ଏଣିକି ମୃତକ ପରିବାରକୁ ମିଳିବ କୋଭିଡ୍ ମୃତ୍ୟୁ ରିପୋର୍ଟ

ସୁନ୍ଦରଗଡ଼: ଏଣିକି କୋଭିଡ୍ ସଂକ୍ରମଣରେ କୋଭିଡ୍ ଡାକ୍ତରଖାନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ରିପୋର୍ଟ ସମ୍ପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରଦାନ କରିବେ। ମୃତକଙ୍କ ପରିବାରକୁ ଏହା ମିଳିବ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଏହି ନିଷ୍ପତ୍ତି ନେଇ ତାକୁ ତୁରନ୍ତ କାର୍ଯ୍ୟକାରୀ କରିଛନ୍ତି। ସଂକ୍ରମଣରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ରରେ କାରଣ ଉଲ୍ଲେଖ ନଥିବା ଓ କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ର ପରିବର୍ତ୍ତେ ଜିଲ୍ଲା ମୁଖ୍ୟଡାକ୍ତରଖାନା ଲେଖାଯିବାକୁ ନେଇ ମୃତକଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ଯୁବ ନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟଚିକିତ୍ସାତଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସରକାର କୋଭିଡକୁ ମହାମାରୀ ଓ ବିପର୍ଯ୍ୟୟ ଭାବେ ଘୋଷଣା କରିଥିବା ବେଳେ ନିୟମ ଅନୁଯାୟୀ ଏସ୍ଥିତିରେ ପରିବାରର ମୁଖ୍ୟ ବା ଘର ଚଳାଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ ନିର୍ଦ୍ଦେଶ ରହିଛି। ଏହା ଛଡ଼ା କରୋନାରେ ବାପାମା’ ଛେଉଣ୍ଡ ଛୁଆମାନଙ୍କ ପାଇଁ ବିଶେଷ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏଥିପାଇଁ ମୃତକଙ୍କ ଅସହାୟ ପରିବାର କରୋନା ମୃତ୍ୟୁର ପ୍ରମାଣପତ୍ର ଦାଖଲ କରିବା ଅପରିହାର୍ଯ୍ୟ ଥିବା ବେଳେ ମୃତକଙ୍କ ପରିବାରକୁ ସେପରି ପ୍ରମାଣପତ୍ର ଦିଆଯାଉ ନଥିବା ଓ ଏହା ଦ୍ବାରା ମୃତକଙ୍କ ପରିବାର ସହାୟତାରୁ ବଞ୍ଚିତ ହେଉଥିବା ସେ ଅଭିଯୋଗ କରିଥିଲେ।

ଦୁଇଟି ଲହରରେ ସୁନ୍ଦରଗଡ଼ ରାଣୀବଗିଚା ଶ୍ମଶାନରେ ୩ ଶହରୁ ଅଧିକ ମୃତ ଦେହ କୋଭିଡ୍ ମାର୍ଗଦର୍ଶିକାରେ ଦାହ ସଂସ୍କାର ହୋଇଥିଲା। ସେଥିମଧ୍ୟରୁ ୨ ଶହରୁ ଅଧିକ ମୃତକଙ୍କ ପରିବାରକୁ ସୁନ୍ଦରଗଡ଼ ପୌରପାଳିକା ପ୍ରମାଣପତ୍ର ଦେଇଥିବା ବେଳେ ସେଥିରେ ମୃତ୍ୟୁର କାରଣ କି ଏନଟିପିସି କୋଭିଡ୍ କେନ୍ଦ୍ରର ନାମ ନାହିଁ। ତେଣୁ ସଂକ୍ରମଣରେ ମୁରବି ବା ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଥିବା ପରିବାରକୁ ସହାୟକ ହେବାକୁ କୋଭିଡ୍ ମୃତ୍ୟୁ ରିପୋର୍ଟ ବା ପ୍ରମାଣପତ୍ର ଦେବାକୁ ସେ ଦାବି କରିଥିଲେ। ଏହା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଛି। ତେବେ କୋଭିଡ୍ କେନ୍ଦ୍ରରୁ କେବଳ ମୃତ୍ୟୁ ରିପୋର୍ଟ ମିଳିବ, ପୂର୍ବ ପରି ମୃତ୍ୟୁ ପ୍ରମାଣପତ୍ର ପୌରପାଳିକା ଦେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର