ସୂର୍ଯ୍ୟମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଲୋକାର୍ପିତ

୧୩ ଏକର ଜାଗାରେ ପର୍ଯ୍ୟଟକଙ୍କ ପାଇଁ ବିଶ୍ୱମାନର ସୁବିଧା

କୋଣାର୍କ : କୋଣାର୍କ ଏକ ଭଗ୍ନସ୍ତପ ନୁହେଁ। ଏହା ମାନବସଭ୍ୟତାର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଓଡ଼ିଆଙ୍କ ପରିପ୍ରକାଶର ପ୍ରମାଣ। କୋଣାର୍କକୁ ମୁଣ୍ଡି ମାରିଥିବା ଧରମାର ବଳିଦାନ ସହ ଯୋଡ଼ି ହୋଇଥିବା ଏହି ଭାସ୍କର୍ଯ୍ୟ ଭରା ସ୍ମାରକ ଓଡ଼ିଆ ଯୁବକର ସାମୁହିକ ସ୍ୱାର୍ଥ ପାଇଁ ତ୍ୟାଗର ପ୍ରତୀକ। ଆଜି ପୂର୍ବାହ୍ନରେ କୋଣାର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବ୍ୟାଖ୍ୟାନ କେନ୍ଦ୍ର ଲୋକାର୍ପଣ କରି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏମିତି ବାର୍ତ୍ତା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୪୦ କୋଟି ଟଙ୍କା ବ୍ୟୟରେ ମୋଟ ୧୩ ଏକର ଜମିରେ କୋଣାର୍କର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସମୂହ ନିର୍ମିତ ହୋଇଥିବା ବେଳେ ୮ ଏକର ସ୍ଥାନରେ ନିର୍ମିତ ହୋଇଥିବା ଡ୍ରପ୍‌ ଅପ୍‌ ପଏଣ୍ଟ ସହିତ ବ୍ୟାଖ୍ୟାନ କେନ୍ଦ୍ର ହେଉଛି ବିଶେଷ ଆକର୍ଷଣ। ସୂର୍ଯ୍ୟମନ୍ଦିର ସନ୍ନିକଟ ରିଙ୍ଗରୋଡ୍‌ଠାରୁ ସୂର୍ଯ୍ୟମନ୍ଦିର ପର୍ଯ୍ୟନ୍ତ ଅଂଚଳକୁ ନେଇ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି।
ଇଣ୍ଡିଆନ ଅଏଲ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏହି ସମାରୋହରେ ପୁରାତନ ଓ ନୂତନ କଳାଭାସ୍କର୍ଯ୍ୟର ସମନ୍ଵୟରେ ନିର୍ମିତ ଏହି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପର୍ଯ୍ୟଟକଙ୍କୁ ଉତ୍କଳୀୟ କଳାଭାସ୍କର୍ଯ୍ୟ ସଂପର୍କରେ ଅବଗତ କରିବାରେ ସହାୟକ ହେବ ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଲୋକାର୍ପିତ ହୋଇଥିବା ଏହି ବ୍ୟାଖ୍ୟାନ କେନ୍ଦ୍ରର ପାଞ୍ଚଟି ଗ୍ୟାଲେରି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର ବିଚକ୍ଷଣ ସ୍ଥପତିରେ ମହିମା ମଣ୍ଡିତ ହୋଇଛି। ଏହି ବ୍ୟାଖ୍ୟାନ କେନ୍ଦ୍ରରେ ୧୫ ମିନିଟ୍‌ର ଏକ ପ୍ରାମାଣିକ ଚିତ୍ର ଚଳଚ୍ଚିତ୍ର ଜଗତର ସୁନାମ ଧନ୍ୟ ବ୍ୟକ୍ତିତ୍ୱ ଶିଶିର ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି। ଆନିମେସନ୍‌ ଚିତ୍ର ଦ୍ୱାରା କୋଣାର୍କର ପ୍ରସ୍ତୁତି ଓ ବୈଜ୍ଞାନିକ ପୃଷ୍ଠଭୂମି ଏହି ପ୍ରାମାଣିତ ଚିତ୍ର ଦ୍ୱାରା ବୁଝାଇବା ଅତ୍ୟନ୍ତ ସହଜ ହେବ। କୋଣାର୍କ ବିଶ୍ୱ ସ୍ଥାପତ୍ୟର ଅନନ୍ୟ କେନ୍ଦ୍ର। ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ସହାୟତାରେ କୋଣାର୍କ ଠାରେ ଅନ୍ତରାଷ୍ଟ୍ରୀୟ ମାନର ମୂର୍ତି କଳା ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ପାଇଁ ସେ ଦେଶର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଭାବେ ପଦକ୍ଷେପ ନେବେ। ସେହିପରି ସ୍ଥାନୀୟ ଜନ ଜୀବନରେ ଅଲିଭା ଛାପ ଛାଡ଼ିଥିବା ଉତ୍କଳମଣି ଗୋପବନ୍ଧୁଙ୍କର ସୁଆଣ୍ଡ ଗାଁର ଅବସ୍ଥା କ’ଣ ଅଛି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ ସରିବା ସହିତ ଏହାର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଏସଆଇ ତରଫରୁ ସ୍ଥାନୀୟ ଫଟୋଗ୍ରାଫର ମାନଙ୍କୁ କୋଣାର୍କ ଭିତର ଅଂଚଳରେ ଫଟୋ ଉଠାଇବାକୁ ବନ୍ଦ କରାଯିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ହଜାର ହଜାର ଲୋକଙ୍କ ଜୀବନ ଜୀବିକା ଛୋଟ ବ୍ୟବସାୟୀ ଓ ଟୁରିଷ୍ଟ୍‌ ଗାଇଡ଼୍‌ ଆକାରରେ ସୁରକ୍ଷିତ ରଖିବାକୁ ହେବ ବୋଲି ସେ କହିଥିଲେ।

ଲୋକାର୍ପଣ ଉତ୍ସବରେ ୟୁନେସ୍କୋ ଭୁବନେଶ୍ୱର ପ୍ରତିନିଧି ଶ୍ରୀଗେରି ଆୟୋଗି, ଭାରତ ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରିର ଡିଜି ଅଦ୍ୱୈତ ଗଡ଼ନାୟକ, ପଦ୍ମଶ୍ରୀ ପ୍ରଭାକର ମହାରଣା, ପଦ୍ମଶ୍ରୀ ସୁଦର୍ଶନ ସାହୁ ଓ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ସମେତ ଇଣ୍ଡିଆନ୍‌ ଅଏଲ୍‌ ଫାଉଣ୍ଡେସନ୍‌ ଅଧ୍ୟକ୍ଷ ସଂଜୀବ ସିଂଙ୍କ ସମେତ ବହୁ ଉଚ୍ଚପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ଓଡ଼ିଶା ଇତିହାସ, ସଂସ୍କୃତି, ପରମ୍ପରା, ଓ ସ୍ପାପତ୍ୟ ସଂପର୍କରେ ୫ଟି ଗ୍ୟାଲେରି ସ୍ଥାନୀତ ହୋଇଛି। ଏହାଛଡ଼ା ସୂର୍ଯ୍ୟ ସିଂହାସନ, ଅରୁଣ ସ୍ତମ୍ଭ, କୋଣାର୍କ ସୂର୍ଯ୍ୟମନ୍ଦିରର ପୂର୍ଣ୍ଣାଙ୍ଗ ମଡେଲ, ନୌବାଣିଜ୍ୟ ସ୍ମୃତି ସଂପର୍କରେ ବ୍ୟାଖ୍ୟା କରାଯାଇଛି। ଗୋଟିଏ ଗ୍ୟାଲେରିରେ ବିଶ୍ୱର ବିଭିନ୍ନ ସ୍ଥାନରେ ହେଉଥିବା ସୂର୍ଯ୍ୟପୂଜା ସଂପର୍କିତ ତଥ୍ୟ ମଧ୍ୟ ସ୍ଥାନ ପାଇଛି । ଏତଦ୍‌ବ୍ୟତୀତ ସୂର୍ଯ୍ୟମନ୍ଦିରର ନିର୍ମାଣ ଗାଥା ସଂପର୍କିତ ପ୍ରାମଣିକ ଚିତ୍ର ପ୍ରଦର୍ଶନ ପାଇଁ ନିର୍ମିତ ୬୦ ଆସନ ବିଶିଷ୍ଟ ଏକ ବିଶ୍ୱସ୍ତରୀୟ ଶୀତତାପ ନିୟନ୍ତ୍ରିତ ଅଡିଟୋରିୟମ୍‌ ନିର୍ମିତ ହୋଇଛି। ସେହିପରି ୫ ଏକର ଜାଗାରେ ନିର୍ମିତ ହୋଇଛି ଅତ୍ୟାଧୁନିକ ବସ୍‌ ପାର୍କିଂ ବ୍ୟବସ୍ଥା। ସେଠାରେ ଏକକାଳୀନ ୬୦ଟି ବସ୍‌ ରହିପାରିବା ଭଳି ବ୍ୟବସ୍ଥା ସହ ବିଶ୍ରାମ ସ୍ଥଳ, ସ୍ନାକ୍ସ କାଉଣ୍ଟର ଓ ଶୌଚାଳୟ ରହିଛି ।

ସୂଚନାଯୋଗ୍ୟ, ୨୦୧୩ ଜୁଲାଇ ମାସରେ ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ସେହିବର୍ଷ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବାବେଳେ ୨୦୧୬ ନଭେମ୍ବରରେ ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ।

ସମ୍ବନ୍ଧିତ ଖବର