ମନ୍ତ୍ରୀଙ୍କ ଉତ୍ତରରେ ତ୍ରୁଟି ବାହାର କଲେ ଶାସକ ଦଳ ବିଧାୟକ

ରାଜନଗରରେ ବିଦ୍ୟୁତ ଯୋଗାଣ ନେଇ ବିଧାୟକଙ୍କ ଅସନ୍ତୋଷ, ଧାମରାରେ ଶିଳ୍ପ ପ୍ରତିଷ୍ଠା ହେଉ ନ ଥିବାରୁ ବିଧାୟକଙ୍କ ଉଦ୍‌ବେଗ

ଭୁବନେଶ୍ବର : ମନ୍ତ୍ରୀମାନେ ପ୍ରସ୍ତୁତ ନ ହୋଇ ଆସି ଅଫିସର୍‌ଙ୍କ ଲିଖିତ ଉତ୍ତର ପଢ଼ି ଦେଉଛନ୍ତି ବୋଲି ଅନେକ ସମୟରେ ବିଧାନସଭାରେ ଅଭିଯୋଗ ଆସେ। ମୁଖ୍ୟତଃ ବିରୋଧୀ ଦଳ ସଭ୍ୟମାନେ ଏମିତି ଅଭିଯୋଗ କରି ମନ୍ତ୍ରୀମାନଙ୍କୁ କାଠଗଡ଼ାକୁ ଟାଣନ୍ତି। କିନ୍ତୁ ଆଜି ଖୋଦ୍ ଶାସକ ଦଳ ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀର କିଛି ସମସ୍ୟା ନେଇ ମନ୍ତ୍ରୀଙ୍କ ଉତ୍ତର‌େର ଥିବା ତ୍ରୁଟିକୁ ଗୃହରେ ଦେଖାଇଛନ୍ତି। ନିଜ ଦଳ ସରକାରରେ ଥିବାରୁ ଯଦିଓ ସେମାନେ ମନ୍ତ୍ରୀଙ୍କୁ ଶାଣିତ ଭା‌ଷାରେ ସମାଲୋଚନା କରି ନାହାନ୍ତି, ତେବେ ‘ଗ୍ରାଉଣ୍ଡ୍‌ ରିୟଲିଟି’ ଦେଖାଇ ମନ୍ତ୍ରୀଙ୍କ ଉତ୍ତର ଭୁଲ୍‌ ବୋଲି ପ୍ରମାଣିତ କରିଛନ୍ତି। ଶକ୍ତି ଓ ଶିଳ୍ପ ବିଭାଗ କ୍ଷେତ୍ରରେ ଆଜି ଏପରି ଚିତ୍ର ବିଧାନସଭା‌ର ପ୍ରଶ୍ନକାଳରେ ଦେଖିବାକୁ ମିଳିଥିଲା।

ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ମୂଳ ପ୍ରଶ୍ନ ଥିଲା, ରାଜନଗର ବ୍ଲକ୍‌ର କେତେ ରାଜସ୍ବ ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ହୋଇ ନାହିଁ ? ଏହି ବ୍ଲକ୍‌ର ବଡ଼ାଡ଼ିଆଠାରେ ନିର୍ମାଣାଧୀନ ଗ୍ରିଡ୍‌ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ? ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଲିଖିତ ଉତ୍ତର ପଢ଼ିଥିଲେ, ସେସୁଠାରୁ ପ୍ରାପ୍ତ ତଥ୍ୟ ଅନୁସାରେ ରାଜନଗର ବ୍ଲକ୍‌ର ସମସ୍ତ ରାଜସ୍ବ ଗ୍ରାମକୁ ବିଦ୍ୟୁତ ଯୋଗାଣ ହୋଇଛି। କିଛି ଗ୍ରାମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ କାର୍ଯ୍ୟ ଚାଲିଛି। ବଡ଼ାଡ଼ିଆରେ ଓଡିଏସ୍‌ଏସ୍‌ପି ଯୋଜନାରେ ୩୩/୧୧ କେଭି ସବ୍-ଷ୍ଟେସନ୍‌ର ନିର୍ମାଣ କାର୍ଯ୍ୟ ଚାଲୁଛି ଓ ଆସନ୍ତା ସେପ୍ଟମ୍ବର ମାସ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

କିନ୍ତୁ ବିଧାୟକ ଶ୍ରୀ ସାହୁ ଏହି ଉତ୍ତରରେ ସନ୍ତୁଷ୍ଟ ହୋଇ ନ ଥିଲେ। ସେ ଅତିରିକ୍ତ ପ୍ରଶ୍ନ ପଚାରି କହିଥିଲେ, ରାଜନଗର ବ୍ଲକ୍‌ର ତାଳଚୁଆ, ରଙ୍ଗଣି ଆଦି ୯ଟି ପଞ୍ଚାୟତର ଅନେକ ଗାଁକୁ ବିଜୁଳି ଯୋଗାଣ ହୋଇ ନାହିଁ। ଯେତିକି ଜାଗାରେ ହୋଇଛି, ସେଠାରେ ଥାଇ ନ ଥିଲା ପରି। ସେହିପରି ବଡ଼ାଡ଼ିଆଠାରେ ନିର୍ମାଣାଧୀନ ସବ୍‌-ଷ୍ଟେସନ୍ କାମ ନେଇଥିବା ଠିକାଦାର ଅଧା କାମ କରି କୁଆଡ଼େ ଚାଲିଯାଇଛି। ଏବେ ସେଠାରେ କାମ ବନ୍ଦ ଅଛି। ତେଣୁ ସେପ୍ଟମ୍ବର ସୁଦ୍ଧା ସରିବ କିପରି ? ଉତ୍ତରରେ ଦିଆଯାଇଥିବା ତଥ୍ୟର ସତ୍ୟତା ନେଇ ମନ୍ତ୍ରୀ ଯାଞ୍ଚ କରନ୍ତୁ। ମନ୍ତ୍ରୀ କହିଲେ, ବିଧାୟକ ଲିଖିତ ଭାବେ ଜଣାନ୍ତୁ, ନିଶ୍ଚିତ ପଦକ୍ଷେପ ନେବି। ବିଦ୍ୟୁତ ବିଭାଗରେ ଯେଉଁଠି ଅସୁବିଧା ହେଉଛି, ବିଧାୟକମାନେ ମୋତେ ସିଧାସଳଖ ଜଣାଇଲେ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଉଛି।

ପାଟଣା ବିଧାୟକ ଜଗନ୍ନାଥ ନାୟକଙ୍କ ପ୍ରଶ୍ନ ଥିଲା, ପାଟଣା ବିଧାନସଭା କ୍ଷେତ୍ରରେ ବିଜୁଳି ଏକ ବଡ଼ ସମସ୍ୟା। ଏହାର ସମାଧାନ ପାଇଁ ତୁରୁମୁଙ୍ଗାରେ ୧୩୨/୩୩ କେଭି ଗ୍ରିଡ୍‌ ସ୍ଥାପନ ପାଇଁ ପଦକ୍ଷେପ ନେବେ କି ? ଉତ୍ତରରେ ଶକ୍ତି ମନ୍ତ୍ରୀ କହିଥିଲେ, ଓପିଟିସିଏଲ୍‌ ଠାରୁ ପ୍ରାପ୍ତ ତଥ୍ୟାନୁସାରେ ଓପିଟିସିଏଲ୍‌ ତରଫରୁ ପାଟଣା ତହସିଲ୍‌ ଅନ୍ତର୍ଗତ ତୁରୁମୁଙ୍ଗାରେ ନିକଟରେ ଏକ ୨୨/୧୩୨/୩୩ କେଭି ଗ୍ରିଡ୍‌ ଷ୍ଟେସନ୍‌ ନିର୍ମାଣ ପାଇଁ ୨୦୧୯ ମାର୍ଚ୍ଚ ମାସରେ କାର୍ଯ୍ୟାଦେଶ ଦିଆଯାଇଛି ଓ ଏଥି ନିମନ୍ତେ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲୁ ରହିଛି। କାର୍ଯ୍ୟାଦେଶ ଦେବାର ୨୪ ମାସ ମଧ୍ୟରେ ଏହି ଗ୍ରିଡ୍‌ ଷ୍ଟେସନ୍‌ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ମନ୍ତ୍ରୀଙ୍କ ଉତ୍ତର ବିଧାୟକଙ୍କ ଦ୍ବାରା ଗ୍ରହଣୀୟ ହୋଇପାରି ନ ଥିଲା। ସେ କହିଥିଲେ, ସେଠାରେ କାମ କିଛି ଅ‌ାଗେଇନି। ବିଭାଗୀୟ ଅଧିକାରୀମାନେ କେହି ସେଠାକୁ ଯାଉ ନାହାନ୍ତି। କାମ କେମିତି ସରିବ? ମନ୍ତ୍ରୀ ଆଶ୍ବାସନା ଦେଇଥିଲେ, ଆପଣ ବ୍ୟକ୍ତିଗତ ଭାବେ ମୋ ପାଖକୁ ଆସନ୍ତୁ। ମୁଁ ବିଭାଗ ସହିତ ଆପଣଙ୍କୁ ଯୋଗାଯୋଗ କରାଇ ଦେବି।

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପ୍ରଶ୍ନ ଥିଲା, ଧାମରାରେ ବନ୍ଦର ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ କି ପଦକ୍ଷେପ ଗ୍ରହଣ କରାଯାଉଛି? ମନ୍ତ୍ରୀଙ୍କ ଉତ୍ତର ଥିଲା, ୭ଟି ବୃହତ ଶିଳ୍ପକୁ ସେଠାରେ ଅନୁମୋଦନ ଦିଆଯାଇଛି। ଧାମରାରେ ଆଦାନୀ ଗ୍ରୁପ୍ ଓ ୱିଲ୍‌ସ୍ପୁନ୍ ଗ୍ରୁପ୍‌ ଦୁଇଟି ଘ‌େରାଇ ଶିଳ୍ପାଞ୍ଚଳ ସ୍ଥାପନ ପାଇଁ ଯୋଜନା କରିଛନ୍ତି। ୱିଲ୍‌ସ୍ପୁନ୍ ଗ୍ରୁପ୍‌କୁ ରାଜ୍ୟ ସ୍ତରୀୟ କମିଟି ଚୂଡ଼ାନ୍ତ ଅନୁମୋଦନ ଦେଇଛି।

କିନ୍ତୁ ବିଧାୟକ ଶ୍ରୀ ରାୟ ଉତ୍ତରକୁ ଗ୍ରହଣ କରି ନ ଥିଲେ। ଉଦ୍‌ବେଗ ପ୍ରକାଶ କରି କହିଥିଲେ, ୱିଲ୍‌ସ୍ପୁନ୍ ଗ୍ରୁପ୍‌ ତାହାର ପ୍ରସ୍ତାବିତ ପ୍ରକଳ୍ପ ସବୁ ଦିନ ପାଇଁ ବନ୍ଦ କରି ଚାଲିଗଲାଣି। ବନ୍ଦର ହେବାର ୨୦ ବର୍ଷ ହେଲାଣି। କିନ୍ତୁ ଗୋଟିଏ ବି ଶିଳ୍ପ ସ୍ଥାପନ ହୋଇପାରିଲା ନାହିଁ। ଯେଉଁମାନେ ଆସୁଛନ୍ତି, ସେମାନେ ଛାଡ଼ି ଚାଲିଯାଉଛନ୍ତି। ଉତ୍ତରରେ ମନ୍ତ୍ରୀ କହିଲେ, କୌଣସି କମ୍ପାନି ଛାଡ଼ି ଯାଇଥିବା ନେଇ ବିଭାଗ ପାଖରେ ତଥ୍ୟ ନାହିଁ। ‌ଧାମରାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆମେ ନିଶ୍ଚିତ ପଦକ୍ଷେପ ନେବୁ। ଏହି ପ୍ରଶ୍ନରେ ଅଶ୍ବିନୀ ପାତ୍ର ଓ ଅମର ଶତପଥୀ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର