ଟଙ୍କିକିଆ ଓ ଦୁଇଟଙ୍କିଆ ମୁଦ୍ରାରେ ଭରଣପୋଷଣ ଦେବାକୁ କୋର୍ଟ ଦେଲେ ଅନୁମତି

ଜୟପୁର: ସ୍ତ୍ରୀକୁ ୧୧ ମାସର ଭରଣପୋଷଣ ବାବଦକୁ ଟଙ୍କିକିଆ ଓ ଦୁଇଟଙ୍କିଆ ମୁଦ୍ରା ଆକାରରେ ୫୫,୦୦୦ ଟଙ୍କାର ଭରଣପୋଷଣ ଅର୍ଥ ପ୍ରଦାନ କରିବାକୁ ଜଣେ ଲୋକଙ୍କୁ କୋର୍ଟ ଅନୁମତି ଦେଇଛନ୍ତି। ସ୍ବାମୀ ଦଶରଥ କୁମାୱାତଙ୍କ ପରିବାର ଲୋକ ୭ଟି ଅଖାରେ ଭର୍ତ୍ତି ମୁଦ୍ରା କୋର୍ଟରେ ପହଞ୍ଚାଇବା ପରେ ସ୍ତ୍ରୀଙ୍କ ଓକିଲ ଏହା ଉପରେ ଆପତ୍ତି ଉଠାଇଥିଲେ। ଏହାଦ୍ବାରା ତାଙ୍କ ମହକିଲଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି ବୋଲି ସେ ଅଭିଯୋଗ କରିଥିଲେ।

କିନ୍ତୁ କୋର୍ଟ ଟଙ୍କିକିଆ ଓ ଦୁଇଟଙ୍କିଆ ମୁଦ୍ରା ଆକାରରେ ଭରଣପୋଷଣ ଦେବାକୁ ଅନୁମତି ପ୍ରଦାନ କରିବା ସହ ନିଜେ ଟଙ୍କା ଗଣି ୧୦୦୦ ଟଙ୍କିଆ ବିଡ଼ାଟିମାନ କରି ପରବର୍ତ୍ତୀ ଶୁଣାଣି ଜୁନ ୨୬ ତାରିଖ ଦିନ ହସ୍ତାନ୍ତର କରିବାକୁ ସ୍ବାମୀ ଦଶରଥଙ୍କୁ ଆଦେଶ ଦେଇଛନ୍ତି। ସେ ପର୍ଯ୍ୟନ୍ତ ବସ୍ତାଗୁଡ଼ିକ କୋର୍ଟଙ୍କ ଜିମାରେ ରହିବ।

ସୂଚନାଯୋଗ୍ୟ, ଏକ ପରିବାର କୋର୍ଟରେ ଦମ୍ପତିଙ୍କ ଛାଡ଼ପତ୍ର ମାମଲାର ଶୁଣାଣି ଚାଲିଛି। ଦଶରଥଙ୍କୁ ପ୍ରତି ମାସରେ ୫୦୦୦ ଟଙ୍କା ଲେଖାଏ ଭରଣପୋଷଣ ଦେବା ପାଇଁ କୋର୍ଟ ଆଦେଶ ଦେଇଥିଲେ। କିନ୍ତୁ ୧୧ ମାସ ଧରି ସେ ତାହା ପ୍ରଦାନ କରି ନ ଥିଲେ। ତେଣୁ ତାଙ୍କଠାରୁ ୧୧ ମାସର ଭରଣପୋଷଣ ଟଙ୍କା ଆଦାୟ କରିବାକୁ ଜୟପୁରର ଫ୍ୟାମିଲି କୋର୍ଟ ଆଦେଶ ଦେଇଥିଲେ। ଦଶରଥ ଟଙ୍କା ଦେବାକୁ ମନା କରିବାରୁ ତାଙ୍କୁ ଜୁନ୍ ୧୭ ତାରିଖରେ ପୁଲିସ ଗିରଫ କରିଥିଲା। ଗ୍ରୀଷ୍ମ ଛୁଟି ହେତୁ ଫ୍ୟାମିଲି କୋର୍ଟ ବନ୍ଦ ଥିବାରୁ ପୁଲିସ ତାଙ୍କୁ ଅତିରିକ୍ତ ଜିଲ୍ଲା ଜଜ୍ (ଏଡିଜି)-ନମ୍ବର ୮ଙ୍କ କୋର୍ଟରେ ହାଜର କରିଥିଲା। କୋର୍ଟରେ ଦଶରଥଙ୍କ ପରିବାର ପକ୍ଷରୁ ୭ଟି ବସ୍ତାରେ ୫୫,୦୦୦ ଟଙ୍କାର କଏନ ଉପସ୍ଥାପିତ କରାଯାଇଥିଲା।

ସମ୍ବନ୍ଧିତ ଖବର