‘କେବଳ ଓଡ଼ିଶା ନୁହେଁ, ସାରା ଭାରତର ଚାଷୀଙ୍କୁ କେନ୍ଦ୍ର ସରକାର ଏମଏସପି ବୃଦ୍ଧି ନେଇ ପ୍ରତାରିତ କରିଛନ୍ତି’

ଭୁବନେଶ୍ବର: କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି କରନ୍ତୁ ବୋଲି ଦାବି ହୋଇ ଆସୁଥିବା ବେଳେ ଗୁରୁବାର ଏ ନେଇ ନିଜ ନିଜର ମତ ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ପୂର୍ବରୁ ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତିକୁ ପୂରା କରନ୍ତୁ ବୋଲି ଏହି ୨ ବରିଷ୍ଠ ନେତା ଦାବି କରିଛନ୍ତି।

ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ଦେବୀ ମିଶ୍ର କହିଛନ୍ତି, ‘କେବଳ ଓଡ଼ିଶା ନୁହେଁ, ସାରା ଭାରତର ଚାଷୀ ଏମଏସପି ବୃଦ୍ଧି ପାଇଁ ଦାବି କରି ଆସିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ କହି ଆସୁଛନ୍ତି କି ଆମେ  ଖର୍ଚ୍ଚର ଦେଢ଼ ଗୁଣା ଏମଏସପି ଦେବୁ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସେପରି ହୋଇନାହିଁ। କିଛିଟା ବଢିଛି, ଯାହାକି ସ୍ୱାଗତଯୋଗ୍ୟ।’

ଏମଏସ ସ୍ୱାମୀନାଥନ କମିସନ ଅନୁସାରେ, ଧାନ ପାଇଁ ଶାଢେ ତିନି ହଜାର ଖର୍ଚ୍ଚ ହେଉଛି। ଏମିତି କି ରାଜ୍ୟ ବିଧାନସଭାର ସର୍ବଦଳୀୟ କମିଟି ୨୯୩୦ ଟଙ୍କା ଦେବାକୁ ଦାବି କରିଥିଲା। ତେଣୁ ଆମେ ଆଶା କରୁଛୁ ଏହାର ପୁନର୍ବାର ବିଚାର କରି ବଢ଼ାଇବେ। ଅନ୍ତତଃ ୨୯୩୦ ଟଙ୍କାରେ ପହଞ୍ଚାଇବେ। ପୂର୍ବରୁ ବିଜେପି ଏନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା। ଦେଢ଼ ଗୁଣା ଉତ୍ପାଦନ ଖର୍ଚ୍ଚର ପାଇବ। ଅନ୍ତତଃ ସେତେ ନ ହେଲେ ବି ଖର୍ଚ୍ଚର ୧୦ ପ୍ରତିଶତ ଅନ୍ତତଃ ଚାଷୀ ପାଉ। ନ ହେଲେ ଲୋକ ଚାଷ ଛାଡି ପଳାଉଛନ୍ତି ବୋଲି ଦେବୀ ମିଶ୍ର କହିଛନ୍ତି।

ସେହିପରି ନରସିଂହ ମିଶ୍ର ଏଥିରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ‘ଖାଲି ଓଡ଼ିଶା ନୁହେଁ, ଭାରତ ବର୍ଷର ସମସ୍ତ ଚାଷୀଙ୍କ ପ୍ରତି କେନ୍ଦ୍ର ସରକାର ବେଇମାନି କରିଛନ୍ତି। ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଭିନ୍ନ ସମୟରେ ମିଛର ସାହାରା ନେଇଛନ୍ତି। ଓଡ଼ିଶା ସରକାର ବିଧାନସଭାରେ କହିଛନ୍ତି ୧ କୁଇଣ୍ଟାଲ ଧାନ ଉତ୍ପାଦ ପାଇଁ ୨୩୪୪ ଟଙ୍କା ଖର୍ଚ୍ଚ ହେଉଛି। ତେବେ ସ୍ୱାମୀନାଥନ କମିସନ ରିପୋର୍ଟ ଲାଗୁ କଲେ ୩୫୧୬ ହେବା କଥା। ବିଜେପି ୨୦୧୪ରେ କହିଥିଲା କି ସ୍ୱାମୀନାଥନ କମିଟି ରିପୋର୍ଟ ଗ୍ରହଣ କରିବୁ, କୁଆଡେ ଗଲା ସେ ପ୍ରତିଶ୍ରୁତି? ଏବେ ଯାହା ଏମ୍‌ଏସ୍‌ପି ବଢ଼ାଇଛନ୍ତି ଚାଷୀମାନେ ସେଥିରେ ପ୍ରତାରିତ ହୋଇଛନ୍ତି।’

ସମ୍ବନ୍ଧିତ ଖବର