‘ଏକାମ୍ର ୱାକସ୍’ରେ ନୂଆ ଟ୍ରେଲ୍: ଭରତପୁର ଜଙ୍ଗଲରେ ଏକ ସନ୍ଧ୍ୟା

ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ଵାରା ପରିଚାଳିତ ‘ଏକାମ୍ର ୱାକସ୍’ରେ ଏକ ରୋମାଞ୍ଚକର ନୂଆ ଟ୍ରେଲ ‘ଭରତପୁର ଜଙ୍ଗଲରେ ଏକ ସନ୍ଧ୍ୟା’ ଆରମ୍ଭ ହେଉଛି। ୧ ମାର୍ଚ୍ଚରୁ ଏହି ନାଇଟ୍ ଜଙ୍ଗଲ ସଫାରିରେ ଅତିଥିମାନେ ରାତି ସମୟରେ ଜଙ୍ଗଲରେ ବୁଲିବାର ରୋମାଞ୍ଚକର ଅନୁଭବ ପାଇପାରିବେ।

ନାଇଟ୍ ଜଙ୍ଗଲ୍ ସଫାରି ପ୍ରତ୍ୟେକ ସପ୍ତାହାନ୍ତରେ ଆୟୋଜନ କରାଯିବ। ଏକାମ୍ର ହାଟରୁ ଏହି ଯାତ୍ରା ସନ୍ଧ୍ୟା ୬.୧୫ରୁ ଆରମ୍ଭ ହେବ ଓ ୮.୩୦ ପର୍ଯ୍ୟନ୍ତ ଚାଲିବ। ଅଭିଜ୍ଞ ଗାଇଡଙ୍କ ସହ ଏକ ସୁରକ୍ଷିତ ବସରେ ଅତିଥିମାନେ ଏକ ଘଣ୍ଟା ପାଇଁ ଭରତପୁରର ଘଞ୍ଚ ଜଙ୍ଗଲର ରହସ୍ୟମୟ ଦୁନିଆରେ ପ୍ରବେଶ କରିବେ। ଏହି ଦୁଃସାହସିକ ଯାତ୍ରାରେ ସେମାନେ ରାତ୍ରିଚର ଜଙ୍ଗଲି ଜୀବଙ୍କୁ ଦେଖିବାକୁ ପାଇବେ ଓ ଜଙ୍ଗଲ ବିଷୟରେ ଅଧିକ ଜାଣିବାକୁ ପାଇବେ। ରାତ୍ରିଚର ଜୀବଙ୍କର ବାସସ୍ଥାନ, ଜୀବଜଗତର ଗତିଶୀଳତା ଏବଂ ସେମାନଙ୍କର ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ଅତିଥିମାନେ ବିଶେଷଜ୍ଞଙ୍କଠାରୁ ଜାଣିବାକୁ ପାଇବେ।

ଚଳିତ ବର୍ଷ ଜାନୁଆରି ମାସରୁ ଆରମ୍ଭ ହେଇଥିବା ‘ଏକାମ୍ର ୱାକସ୍’ର ବିଭିନ୍ନ ଟ୍ରେଲ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାର, ଶନିବାର ଏବଂ ରବିବାର ଦିନ ଆୟୋଜନ କରାଯିବ। ‘ପ୍ରକୃତିର ପଦଯାତ୍ରା’, ‘ଆମ ସଂସ୍କୃତି ଆମ ଐତିହ୍ୟ’, ‘କୋମଳ ମନର କୌତୂହଳ ଯାତ୍ରା’ ସହିତ ‘ଓଡ଼ିଆ ଖାଦ୍ୟ ପସରା’ ଟ୍ରେଲ ମାଧ୍ୟମରେ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକମାନେ ଭୁବନେଶ୍ବରର ପ୍ରାକୃତିକ ଏବଂ ଐତିହାସିକ ସୌନ୍ଦର୍ଯ୍ୟର ଆନନ୍ଦ ନେଉଛନ୍ତି। ବିଶେଷଜ୍ଞଙ୍କ ମାର୍ଗଦର୍ଶନରେ ଅଭିଜ୍ଞ ଗାଇଡମାନଙ୍କ ସହାୟତାରେ ଶତାବ୍ଦୀ ଶତାବ୍ଦୀ ଧରି ତଥା ପିଢ଼ି ପରେ ପଢ଼ି ଚାଲିଥିବା କାହାଣୀଗୁଡ଼ିକ ଏହି ପଦଯାତ୍ରାରେ ଉନ୍ମୋଚନ କରାଯାଉଛି। ଏହି କାର୍ଯ୍ୟକ୍ରମ ପର୍ଯ୍ୟଟକମାନଙ୍କୁ ଏକ ଅନନ୍ୟ ଅନୁଭବ ପ୍ରଦାନ କରୁଛି।

‘ଏକାମ୍ର ୱାକସ୍’ରେ ସାମିଲ ହେବାପାଇଁ ଆଗ୍ରହୀ ବ୍ୟକ୍ତିମାନେ www.ekamrawalks.comରୁ କାର୍ଯ୍ୟକ୍ରମର ସମୟ ସାରଣୀ ଓ ରୁଟ୍ ବିଷୟରେ ଅଧିକ ସୂଚନା ପାଇବା ସହ ପଞ୍ଜିକରଣ କରିପାରିବେ। ଏହି ଅନନ୍ୟ ପଦକ୍ଷେପ ଭୁବନେଶ୍ୱରର ପ୍ରାକୃତିକ ଏବଂ ଐତିହାସିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାପାଇଁ ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦେବା ସହ ପର୍ଯ୍ୟଟକଙ୍କୁ ଟାଣି ଆଣିବାରେ ସହାୟକ ହେବ।

ସମ୍ବନ୍ଧିତ ଖବର