ବନ୍ତଳା ବନାଞ୍ଚଳରେ ହାତୀର ଉଗ୍ରରୂପ: ୨ ଜଣଙ୍କୁ ଗୋଡ଼ାଇ ମାରିଲା ଦନ୍ତା

ଶବ ଛାଡ଼ିଲେନି ଗ୍ରାମବାସୀ, ପ୍ରବଳ ଉତ୍ତେଜନା

ବନ୍ତଳା: ଅନୁଗୁଳ ବ୍ଲକ୍ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣ ଆଜି ସୀମା ଲଂଘିଛି। ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନରେ ୨ଜଣଙ୍କ ଜୀବନ ନେଇଛି ଦନ୍ତା। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିବାବେଳେ ଉତ୍ତେଜନା ପ୍ରକାଶ ପାଇଛି। ରଥଯାତ୍ରା ଭଳି ଦିନରେ ନିଜ ଘର ପାଖରେ ହାତୀ ପାଦ ତଳେ ୨ଜଣଙ୍କ ଜୀବନ ଯିବା ପରେ ଲୋକେ ବନ ବିଭାଗ ଉପରେ ଖପ୍ପା ହୋଇଛନ୍ତି।

ସୂଚନା ମୁତାବକ, ଗଡ଼ତରାସ ପଞ୍ଚାୟତ ଅରାଡିହ ଗ୍ରାମର ଅରୁଣ ପ୍ରଧାନ (୫୫) ମଙ୍ଗଳବାର ଦିନ ପ୍ରାୟ ୧୧ଟା ସମୟରେ ବଗିଚାରେ ବାଉଁଶ ବାଡ଼ ଦେଉଥିଲେ। ହଠାତ ଏକ ଦନ୍ତା ହାତୀ ତାଙ୍କ ପାଖକୁ ମାଡ଼ି ଆସିଥିଲା। ଜୀବନ ବିକଳରେ ଅରୁଣ ଦୌଡ଼ିଥିଲେ ବି ହାତୀ ପାହୁଣ୍ଡ ଆଗରେ ହାର ମାନିଥିଲେ। ଦନ୍ତା ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ତଳେ ପଡ଼ିଯାଇଥିବା ଅରୁଣଙ୍କ ପେଟରେ ହାତୀ ଖୋଜ ପକାଇଦେବାରୁ ତାଙ୍କ ଅନ୍ତବୁଜୁଳା ବାହାରି ଆସିଥିଲା। ଦନ୍ତା ଆକ୍ରମଣରେ ଜଣକ ମୃତ୍ୟୁ ପରେ ସାରା ଗାଁ ସ୍ତବ୍ଧ ହୋଇଯାଇଛି। ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଏପଟେ ବନ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।

ଗଡ଼ତରାସରେ ହାତୀ ଆତଙ୍କର କିଛି ଘଣ୍ଟା ପରେ ପଡ଼ୋଶୀ ବଡ଼କନ୍ତକୁଳ ପଞ୍ଚାୟତର ସାନକନ୍ତକୁଳ ଗାଁରେ ଜଣକୁ ଦନ୍ତା ମାରି ଦେଇଛି। ବାଉଁଶ ବୁଦାରୁ ବାଉଁଶ ସଂଗ୍ରହ କରୁଥିବା ଶ୍ରୀନିବାସ ସାହୁ(୬୫)ଙ୍କୁ ଗୋଟିଏ ଦନ୍ତା କଚାଡ଼ି ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା। ଏହି ଘଟଣା ଗାଁରେ ପ୍ରଚାରିତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଓ ବନ ବିଭାଗ ଗାଁରେ ପହଞ୍ଚି ଥିଲେ ବି ଲୋକେ ମୃତଦେହ ଛାଡ଼ି ନଥିଲେ। ଗତ ଏପ୍ରିଲ ୨୪ ତାରିଖ​ରେ ଏହି ଗାଁରେ ଗୋଟିଏ ଦିନରେ ୨ ମହିଳାଙ୍କୁ ଦନ୍ତା ଦଳି ଦେଇଥିଲା। ସେହି କ୍ଷତ ଏଯାଏଁ ମନରୁ ଲିଭି ନଥିବା ବେଳେ ଆଜି ପୁଣି ହାତୀ ପାହୁଣ୍ଡ‌ ତଳେ ଜଣଙ୍କ ଜୀବନ ଯିବା ଘଟଣାକୁ ଲୋକେ ଗ୍ରହଣ କରିପାରୁନାହାନ୍ତି। ବନ ବିଭାଗର ଦାୟିତ୍ବ ହୀନତା ପାଇଁ ବାରମ୍ବାର ହାତୀ ଆକ୍ରମଣରେ ମଣିଷ ମରୁଥିବା ଅଭିଯୋଗ କରି ଲୋକେ ତାତିଛନ୍ତି। ବନ୍ତଳା ବନାଞ୍ଚଳ ଅଧିକାରୀ ନୀଳାଦ୍ରିନାଥ ସାହୁ ଓ ଥାନା ଅଧିକାରୀ ସୁମିତ୍ରା ପାତ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ବି ଲୋକେ ଶବ ଛାଡ଼ି ନଥିଲେ। ଡିଏଫ୍‌ଓ ଘଟଣାସ୍ଥଳକୁ ଆସି ଆଲୋଚନା କରିବା ପାଇଁ ଲୋକେ ଅଡ଼ି ବସିଥି‌ଲେ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା।

ସମ୍ବନ୍ଧିତ ଖବର