କରୋନା ଯୋଦ୍ଧାଙ୍କୁ ସଲାମ୍ : କର୍ତ୍ତବ୍ୟ ପାଇଁ ବାହାଘରକୁ ସ୍ଥଗିତ ରଖିଲେ ଡାକ୍ତର
ଏକା ରହୁଥିବା ବାପାମା’ଙ୍କ ପାଖକୁ ବି ଯାଇନାହାନ୍ତି
କ.ନୂଆଗାଁ : କର୍ତ୍ତବ୍ୟ ଆଗ, ଆଉ ସ୍ବାର୍ଥ ପଛ। ତେଣୁ କର୍ତ୍ତବ୍ୟ ଆଗରେ ନିଜ ସ୍ବାର୍ଥକୁ ପଛରେ ପକାଇଛନ୍ତି ଜଣେ ଯୁବ ଡାକ୍ତର। କରୋନା ପାଇଁ ଯୋଦ୍ଧା ସାଜିଥିବା ଏହି ଡାକ୍ତର ଜଣକ ସ୍ଥିରୀକୃତ ବିବାହକୁ ସ୍ଥଗିତ କରି ନିଜ କର୍ତ୍ତବ୍ୟ ସମ୍ପାଦନାରେ କାଣିଚାଏ ଅବହେଳା କରିନାହାନ୍ତି। ଆଜି ପବିତ୍ର ଅକ୍ଷୟ ତୃତୀୟାରେ ତାଙ୍କ ବାହାଘର ଲଗ୍ନ ସ୍ଥିର ହୋଇଥିବା ବେଳେ ଏହାକୁ ସ୍ଥଗିତ ରଖି ନିଜ କର୍ତ୍ତବ୍ୟପରାୟଣର ନିଦର୍ଶନ ଦେଖାଇଥିବା ଡାକ୍ତର ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରାପ୍ରାପ୍ତ ଡାକ୍ତର ରାକେଶ କୁମାର ବେହେରା। ଚଳିତ ବର୍ଷ କରୋନା କଟକଣା ପାଇଁ ଏକାଧିକ ପର୍ବପର୍ବାଣୀ ସାଙ୍ଗକୁ ଅନେକ ମାଙ୍ଗଳିକ କାର୍ଯ୍ୟ ବନ୍ଦ ହୋଇଯାଇଛି। ଏହି କ୍ରମରେ ଡାକ୍ତର ବେହେରାଙ୍କ ବାହାଘର ମଧ୍ୟ ସ୍ଥଗିତ ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାକେଶଙ୍କ ଘର ବାଲେଶ୍ବର ଜିଲ୍ଲାର ବଳରାମପୁରରେ। ଗତ ମାର୍ଚ୍ଚ ୪ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଉଦଳାର ରଶ୍ମିରେଖା ସାହୁଙ୍କ ସହ ତାଙ୍କର ନିର୍ବନ୍ଧ ସରିଥିଲା। ଆଜି ଅର୍ଥାତ୍ ଏପ୍ରିଲ୍ ୨୬ ତାରିଖରେ ତାଙ୍କର ବାହାଘର ପାଇଁ ଶୁଭଲଗ୍ନ ବାହାର କରାଯାଇଥିଲା। ଏଥିପାଇଁ ଉଭୟ ପରିବାର ପକ୍ଷରୁ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ହୋଇସାରିଥିଲା। ହେଲେ ଠିକ୍ ବେଳକୁ କରୋନା କଟକଣା ସବୁକିଛି ବିଗାଡ଼ି ଦେଲା। ଗୋଟିଏ ପଟେ ଲକ୍ଡାଉନ୍ ସମୟସୀମା ବଢ଼ି ବଢ଼ି ଚାଲିଥିବା ବେଳେ ବାହାଘରକୁ ନେଇ ଉଭୟ ପରିବାର ଏବେ ଚିନ୍ତାରେ ପଡ଼ିଛନ୍ତି।
ଏଭଳି ପରିସ୍ଥିତିରେ ଡାକ୍ତର ବେହେରା ବିଚଳିତ ନହୋଇ ଜାତୀୟ ବିପତ୍ତି ସମୟରେ ତାଙ୍କର ବାହାଘର ଅପେକ୍ଷା ରୋଗୀଙ୍କ ସେବା ପ୍ରଥମ ବୋଲି କହିଛନ୍ତି। ଅନ୍ୟପଟେ ଡାକ୍ତର ବେହେରାଙ୍କ ବଡ଼ଭାଇ ଚେନ୍ନାଇରେ ରହୁଥିବା ବେଳେ ଘରେ ବୁଢ଼ା ବାପା ଓ ମା’ ଏକୁଟିଆ ଅଛନ୍ତି। ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିବା ବେଳେ ସେ ତାଙ୍କୁ ଦେଖିବା ପାଇଁ ବି ଯାଇପାରୁନଥିବା କହିଛନ୍ତି। ତେବେ ତାଙ୍କର ଏଭଳି ଉତ୍ସର୍ଗୀକୃତ ସେବା ମନୋଭାବ ପାଇଁ ତାଙ୍କୁ ଚାରିଆଡ଼ୁ ପ୍ରଶଂସା କରାଯାଇଛି।