ସ୍ବତନ୍ତ୍ର ୱାର୍ଡ ପାଇଁ ଅନ୍ୟ ଯାହା କିଛି ଭିତ୍ତିଭୂମିର ଆବଶ୍ୟକତା ରହିଛି ସେ ସବୁକୁ ମଧ୍ୟ ଅନ୍ୟ ସଂପୃକ୍ତ ବିଭାଗ ଗୁଡିକ ତୁରନ୍ତ ଯୋଗାଇ ଦେବା ପାଇଁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର