ଆଖୁ ଦର ମାତ୍ର ୧୦ ଟଙ୍କା ବଢ଼ିବା ନେଇ ତେଜିଲା ଅସନ୍ତୋଷ

କଟିଙ୍ଗ୍ ଅର୍ଡର୍ ନ ରଖିବାକୁ ଚାଷୀଙ୍କୁ ନିବେଦନ କଲା ସଂଘ

ଆସିକା/ଶେରଗଡ଼ : ବାରମ୍ବାର ଦାବି ପରେ ସରକାର ଚଳିତ ବର୍ଷ ଟନ୍‌ ପିଛା ଆଖୁର ସହାୟକ ମୂଲ୍ୟରେ ମାତ୍ର ୧୦ ଟଙ୍କା ବୃଦ୍ଧି କରିଛନ୍ତି। ଏହାକୁ ନେଇ ଆସିକା ଚିନିଶିଳ୍ପକୁ ଆଖୁ ଯୋଗାଉଥିବା ଗଞ୍ଜାମ ଜିଲ୍ଲାର ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏକ ଟନ୍ ଆଖୁ ଉତ୍ପାଦନ ବାବଦରେ ୩୩୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଟନ୍ ପିଛା ସହାୟକ ମୂଲ୍ୟ ଅନ୍ତତଃ ୩୫୦୦ ଟଙ୍କା ଧାର୍ଯ୍ୟ କରିବାକୁ ଗତ ୩୦ ତାରିଖ ବୈଠକରେ ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା। ଏହାକୁ ବିଚାରକୁ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏକପାଖିଆ ଭାବେ ଗତବର୍ଷର ଦର ୨୯୭୦ ଟଙ୍କାରୁ ମାତ୍ର ୧୦ ଟଙ୍କା ବୃଦ୍ଧି କରିଥିଲେ। ଚଳିତ ବର୍ଷ ପାଇଁ ଟନ୍‌ ପଛା ୨୯୮୦ ଟଙ୍କା ଦର ଧାର୍ଯ୍ୟ ହୋଇଥିବା ନେଇ ଗତ ୧୦ ତାରିଖରେ ଘୋଷଣା କରାଯାଇଛି। ଯାହାକୁ ସଂଘ ବିରୋଧ କରିଛି। ତୁରନ୍ତ ଦର ବୃଦ୍ଧି ନେଇ, ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ଆସିକା ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକଙ୍କ ଲିଖିତ ଭାବେ ଦୃଷ୍ଟିଆକର୍ଷଣ କରାଯାଇଛି। ତେବେ ଏଭଳି ପରିସ୍ଥିତିରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ କଟିଙ୍ଗ୍ ଅର୍ଡର ନଖିବାକୁ ଚାଷୀ ମାନଙ୍କୁ ସଂଘ ନିବେଦନ କରିଛି।

ସଭାପତି ସମୀର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ଏଥିରେ ଆଲୋଚନା ହେବା ସହ ପ୍ରଶାସନର ଅବହେଳା ମନୋଭାବକୁ ନେଇ କ୍ଷୋଭ ପ୍ରକାଶ ପାଇଥିଲା। ଉପସଭାପତି ନାରାୟଣ ଜେନା, ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବରାଡ଼, ସହସମ୍ପାଦକ ବିଶ୍ୱେଶ୍ୱର ପ୍ରଧାନ, କୋଷାଧ୍ୟକ୍ଷ ଅନୁପ କୁମାର ଲେଙ୍କାଙ୍କ ସମେତ ଅଗ୍ରଣୀ ଚାଷୀ ମାନେ ଉପସ୍ଥିତ ଥିଲେ।

Free Press Journal

ସହାୟକ ମୂଲ୍ୟ ମାତ୍ର ୧୦ ଟଙ୍କା ବୃଦ୍ଧି ଚାଷୀଙ୍କୁ ହତାଶ କରିଛି। ଆଖୁ ଏକ ଅର୍ଥକରୀ ଫସଲ ହୋଇଥିବାରୁ ଗଞ୍ଜାମ ଜିଲ୍ଲାର ୧୬ଟି ବ୍ଲକ୍‌ର ଚାଷୀ ଏହା ଉପରେ ନିର୍ଭରଶୀଳ। କିନ୍ତୁ ୨୦୧୩ ଫାଇଲିନ୍ ଓ ପରବର୍ତ୍ତୀ ବନ୍ୟା ପରଠାରୁ ଜିଲ୍ଲାରେ ଆଖୁ ଚାଷ ଅହେତୁକ ଭାବେ ହ୍ରାସ ପାଇଛି। ଚଳିତ ବର୍ଷ ସବୁଠାରୁ କମ୍ ତଥା ଗତବର୍ଷଠାରୁ ଅଧା ମାତ୍ର ୪୦ ହଜାର ଟନ୍ ଆଖୁ ପେଡ଼ିବାକୁ ଚିନିଶିଳ୍ପ ଲକ୍ଷ୍ୟ ରଖିଛି। ପ୍ରାପ୍ୟ ବିଳମ୍ବରେ ମିଳୁଥିବା ବେଳେ ବନ୍ୟପ୍ରାଣୀଙ୍କ ଉପଦ୍ରବ ଯୋଗୁଁ ଆଖୁ ଫସଲ ନଷ୍ଟ ହେଉଛି। ସହାୟତା ମିଳୁ ନଥିବା କାରଣରୁ ଚାଷୀ ଆଖୁ ଚାଷ ପ୍ରତି ମୁହଁ ଫେରାଉଛନ୍ତି। ଦିନକୁ ଦିନ ଚାଷରେ ଲାଗୁଥିବା ସାର, ପିଡ଼ିଆ ଓ ଶ୍ରମିକଙ୍କ ପାଇଁ ଅଧିକ ଖର୍ଚ୍ଚ ହେଉଛି। ସେହି ହିସାବରେ ଦର ମିଳୁ ବୋଲି ସଂଘର ସଭାପତି ସମୀର ପ୍ରଧାନ କହିଛନ୍ତି। ଚଳିତ ବର୍ଷ ବହୁତ କମ୍ ଆଖୁ ଥିବା କାରଣରୁ ଚିନିଶିଳ୍ପ ମାତ୍ର ୨୦ରୁ ୨୫ ଦିନ ଚାଲିବ। ବର୍ତ୍ତମାନ ଚାଷୀଙ୍କୁ ପ୍ରୋତ୍ସାହିତ କରିବାର ସମୟ ଆସିଛି। କାରଣ ଚିନିଶିଳ୍ପ ଉପରେ ଚାଷୀ, ଶ୍ରମିକ ଓ କର୍ମଚାରୀଙ୍କ ସହିତ ବହୁ ପରିବାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରନ୍ତି। ଗୋଟିଏ ପଟେ ଶିଳ୍ପର ଋଣ ଭାର, ଅନ୍ୟପଟେ ଆଖୁ ଚାଷରେ ଅହେତୁକ ହ୍ରାସ ଶିଳ୍ପ ପ୍ରତି ବିପଦ ସୃଷ୍ଟି କରିଛି। ବେଳଥାଉଣୁ ସରକାର ଶିଳ୍ପକୁ ବଞ୍ଚାଇବା ଲାଗି ରାସ୍ତା ପ୍ରସ୍ତୁତ ନକଲେ ଚିନିଶିଳ୍ପ ଇତିହାସ ପାଲଟିିଯିବ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର