ଝିଅ ସହ ଅସଦାଚରଣ କରିବାରୁ ସ୍ବାମୀକୁ ହତ୍ୟା କରି ଗାତ ଖୋଳି ପୋତିଦେଲା ସ୍ତ୍ରୀ

ହାଇଦ୍ରାବାଦ୍‌: ନିଜ ଛୁଆ ପାଇଁ ଜଣେ ମାଆ ଦୁର୍ଗା, କାଳୀ ସବୁ ସାଜିପାରନ୍ତି। ଏହା ପୁଣି ଥରେ ପ୍ରମାଣିତ ହୋଇଛି। ଜଣେ ମହିଳାଙ୍କ ୨ ଝିଅକୁ ତାଙ୍କ ସ୍ବାମୀ ଅସଦାଚରଣ କରିବା କାରଣରୁ ମହିଳା ଜଣକ ସ୍ବାମୀଙ୍କୁ ହତ୍ୟା କରି ତାଙ୍କୁ ଏକ ଗାତ ଖୋଳି ପୋତି ଦେଇଥିବା ଜାଣିବାକୁ ମିଳିିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ୩୮ ବର୍ଷୀୟ ଗଗନଦୀପ ଅଗ୍ରୱାଲ୍‌।

ଗଗନଦୀପ ପ୍ରାୟ ଏକ ମାସ ହେବ ନିଖୋଜ ଥିଲେ। ପୁଲିସ୍‌ ତାଙ୍କୁ ବହୁ ଖୋଜିବା ପରେ ଶେଷରେ ବୁଧବାର ତାଙ୍କ ନିଜ ଘରେ ଥିବା ଏକ ଗାତରୁ ଗଗନଦୀପଙ୍କ ମୃତଦେହ ଉଦ୍ଧାର କରିଛି।

ଜାଣିବାକୁ ମିଳିଛି ‌ଯେ ସ୍ବାମୀଙ୍କୁ ହତ୍ୟା କରିଥିବା ମହିଳା ଜଣକ ହେଉଛନ୍ତି ଗଗନଦୀପଙ୍କ ଦ୍ବିତୀୟ ପତ୍ନୀ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ମହିଳା ଜଣକ ନିଜ ସ୍ବାମୀଙ୍କୁ ହତ୍ୟା କରି ଫେବ୍ରୁଆରି ୮ ତାରିଖରେ ସ୍ବାମୀ ହଜି ଯାଇଛନ୍ତି ବୋଲି ଥାନାରେ ଏକ ମାମଲା ରୁଜୁ କରିଥିଲେ।

ଅଭିଯୁକ୍ତା ମହିଳା ଜଣକ ହେଉଛନ୍ତି ୩୨ ବର୍ଷୀୟା ନୌଜେନ୍‌। ସେ ସ୍ବାମୀଙ୍କୁ ହତ୍ୟା କରିବା ପରେ ତାଙ୍କ ଦିଅରଙ୍କ ସହ ଯାଇ ପୁଲିସ୍‌ ଷ୍ଟେସନ୍‌ରେ ମାମଲା ରୁଜୁ କରିଥିଲେ। ପୁଲିସ୍‌ ଦେଇଥିବା ସୂଚନା ମୁତାବକ ନୌଜେନଙ୍କୁ ତିନି ଥର ଜେରା କରାଯାଇଥିଲା ଓ ତାଙ୍କ କଥାରେ କୌଣସି ତାଳମେଳ ନ ରହୁଥିବାରୁ ସନ୍ଦେହ ଉପୁଜିଥିଲା।

ସମ୍ବନ୍ଧିତ ଖବର