ଆଦିବାସୀ ବିରୋଧୀ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ବାରିପଦା: ଆଦିବାସୀ ସମ୍ପ୍ରଦାୟ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ପୂର୍ବତନ ସାଂସଦ ଶାଲଖାନ ମୁର୍ମୁଙ୍କ ନିର୍ଦ୍ଦେଶକ୍ରମେ ଆଜି ଆସିବାସୀ ସେଙ୍ଗଲ ଅଭିଯାନ ପକ୍ଷରୁ ସ୍ଥାନୀୟ ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବାବୁଲାଲ ମାର୍ଣ୍ଡି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆରଏସଏସ ନେତା ମୋହନ ଭାଗବତ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଆଦିବାସୀମାନେ ଜନ୍ମରୁ ହିନ୍ଦୁ ବୋଲି ଦେଇଥିବା ମନ୍ତବ୍ୟକୁ ଆଦିବାସୀ ସେଙ୍ଗଲ ଅଭିଯାନ ତୀବ୍ର ବିରୋଧ କରିଛି। ଭାଜପା ଓ ଆରଏସଏସ ଆଦିବାସୀ ଓ ସାର୍ନା ଧର୍ମ ବିରୋଧୀ ଅଟନ୍ତି ବୋଲି ଅଭିଯାନର ବାରିପଦା ଜୋନ ସଭାପତି ନାରାନ ମୁର୍ମୁ ପ୍ରକାଶ କରିଛନ୍ତି । ସେହିପରି ଆଦିବାସୀମାନେ ଭାରତ ଭୂଖଣ୍ଡର ମୂଳ ଅଧିବାସୀ ହୋଇଥିବା ବେଳେ ସେମାନେ ଅନାର୍ଯ୍ୟ ଅଟନ୍ତି । ଆଦିବାସୀ ପ୍ରକୃତିକୁ ପୂଜା କରୁଥିବା ବେଳେ ହିନ୍ଦୁ ମୂର୍ତ୍ତି ପୂଜା କରିଥାନ୍ତି ।

ବିଜେପି ନେତାଙ୍କ ଏପରି ମନ୍ତବ୍ୟ ବିରୋଧରେ ଆଦିବାସୀ ସେଙ୍ଗେଲ ଅଭିଯାନ ଓ ଝାଡ଼ଖଣ୍ଡ ଦିଶମ ପାର୍ଟି ଝାଡ଼ଖଣ୍ଡ, ଓଡ଼ିଶା, ବେଙ୍ଗଲ, ଆସାମ ଓ ବିହାର ଆଦି ରାଜ୍ୟରେ ବିଜେପି ଓ ଆରଏସଏସ ବିରୋଧରେ ସପ୍ତାହ ବ୍ୟାପି ଆନ୍ଦୋଳନ ଆରମ୍ଭ କରାଯିବାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏହି ଅବସରରେ ଆଦିବାସୀ ସେଙ୍ଗେଲ ଅଭିଯାନର ମାଧବ ଚନ୍ଦ୍ର ସୋରେନ, ସିଦ୍ଧିଲାଲ ମୁର୍ମୁ, ଉଦୟନାଥ ହେମ୍ବ୍ରମ ପ୍ରମୁଖ କର୍ମକର୍ତ୍ତା ସଦସ୍ୟ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର